ସୋନ ନଦୀରେ ଗାଧୋଇବା ବେଳେ ଅଘଟଣ : ସ୍ତ୍ରୀ ସମ୍ମୁଖରେ ବୁଡ଼ିଗଲେ ସ୍ବାମୀ ଓ ପୁଅ

ସ୍ଥାନୀୟ ଲୋକେ ଉଦ୍ଧାର କରିବା ବେଳକୁ ଉଡ଼ିଯାଇଥିଲା ପ୍ରାଣବାୟୁ, ଅଗ୍ନିଶମ ବିଭାଗ ଓ ଆମ୍ବୁଲାନ୍ସକୁ ଯୋଗାଯୋଗ ହୋଇପାରିଲାନି

ଉଦଳା : ଉଦଳା ଅଂଚଳରେ ‘ଫନି’ର ପ୍ରଭାବ ସେମିତି ପଡ଼ିନଥିବାବେଳେ ଆଜି ହଠାତ୍‌ ଏକ ଦୁଃଖଦ ଖବର ସାରା ସହରକୁ ସ୍ତବ୍‌ଧ କରି ଦେଇଛି। ନଦୀରେ ଗାଧୋଇବା ବେଳେ ସ୍ତ୍ରୀ ସମ୍ମୁଖରେ ବୁଡ଼ିଯାଇଛନ୍ତି ସ୍ବାମୀ ଓ ପୁଅ। ନିମିଷକ ମଧ୍ୟରେ ଉଜୁଡ଼ି ଯାଇଛି ଏକ ହସଖୁସିର ପରିବାର।

‘ଫନି’ ପ୍ରଭାବରେ ଉଦଳାରେ ବିଦ୍ୟୁତ ସେବା ବନ୍ଦ ଥିବା କାରଣରୁ ଆଜି ପାଣି ଆସୁ ନଥିଲା। ତେଣୁ ପରିବାର ସହ ଗାଧୋଇବା ପାଇଁ ନିକଟସ୍ଥ ସୋନ ନଦୀକୁ ଯାଇଥିଲେ ଉଦଳା ଏନ୍‌ଏସିର ୬ନଂ ୱାର୍ଡ ବାସିନ୍ଦା ଭବାନୀ ଶଙ୍କର ପାତ୍ର (୪୨)। ସକାଳ ପ୍ରାୟ ୯ଟା ସମୟରେ ସ୍ତ୍ରୀ ଓ ଏକମାତ୍ର ପୁଅ ଭଗତ(୧୧) ସହ ଉଦଳା-ରାଢ଼ ରାସ୍ତା ସୋନ ନଦୀର ଜିରିଡ଼ା ଘାଟକୁ ସେ ଗାଧୋଇବାକୁ ଯାଇଥିଲେ। ହେଲେ ନଦୀରେ ଗାଧୋଉଥିବା ବେଳେ ପୁଅ ଭଗତର ଗୋଡ଼ ଖସିଯାଇଥିଲା। ପୁଅ ପାଣିରେ ବୁଡ଼ିଯାଉଥିବା ଦେଖି ବାପା ଭବାନୀ ପୁଅକୁ ଉଦ୍ଧାର କରିବା ପାଇଁ ପାଣିକୁ ଡିଆଁ ମାରିଥିଲେ। ହେଲେ ପୁଅ ସହ ବାପା ବି ନଦୀ ସୁଅରେ ଭାସି ଯାଇଥିଲେ। କୂଳରେ ଥିବା ସ୍ତ୍ରୀ ଉପାୟଶୂନ୍ୟ ହୋଇ ପାଟି କରିବାରୁ ସ୍ଥାନୀୟ ଲୋକ ଧାଇଁ ଆସି ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ। ଦୁର୍ଭାଗ୍ୟକୁ ବିଦ୍ୟୁତ୍‌ ଓ ମୋବାଇଲ ସେବା ନ ଥିବା କାରଣରୁ ଅଗ୍ନିଶମ ବିଭାଗ କିମ୍ବା‌ ଆମ୍ବୁଲାନ୍ସ କାହାକୁ ବି ଶୀଘ୍ର ଯୋଗାଯୋଗ ‌ହୋଇପାରି ନଥିଲା। ଇତିମଧ୍ୟରେ ସ୍ଥାନୀୟ ଲୋକେ ପ୍ରଥମେ ବାପା ଏବଂ ପରେ ପୁଅକୁ ଉଦ୍ଧାର କରିଥିଲେ। କେହି ଆସି ଖବର ଦେବା ପରେ ଦମକଳ ବାହିନୀ ପହଂଚି ଉଭୟଙ୍କୁ ଡାକ୍ତରଖାନାକୁ ଆଣିଥିଲା। ହେଲେ ସେଠାରେ ପହଞ୍ଚିବା ବେଳକୁ ଦୁଇ ଜଣଙ୍କ ମୃତ୍ୟୁ ହୋଇ ସାରିଥିଲା।

ଏହି ଘଟଣା ପ୍ରଚାରିତ ହେବାକ୍ଷଣି ଡାକ୍ତରଖାନା ପରିସର ଲୋକାରଣ୍ୟ ହୋଇପଡ଼ିଥିଲା। ‌ବାପପୁଅଙ୍କ ଏଭଳି ଅକାଳ ମୃତ୍ୟୁ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଥିଲା। ଉଦଳା ପୁଲିସ ଘଟଣାର ତଦନ୍ତ ପୂର୍ବକ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଦୁଇଟି ମୃତ ଦେହକୁ ଉଦଳା ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିଛି। ମୃତ ଭବାନୀ ଶଙ୍କର ଉଦଳା ଏନ୍‌ଏସିର ୬ ନଂ ୱାର୍ଡର ଅବସରପ୍ରାପ୍ତ ଶିକ୍ଷକ ଅନାଦି ପାତ୍ରଙ୍କ ଏକମାତ୍ର ପୁଅ। ସେ କପ୍ତିପଦା ବ୍ଲକର ଗଡ଼ିଆପାଳ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ବେଳେ ପୁଅ ଭଗତ ଉଦଳା ଶ୍ରୀଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ୫ମ ଶ୍ରେଣୀରେ ପଢ଼ୁଥିଲେ।

ସମ୍ବନ୍ଧିତ ଖବର