ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ଘଟଣା : ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର ହେଲେ ପାଠକ ବାପ-ପୁଅ

ଦୁଇଟି ମାମଲାରେ ଯୋଡ଼ିଲା ପୁଲିସ, ଉଭୟଙ୍କୁ ଦିନିକିଆ ରିମାଣ୍ଡ ମଞ୍ଜୁର

ବ୍ରହ୍ମପୁର : ଟାଟା ମୋଟର୍ସରେ ଚାକିରି ନାଁରେ ଟଙ୍କା ଠକେଇ ଘଟଣାରେ ଆଜି ଆଇଏଫ୍‌ଏସ୍‌ ଅଧିକାରୀ ଅଭୟ ପାଠକ ଓ ପୁଅ ଆକାଶ ପାଠକଙ୍କୁ ବ୍ରହ୍ମପୁର ଏସ୍‌ଡିଜେଏମ୍‌ ଜିତେନ୍ଦ୍ରୀୟ ପାଣିଗ୍ରାହୀଙ୍କ କୋର୍ଟରେ ହାଜର କରାଯାଇଛି। ବ୍ରହ୍ମପୁର ପୁଲିସର ଏକ ଟିମ୍‌ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଉଭୟ ବାପ-ପୁଅଙ୍କୁ ଆଜି ସକାଳୁ ଭୁବନେଶ୍ବରସ୍ଥିତ ଝାରପଡ଼ା ଜେଲ୍‌ରୁ ବ୍ରହ୍ମପୁର ଆଣିଥିଲା। ଅପରାହ୍ଣ ପ୍ରାୟ ୨ଟା ୧୫ମିନିଟ୍‌ରେ ଉଭୟଙ୍କୁ କୋର୍ଟରେ ହାଜର କରିବା ପରେ ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ୩ଟି ଠକେଇ ମାମଲା ମଧ୍ୟରୁ ଦୁଇଟି ମାମଲାରେ ଉଭୟଙ୍କୁ ଯୋଡ଼ାଯାଇଥିଲା। ଏହାପରେ ଉଭୟଙ୍କୁ ମଣ୍ଡଳ କାରାଗାରକୁ ନିଆଯାଇଥିଲା। ୩ ଦିନ ପାଇଁ ଉଭୟ ବ୍ରହ୍ମପୁର ମଣ୍ଡଳ କାରାଗାରରେ ରହିବେ ବୋଲି ଜଣାପଡ଼ିଛି। ଅନ୍ୟପଟେ ଉଭୟଙ୍କୁ ଦିନିକିଆ ରିମାଣ୍ଡରେ ନେବା ପାଇଁ କୋର୍ଟ ଗୋଳନ୍ଥରା ଥାନା ପୁଲିସକୁ ଅନୁମତି ପ୍ରଦାନ କରିଥିବା ଜଣାପଡ଼ିଛି।

ଟାାଟା ମୋଟର୍ସରେ ଚାକିରି ନାଁରେ ଠକେଇ ଘଟଣାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ ହୋଇଛନ୍ତି। ତାଙ୍କ ନାମରେ ଗୋଳନ୍ଥରା ଥାନାରେ ୩ଟି ଠକେଇ ମାମଲା ରୁଜୁ ହୋଇଛି। ଏହି ମାମଲାରେ ପୁଲିସ ବିଧାୟକଙ୍କୁ ଜଡ଼ିତ କରିସାରିଛି। ଏବେ ଆଇଏଫ୍‌ଏସ୍ ଅଭୟ ଓ ପୁଅ ଆକାଶଙ୍କୁ ମଧ୍ୟ ପୁଲିସ ଏହି ମାମଲାରେ ଛନ୍ଦିଛି। ଠକେଇ ମାମଲାରେ ବାପ-ପୁଅଙ୍କୁ ଜଡ଼ିତ କରିବା ପାଇଁ ଆଜି କଡ଼ା ସୁରକ୍ଷା ବଳୟରେ ଉଭୟଙ୍କୁ ବ୍ରହ୍ମପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। ଜିଆର୍‌-୨୨୨୫/୨୦ରେ ଉଭୟ ବାପ-ପୁଅଙ୍କୁ ଜଡ଼ିତ କରାଯାଇଥିବାବେଳେ ଜିଆର୍‌-୬୨/୨୧ରେ କେବଳ ଆକାଶଙ୍କୁ ଜଡ଼ିତ କରାଯାଇଛି।

ପାଠକ ବାପ-ପୁଅଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଦୀପକ ପଟ୍ଟନାୟକ, ଅସିତ ଶତପଥୀ ଓ ସୁଜାତା ପାଣିଗ୍ରାହୀ ମକଦ୍ଦମା ପରିଚାଳନା କରିଥିଲେ। ଆଇନଜୀବୀ ଶ୍ରୀମତୀ ପାଣିଗ୍ରାହୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଅଯଥାରେ ପୁଲିସ ଏହି ମାମଲାରେ ଆଇଏଫ୍‌ଏସ୍‌ ଅଭୟ ଓ ତାଙ୍କ ପୁଅଙ୍କୁ ଯୋଡ଼ିଛି। ତାଙ୍କ ନାମରେ କୌଣସି ଏତଲା ହୋଇନାହିଁ। ବିଧାୟକ ପ୍ରଦୀପ ଓ ଅଭୟଙ୍କ ମଧ୍ୟରେ କୌଣସି ଆର୍ଥିକ କାରବାର ମଧ୍ୟ ହୋଇନାହିଁ କି ଏହାର କୌଣସି ପ୍ରମାଣ ନାହିଁ। ବିଧାୟକ ପ୍ରଦୀପଙ୍କ ପରିବାରବର୍ଗଙ୍କୁ ବଦ୍‌ନାମ କରିବା ପାଇଁ ଷଡ଼୍‌ଯନ୍ତ୍ର କରାଯାଉଛି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର