କରୋନା ଉଜାଡ଼ିଦେଲା ପରିବାର : ଆଗ ପଛ ହୋଇ ଚାଲିଗଲେ ବାପା, ୨ ପୁଅ

ସଂକ୍ରମିତ ସାନପୁଅ କୋଭିଡ୍‌ ହସ୍‌ପିଟାଲରେ

ରାୟଗଡ଼ା/ମୁନିଗୁଡ଼ା : ଅଗଷ୍ଟ ୨୮ ତାରିଖରେ ବାପାଙ୍କ ମୃତ୍ୟୁ ହୋଇଥିଲା। ଶେଷକୃତ୍ୟରୁ ଫେରିବା ପରେ ୩ ପୁଅ କରୋନା ସଂକ୍ରମିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ କୋଭିଡ୍ ହସ୍‌ପିଟାଲରେ ଚିକିତ୍ସାଧୀନ ଅଛନ୍ତି। କରୋନା ମହାମାରୀର ଶିକାର ହୋଇ ଏପରି ଦୁଃଖଦ ମୃତ୍ୟୁର ସାମ୍‌ନା କରିଛନ୍ତି ମୁନିଗୁଡାର ଜଣେ ବ୍ୟବସାୟୀଙ୍କ ପରିବାର। ଗୋଟିଏ ଦିନରେ ପରିବାରର ଦୁଇ ଜଣଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ମୁନିଗୁଡ଼ାରେ ଭୟର ବାତାବରଣ ଖେଳିଯିବା ସହ ଦୋକାନ, ବଜାର ବନ୍ଦ ହୋଇଯାଇଛି।

ମୁନିଗୁଡ଼ାର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଗତ କିଛି ଦିନ ହେଲା ଅସୁସ୍ଥ ଥିଲେ। ଘରେ ରହି ଚିକିତ୍ସିତ ହେଉଥିବା ବେଳେ ଅଗଷ୍ଟ ୨୮ ତାରିଖରେ ମୃତ୍ୟୁ ହୋଇଥିଲା। ଶେଷକୃତ୍ୟ ପରେ ମୃତକଙ୍କ ସ୍ବାବ୍‌ ରିପୋର୍ଟ ପଜିଟିଭ୍ ଆସିଥିଲା। ସେପଟେ ଶେଷକୃତ୍ୟରୁ ଫେରିବା ପରେ ହିଁ ସାନ ଓ ମଝିଆ ପୁଅ ଅସୁସ୍ଥ ହୋଇ ପଡ଼ିଥିଲେ। ସ୍ବାବ୍‌ ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିବା ପରେ ଉଭୟ ଜେକେପୁର କୋଭିଡ୍ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ମଝିଆ ପୁଅଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ଡାକ୍ତର ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର କୋଭିଡ୍ ହସ୍‌ପିଟାଲକୁ ସ୍ଥାନାନ୍ତର କରିଥିଲେ। ଅନ୍ୟପକ୍ଷରେ ଗତକାଲି ବଡ଼ ପୁଅ ଦାରୁବ୍ରହ୍ମ କୋଭିଡ୍ ସଂକ୍ରମିତ ହେବା ପରେ ଜେକେପୁରରେ ଭର୍ତ୍ତି ହୋଇଥିଲେ। ରାତିରେ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଦେଖା ଦେବାରୁ ଡାକ୍ତର ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରିଥିଲେ। ଆଜି ସକାଳ ସାଢ଼େ ୧୦ଟାରେ ଭୁବନେଶ୍ବରର ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ବଡ଼ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ବ୍ରହ୍ମପୁରରେ ଚିକିତ୍ସାଧୀନ ଥିବା ମଝିଆ ପୁଅଙ୍କ ସାଢ଼େ ୧୧ଟାରେ ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର