ଡକାଡକି ହୋଇ ଚାଲିଗଲେ ବାପା-ପୁଅ: ଅନାଥ ହୋଇଗଲେ ଦୁଇ ଶିଶୁକନ୍ୟା, ୮ ମାସ ତଳେ ମା’କୁ ହରାଇଥିଲେ

କଣ୍ଟାବାଞ୍ଜି: ଏମିତିବି ମୃତ୍ୟୁ ଆସେ। ବାପାଙ୍କ ମୃତ୍ୟୁ ପରେ ବଡ଼ପୁଅର ମୃତ୍ୟୁ ଘଟିଛି। ବଡ଼ବୋହୂ ବି ୮ ମାସ ତଳେ କ୍ୟାନସ‌ରରେ ଆକ୍ରାନ୍ତ ହୋଇ ଆଖି ବୁଜିଥିଲେ। ଏବେ ଅନାଥ ହୋଇ ପଡ଼ିଛନ୍ତି ଦୁଇ ଶିଶୁକନ୍ୟା । ଏହି ଖବର ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି।

ପ୍ରକାଶ ଯେ, କଣ୍ଟାବାଞ୍ଜି ସହର ଆଶ୍ରମପଡ଼ାରେ ରହୁଥିବା ଗନ୍ଧର୍ବ ଥପା (୫୭ବର୍ଷ)ଙ୍କ ଗତ ମଙ୍ଗଳବାର ସନ୍ଧ୍ୟାରେ ପରଲୋକ ଘଟିଥିଲା। ବୁଧବାର ସକାଳେ ତାଙ୍କ ବଡ଼ପୁଅ ଧନେଶ୍ୱର ଥପା (୩୨ବର୍ଷ) ମଧ୍ୟ ଆଖି ବୁଜିଥିବା ଜଣାପଡ଼ିଛି। ପରିବାର ଲୋକ ବୁଧବାର ସକାଳୁ ଧନେଶ୍ୱରଙ୍କୁ ଚିକିତ୍ସା ପାଇଁ କଣ୍ଟାବାଞ୍ଜି ଡାକ୍ତରଖାନା ଆଣିଥିଲେ। କିନ୍ତୁ, ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍ୱର୍ଗତ ଗନ୍ଧର୍ବ ରେଳବାଇରେ ଗେଙ୍ଗମ୍ୟାନ ଭାବେ କାମ କରିଆସୁଥିଲେ। ହେଲେ ଅସୁସ୍ଥତା ଯୋଗୁଁ ସେ ସ୍ବେଚ୍ଛାରେ ଅବସର ନେଇଥିଲେ ଏବଂ ତାଙ୍କ ବଡ଼ପୁଅ ଧନେଶ୍ୱର ଏହି କାମରେ ନିୟୋଜିତ ହୋଇଥିଲେ।

ସାନ ପୁଅ ଦେବାର୍ଚ୍ଚନ ଥପାଙ୍କ କହିବା ଅନୁସାରେ, ବାପାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ଭାଙ୍ଗିପଡ଼ିଥିବା ଧନେଶ୍ୱରଙ୍କ ମଧ୍ୟ ହଠାତ୍‌ ବିୟୋଗ ହୋଇଥିଲା। ମୃତ ଧନେଶ୍ୱରଙ୍କ ପତ୍ନୀ ୮ ମାସ ତଳେ କ୍ୟାନସରରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ସେହିଦିନରୁ ତାଙ୍କ ୫ ଓ ୩ ବର୍ଷ ବୟସର ଦୁଇ ଝିଅ ମା’ ଛେଉଣ୍ଡ ହୋଇଯାଇଥିଲେ। ଧନେଶ୍ବର ତାଙ୍କ ଦୁଇ ଝିଅଙ୍କୁ ଭଲଭାବେ ପାଠ ପଢ଼ାଇବା ଆଶାରେ ରେଳବାଇରେ କାମ କରିବା ସହିତ ଅନ୍ୟ ସମୟରେ ସହରରେ ଇଡଲି, ଦୋସା ବିକ୍ରି କରି ପରିବାର ପୋଷଣ ସାଙ୍ଗକୁ ବଡ଼ ଝିଅକୁ ଭଲ ସ୍କୁଲରେ ପଢ଼ାଉଥିଲେ। କିଛି ଦିନ ତଳେ ଘର ପାଖରେ ଏକ ଜମି କିଣି ସେଠାରେ ପରିବାର ସହ ରହିବାକୁ ଯୋଜନା କରିଥିଲେ। ହେଲେ ତାଙ୍କର ସବୁ ସ୍ୱପ୍ନ ସ୍ୱପ୍ନରେ ରହିଗଲା। ତାଙ୍କ ମୃତ୍ୟୁ ପରେ ଏବେ ଦୁଇ ଝିଅ ଅନାଥ ହୋଇଯାଇଛନ୍ତି। ଦୁଇ ପିଲାଙ୍କ ଭରଣପୋଷଣ ଦାୟିତ୍ବ ଏବେ ତାଙ୍କ ସାନ ଭାଇ ଦେବାର୍ଚ୍ଚନଙ୍କ କାନ୍ଧରେ। ସିଏ ବି ଗରିବ ଶ୍ରେଣୀର ହୋଇଥିବାରୁ କିପରି ଦୁଇ ପିଲାଙ୍କ ଭରଣପୋଷଣ ସହ ପାଠପଢ଼ା ଦାୟିତ୍ବ ନେବେ ତାହା ଏବେ ଚିନ୍ତାର ବିଷୟ।

ସମ୍ବନ୍ଧିତ ଖବର