ମୃତ ଦର୍ଶାଇଥିବା ମହିଳା ଜୀବିତ ଘଟଣା : କୋର୍ଟଙ୍କ ନିର୍ଦ୍ଦେଶ ପରେ ଜେଲ୍‌ରୁ ମୁକୁଳିଲେ ବାପ-ପୁଅ

ନିରପେକ୍ଷ ତଦନ୍ତ ପାଇଁ ଜିଲ୍ଲା ପୁଲିସ ଅଧୀକ୍ଷକଙ୍କୁ କୋର୍ଟର ନିର୍ଦ୍ଦେଶ

ରାଇରଙ୍ଗପୁର : ରାଇରଙ୍ଗପୁର ଏସଡିଜେଏମ୍‌ କୋର୍ଟର ନିର୍ଦ୍ଦେଶ ପରେ ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନାର ଏକ ହତ୍ୟା ମାମଲାରେ ଛନ୍ଦି ହୋଇ ପଡ଼ିଥିବା ନିର୍ଦ୍ଦୋଷ ବାପ ପୁଅ ଆଜି ସକାଳେ ରାଇରଙ୍ଗପୁର ଉପ-କାରାଗାରରୁ ମୁକୁଳିଛନ୍ତି। ପୁଲିସର ଖାମଖିଆଲି ତଦନ୍ତ ଓ ଦାୟିତ୍ବହୀନତା ଯୋଗୁ ପୁରୁଣାପାଣି ଗ୍ରାମର ପୁଅ ସଂଜୟ ନାଏକ ଓ ବାପା ମଙ୍ଗଲ ନାଏକ ନିର୍ଦ୍ଦୋଶ ଥାଇ ବି ହତ୍ୟାକାରୀ ସଜି ୩ ମାସ ଜେଲ୍‌ ଜୀବନ କାଟିବାକୁ ବାଧ୍ୟ ହୋଇଥିଲେ। ଶେଷରେ ବାଦାମପାହାଡ଼ ଥାନାଧିକାରୀଙ୍କ ଭୁଲ୍‌ ସାମ୍ନାକୁ ଆସିଥିଲା। ଏହାପରେ ପୁଲିସ ଘଟଣାର ପୁନଃତଦନ୍ତରେ ଲାଗି ପଡ଼ିଛି। ସେପଟେ ଜେଲ୍‌ରୁ ମୁକୁଳିବା ପରେ ଉଭୟ ବାପା ପୁଅ ଆଜି ବାଦାମପାହାଡ଼ ଥାନାଧିକାରୀଙ୍କ କଳା କାରନାମା ନେଇ ମୁହଁ ଖୋଲିଛନ୍ତି। ୭ ଦିନ କାଳ ଥାର୍ଡ ଡିଗ୍ରୀ ପ୍ରୟୋଗ କରି ହତ୍ୟା ଅଭିଯୋଗକୁ ନିଜ ମୁଣ୍ଡକୁ ନେଇଯିବାକୁ ଉକ୍ତ ପୁଲିସ ବାବୁ ଜଣଙ୍କ ଚାପ ପ୍ରୟୋଗ କରିଥିଲେ ବୋଲି କହିଛନ୍ତି ବାପ ପୁଅ। ଏଥିସହ ଜୀବନରୁ ମାରି ଦେବା ଭୟ ଦେଖାଇ ହତ୍ୟା ଅଭିଯୋଗର ସ୍ବୀକାରୋକ୍ତି ଯୋଗାଡ଼ କରିଥିଲେ ବୋଲି କହିଛନ୍ତି। ଏହି ଅଭିଯୋଗ ପରେ ପାହାଡ଼ପୁର ଜଙ୍ଗଲରୁ ଉଦ୍ଧାର ହୋଇଥିବା ଅର୍ଦ୍ଧଦଗ୍ଧ ମହିଳାଙ୍କ ହତ୍ୟାକାଣ୍ଡକୁ ନେଇ ସ୍ଥାନୀୟ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି।

ସେପଟେ ଏଭଳି ଏକ ସମ୍ବେଦନଶୀଳ ଘଟଣାର ତଦନ୍ତରେ ଭୁଲ ପାଇଁ ରାଇରଙ୍ଗପୁର ଏସଡିଜେଏମ୍‌ କୋର୍ଟ ତଦନ୍ତକାରୀ ଅଧିକାରୀ ଶଶଧର ସେଠୀଙ୍କୁ କୈଫତ୍ ତଲବ କରିଥିବା ବେଳେ ଆସନ୍ତା ୩୦ ତାରିଖ ସୁଦ୍ଧା କୋର୍ଟକୁ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଏହି ମାମଲାର ନିରପେକ୍ଷ ତଦନ୍ତ କରିବାକୁ ମାନ୍ୟବର କୋର୍ଟ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଅଦାଲତର ନିର୍ଦ୍ଦେଶ ପରେ ଆଜି ସକାଳରୁ ରାଇରଙ୍ଗପୁର ଅତିରିକ୍ତ ଏସପି ଅଶୋକ କୁମାର ପଟ୍ଟନାୟକ ବାଦାମପାହାଡ଼ ଥାନାକୁ ଯାଇ ଘଟଣାର ପୁନଃତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର