ପୋଲସରା : ଗଞ୍ଜାମ ଜିଲ୍ଲା ପୋଲସରା ଏନ୍‌ଏସି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଶେଷ ହୋଇଛି। ହେଲେ, ଦୁଇ ନମ୍ବର ୱାର୍ଡରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ କାଉନ୍‌ସିଲର୍‌ ପାଇଁ ଉଭୟ ବାପା-ପୁଅ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବାପା ବିଜେପିରୁ ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ପୁଅ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି। ଯାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି।

Advertisment

publive-image

ସୂଚନା ଅନୁସାରେ, ଦୁର୍ଯ୍ୟୋଧନ ସାହୁ କାଉନସିଲ୍ ପଦବି ପାଇଁ ବିଜେପିରୁ ନାମାଙ୍କନ ଦାଖଲ କରିଛନ୍ତି। ତାଙ୍କ ପତ୍ନୀ ପୋଲସରା ଏନ୍‌ଏସିର ପ୍ରଥମ ମହିଳା ଅଧ୍ୟକ୍ଷା ଥିଲେ। ଦୁର୍ଯ୍ୟୋଧନ ସାଂସଦ ପ୍ରତିନିଧି ଭାବେ ପୂର୍ବରୁ ଦାୟିତ୍ବ ତୁଲାଇଥିବା ବେଳେ ରାଣୀପଡ଼ାରୁ ଏକାଧିକ ଥର କାଉନସିଲର୍ ଭାବେ ନିର୍ବାଚିତ ହୋଇଛନ୍ତି। ଦୁର୍ଯ୍ୟୋଧନଙ୍କ ବିପକ୍ଷରେ ତାଙ୍କ ପୁଅ ଅନୀଲ୍‌ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି। ଉଭୟ ଆଜି ନାମାଙ୍କନ ଦାଖଲ କରିଥିବା ସୂଚନା ମିଳିଛି। ଫଳରେ, ରାଜନୀତିରେ ଅଭିଜ୍ଞସଂପନ୍ନ ବାପା ଓ ନବାଗତ ପୁଅ ମଧ୍ୟରେ ଦମ୍‌ଦାର ଲଢ଼େଇ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ସୌଦାମିନୀ ସାହୁ ତିନିନମ୍ବର ୱାର୍ଡ଼ରୁ ବିଜେପି ପ୍ରାର୍ଥୀଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।