କେନ୍ଦୁଝର: କେନ୍ଦୁଝର ଚିଫ୍ ଜୁର୍ଡିସିଆଲ ମାଜିଷ୍ଟ୍ରେଟ୍ (ସିଜେଏମ୍) ରଞ୍ଜୁଲତା ଲେଙ୍କା ବୁଧବାରଏକ ମାର୍ପିଟ ମାମଲାର ଶୁଣାଣି କରି ହରମୋହନ ମହାନ୍ତ ଏବଂ ତାଙ୍କ ପୁଅ କାହ୍ନୁଚରଣ ମହାନ୍ତଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୪ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦାୟ ଅତିରିକ୍ତ ୬ ମାସ ଜେଲ୍ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି।
ଘଟଗାଁ ଥାନା ଶଗଡ଼ିଆ ଗ୍ରାମର ଦୀନବନ୍ଧୁ ମହାନ୍ତଙ୍କ ପୁଅ ରୋହିତ ମହାନ୍ତ ୨୦୧୬ ଅଗଷ୍ଟ ୧୬ ତାରିଖ ସନ୍ଧ୍ୟାରେ ହାଟରୁ ଫେରୁଥିବା ବେଳେ ଜମିଜମା ବିବାଦକୁ କେନ୍ଦ୍ରକରି ଅଭିଯୁକ୍ତ ହରମୋହନ ଓ ତାଙ୍କ ପୁଅ କାହ୍ନୁଚରଣ ତାଙ୍କ ଘର ସମ୍ମୁଖରେ ଅଟକାଇ ଠେଙ୍ଗାରେ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଏହା ପରେ ତାଙ୍କୁ ଘରକୁ ଘୋଷାରି ନେଇ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ରୋହିତଙ୍କ ପାଟି ଶୁଣି ତାଙ୍କ ମା’ ଲଳିତା ମହାନ୍ତ ଉଦ୍ଧାର କରିବାକୁ ଆସିଥିଲେ। ତାଙ୍କୁ ମଧ୍ୟ ବାପପୁଅ ଏବଂ ପରିବାରର ଅନ୍ୟ ସଦସ୍ୟମାନେ ମିଶି ଆକ୍ରମଣ କରିଥିଲେ।
ଲଳିତାଙ୍କ ମୁଣ୍ଡ ଫାଟିବା ସହ ଦାନ୍ତ ଭାଙ୍ଗି ଯାଇଥିଲା। ସ୍ତ୍ରୀ ଓ ପୁଅଙ୍କ ପାଟିଶୁଣି ଦୀନବନ୍ଧୁ ଆସିଥିଲେ। ସେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ଗୁରୁତର ଅବସ୍ଥାରେ ୩ଜଣଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏନେଇ ଦୀନବନ୍ଧୁ ଘଟଗାଁ ଥାନାରେ ଅଭିଯୋଗ କରିବା ପରେ ପୁଲିସ ନଂ. ୧୨୯/୧୬ରେ ଏକ ମାମଲା ରୁଜୁ କରି ହରମୋହନ ଓ କାହ୍ନୁଚରଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲେ। ୧୧ଜଣ ସାକ୍ଷୀଙ୍କ ବୟାନ ଓ ପୁଲିସର ତଦନ୍ତ ରିପୋର୍ଟକୁ ଆଧାର କରି କୋର୍ଟ ଉପରୋକ୍ତ ରାୟ ଦେଇଛନ୍ତି। ସରକାରୀ ଓକିଲ ଅଶୋକ କୁମାର ଦାସ ମାମଲା ପରିଚାଳନା କରିଥିଲେ।