ସମ୍ବଲପୁର : ସମ୍ବଲପୁର ଶାସନ ଥାନା ମହୁଲମୁଣ୍ଡା ଠାରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାପ-ପୁଅଙ୍କର ମୃତ୍ୟୁ ଘଟିଛି। ମାଝିପାଲି ସଡ଼ାସିଂହାର ଝସକେତନ ଛଞ୍ଚାଣ(୫୦) ଓ ତାଙ୍କ ପୁଅ ଉଦୟ ଛଞ୍ଚାଣ(୧୧)ଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ଘଟିଛି।
ମିଳିଥିବା ସୂଚନା ଅନୁଯାୟୀ, ଝସକେତନ ଓ ଉଦୟ ଏକ ସ୍କୁଟି(ଓଡି ୧୫ଏମ୍ ୭୧୬୪)ରେ ତାଙ୍କର ଜଣେ ସମ୍ପର୍କୀୟଙ୍କ ବାହାଘରରେ ଯୋଗ ଦେବାକୁ ଟିଠେଇପାଲି ଯାଉଥିଲେ। ମହୁଲମୁଣ୍ଡା ନିକଟରେ ଏକ ଚିପ୍ସ ବୋଝେଇ ଟ୍ରାକ୍ଟର(ଓଡି ୧୫ ୪୦୯୬) ସାମ୍ନାପଟୁ ଧକ୍କା ଦେଇଥିଲା। ଉଭୟେ ଗୁରୁତର ଆହତ ହୋଇ ସେଠାରେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବୁର୍ଲା ଡାକ୍ତରଖାନାକୁ ନେଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।
ଏ ନେଇ ଜଗଦୀଶ ଛଞ୍ଚାଣ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ୨ଟି ଗାଡ଼ିକୁ ଜବତ କରିବା ସହ ପୁଲିସ ଟ୍ରାକ୍ଟର ମାଲିକଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ଉଦୟ ଛଞ୍ଚାଣ ଜଣେ ମେଧାବୀ ଛାତ୍ର ଥିଲେ। ମାଝୀପାଲି ସରକାରୀ ୟୁଜିଏମ୍ଇ ବିଦ୍ୟାଳୟରେ ସେ ୫ମ ଶ୍ରେଣୀରେ ପଢ଼ୁଥିଲେ। ସେ ଗୁରୁବାର ବିଦ୍ୟାଳୟକୁ ମଧ୍ୟ ଯାଇଥିଲେ।