ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ଘଟଣା : ଝାରପଡ଼ା ଫେରିଲେ ପାଠକ ବାପ-ପୁଅ

ବ୍ରହ୍ମପୁର : ତିନି ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ ଆଜି ଆଇଏଫ୍‌ଏସ୍‌ ଅଧିକାରୀ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକ ଭୁବନେଶ୍ବରସ୍ଥିତ ଝାରପଡ଼ା ଜେଲ୍‌କୁ ଫେରିଛନ୍ତି। ଟାଟା ମୋଟର୍ସରେ ଚାକିରି ନାଁରେ ଟଙ୍କା ଠକେଇ ଘଟଣାରେ ଛନ୍ଦି ହୋଇଥିବା ପାଠକ ବାପ-ପୁଅଙ୍କୁ ସୁରକ୍ଷାବଳୟ ମଧ୍ୟରେ ବ୍ରହ୍ମପୁର କାରାଗାରରୁ ଝାରପଡ଼ା ଜେଲ୍‌କୁ ପଠାଯାଇଛି। ରବିବାର ପୂର୍ବାହ୍ମ ସାଢ଼େ ୯ଟା ବେଳେ ପୁଲିସ ଟିମ୍ ମଣ୍ଡଳ କାରାଗାରକୁ ନେଇ ଉଭୟଙ୍କ କୋଭିଡ଼ ପରୀକ୍ଷା କରିଥିଲେ। ସେଠାରୁ ଭୁବନେଶ୍ବର ନିଆଯାଇଥିଲା।

ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ଘଟଣାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ପୂର୍ବରୁ କ୍ରାଇମ୍‌ବ୍ରାଞ୍ଚ ଦ୍ବାରା ଗିରଫ ହୋଇଛନ୍ତି। ତାଙ୍କ ନାମରେ ଗୋଳନ୍ଥରା ଥାନାରେ ମଧ୍ୟ ୩ଟି ଠକେଇ ମାମଲା ରୁଜୁ ହୋଇଛି। ଏହି ମାମାଲାରେ ପୁଲିସ ବିଧାୟକଙ୍କୁ ଜଡ଼ିତ କରିସାରିଛି। ଏହି ଠକେଇ ମାମଲାରେ ପୁଲିସ ଆଇଏଫ୍‌ଏସ୍ ଅଭୟକାନ୍ତ ଓ ପୁଅ ଆକାଶଙ୍କୁ ମଧ୍ୟ ଯୋଡ଼ିଛି। ଗତ ୧୧ତାରିଖରେ ବ୍ରହ୍ମପୁର ପୁଲିସର ଏକ ଟିମ୍‌ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ବର ଯାଇଥିଲା। ଝାରପଡ଼ା ଜେଲ୍‌ରୁ ଉଭୟ ବାପ-ପୁଅଙ୍କୁ ଆଣି ବ୍ରହ୍ମପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। ଜିଆର୍‌-୨୨୨୫/୨୦ରେ ଉଭୟ ବାପା-ପୁଅଙ୍କୁ ଜଡ଼ିତ କରାଯାଇଥିବା ବେଳେ ଜିଆର୍‌-୬୨/୨୧ରେ କେବଳ ଆକାଶଙ୍କୁ ଜଡ଼ିତ କରାଯାଇଥିଲା। ପାଠକ ବାପ-ପୁଅଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଦୀପକ ପଟ୍ଟନାୟକ, ଅସିତ ଶତପଥୀ ଓ ସୁଜାତା ପାଣିଗ୍ରାହୀ ମକଦ୍ଦମା ପରିଚାଳନା କରିଥିଲେ।

ଏହି ଠକେଇ ମାମଲାରେ ଅଧିକ ପଚରାଉଚରା ପାଇଁ ୧୨ତାରିଖ ଦିନ ଗୋଳନ୍ଥରା ଥାନା ପୁଲିସ ଉଭୟ ବାପ-ପୁଅଙ୍କୁ ରିମାଣ୍ଡରେ ନେଇଥିଲା। ଗତକାଲି ରିମାଣ୍ଡ ଅବଧି ସରିବା ପରେ ଉଭୟଙ୍କୁ ପୁଣିଥରେ ମଣ୍ଡଳ କାରାଗାରକୁ ନିଆଯାଇଥିଲା। ପ୍ରକାଶ ଥାଉକି ଝାରପଡ଼ା ଜେଲ୍‌ରୁ ବ୍ରହ୍ମପୁର ଆଣିବା ପାଇଁ ଭୁବନେଶ୍ବର ଏସ୍‌ଡିଜେଏମ୍‌ ୩ଦିନ ଅନୁମତି ପ୍ରଦାନ କରିଥିଲେ। ଗତକାଲି ଏହି ୩ଦିନିଆ କୋର୍ଟ ରିମାଣ୍ଡ ସମାପ୍ତ ହେବା ପରେ ଆଜି ଉଭୟ ବାପ-ପୁଅଙ୍କୁ ପୁଣିଥରେ ଝାରପଡ଼ା ଜେଲ୍‌କୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର