ମୋବାଇଲ୍‌ ପାଇଁ ବାପା, ପୁଅଙ୍କ ଆତ୍ମହତ୍ୟା

ଧରାକୋଟ : ୨୪ ଘଣ୍ଟା ମୋବାଇଲ୍‌ରେ ମାତିବା ଛାଡ଼ି ପାଠପଢାରେ ମନ ଦେବାକୁ ପୁଅକୁ ତାଗିଦ୍‌ କଲେ ବାପା। ହେଲେ ଅବୁଝା ପୁଅ ଏହା ସହି ନପାରି ଶେଷରେ ଆତ୍ମହତ୍ୟା ପାଇଁ ପଦକ୍ଷେପ ନେଲା। ଆଉ ପୁଅର ମୃତ୍ୟୁରେ ଭାଙ୍ଗି ପଡ଼ି କ୍ଷଣକ ମଧ୍ୟରେ ବାପା ବି ଆତ୍ମହତ୍ୟାର ବାଟ ବାଛି ଜୀବନ ହାରି ଦେଲେ। ଗଂଜାମ ଜିଲ୍ଲା ଧରାକୋଟ ଥାନା କୁଶପଡ଼ା ଗ୍ରାମରେ ଏଭଳି ଦୁଃଖଦାୟକ ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିପକାଇଛି। ଗ୍ରାମର କଳ୍ପବଟ ପଣ୍ଡା (୨୨) ଓ ତାଙ୍କ ବାପା ରାଜେନ୍ଦ୍ର ପଣ୍ଡା (୫୬)ଙ୍କ ଏଭଳି ଚରମ ନିଷ୍ପତ୍ତି ଏକ ପରିବାରକୁ ସଂପୂର୍ଣ୍ଣ ବେସାହାରା କରି ଦେଇଛି।

ମିଳିଥିବା ସୂଚନାନୁସାରେ, କଳ୍ପବଟ ଆଇଟିଆଇ ପାସ୍‌ କରିଥିବା ବେଳେ ବର୍ତମାନ ସେ ଘରେ ରହୁଥିଲେ। ତେବେ ସବୁବେଳେ ସ୍ମାର୍ଟ ମୋବାଇଲ୍‌ରେ ସେ ଗେମ୍‌ ଖେଳିବା ସହ ଫେସ୍‌ବୁକ୍‌ ଓ ହ୍ଵାଟ୍‌ସଆପ୍‌ ଭଳି ସୋସିଆଲ୍‌ ମିଡ଼ିଆରେ ସାଙ୍ଗସାଥୀଙ୍କ ସହ ଚାଟିଂ କରୁଥିଲେ। ଏହା ଦେଖି ବାପା ରାଜେନ୍ଦ୍ର ତାଙ୍କ ଉପରେ ବିରକ୍ତି ଭାବ ପ୍ରକାଶ କରିବା ସହ ପଢାପଢି କରିବା ସହ ଭବିଷ୍ୟତ ଗଠନ ଓ ଚାକିରି ଖୋଜିବାକୁ ଧ୍ୟାନ ଦେବାକୁ କହୁଥିଲେ। କିନ୍ତୁ କଳ୍ପବଟଙ୍କ ସ୍ୱଭାବରେ ପରିବର୍ତନ ଆସି ନଥିଲା।

ଗତକାଲି ରାତି ୮ଟାରେ କଳ୍ପବଟ ମୋବାଇଲ୍‌ ଧରି ଦେଖୁଥିବା ବେଳେ ବାପା ତାଙ୍କୁ ଗାଳିଗୁଲଜ କରିଥିଲେ। ଏଥିରେ ଅଭିମାନ କରି କଳ୍ପବଟ ଘର ଛାଡ଼ି ପଳାଇଥିଲେ। ରାତିସାରା ପରିବାର ଲୋକେ ଖୋଜାଖୋଜି କରିଥିଲେ ବି କୌଣସି ସନ୍ଧାନ ମିଳି ନଥିଲା। ଆଜି ସକାଳେ ଗ୍ରାମବାସୀ ଗାଧୋଇବାକୁ ଋଷିକୁଲ୍ୟା ନଦୀପଠାକୁ ଯାଇଥିବା ବେଳେ ଏକ ପିଜୁଳି ଗଛରେ କଳ୍ପବଟଙ୍କ ଶବ ଝୁଲୁଥିବା ଦେଖିବାକୁ ମିଳିଥିଲା। ଏହି ଘଟଣା ପବନ ବେଗରେ ଗ୍ରାମରେ ପ୍ରଚାର ହେବା କ୍ଷଣି ବାପା ରାଜେନ୍ଦ୍ର ଓ ପରିବାର ଲୋକେ ସେଠାରେ ପହଞ୍ଚି ଯାଇଥିଲେ।

ପୁଅର ଶବକୁ ଦେଖି ରାଜେନ୍ଦ୍ର ଭୋ ଭୋ ହୋଇ କାନ୍ଦି ଉଠିଥିଲେ। କୋହ ସମ୍ଭରଣ କରି ନପାରି ଘଟଣାସ୍ଥଳରୁ ମାତ୍ର ୩୦ ମିଟର ଦୂରରେ ଥିବା ଏକ ପଣସ ଗଛରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ମୁର୍ମୂଷୁ ଅବସ୍ଥାରେ ରାଜେନ୍ଦ୍ରଙ୍କୁ ଗ୍ରାମବାସୀ ଆସିକା ଡାକ୍ତରଖାନା ନେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ପୁଲିସ ପହଞ୍ଚି ଉଭୟଙ୍କ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

ଗ୍ରାମବାସୀଙ୍କ କହିବାନୁସାରେ, ରାଜେନ୍ଦ୍ର ଜଣେ ସ୍ୱାଭିମାନୀ ଓ ସରଳ ମଣିଷ ଥିଲେ। ଜେଲ୍‌ ବିଭାଗରେ ସେ ଚାକିରି କରୁଥିବା ବେଳେ ନିଜ ଶାଶୁଙ୍କ ଅନ୍ତ୍ୟେଷ୍ଟ୍ରି କ୍ରିୟାରେ ଯୋଗ ଦେବା ପାଇଁ ଛୁଟି ନିମିଳିବାରୁ ସେ ଇସ୍ତଫା ଦେଇ ଥିଲେ। ତେବେ ରାଜେନ୍ଦ୍ରଙ୍କ ଏଭଳି ନିଷ୍ପତ୍ତିକୁ ଗ୍ରାମବାସୀ ସହଜରେ ଗ୍ରହଣ କରିପାରୁନାହାନ୍ତି। ପୁଅର ମୃତ୍ୟୁ ପାଇଁ ତାଙ୍କୁ କିଏ କାଳେ ଅଙ୍ଗୁଳି ଦେଖାଇବ, ଏହାକୁ ମନରେ ରଖି ସେ ଆତ୍ମହତ୍ୟା ଭଳି ପଦକ୍ଷେପ ନେଇ ଥିବା ଚର୍ଚ୍ଚା ହେଉଛି। ଘରେ ବର୍ତମାନ ପତ୍ନୀ ଓ ପୁଅ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର