ବୈପାରିଗୁଡ଼ା: ପତ୍ନୀର ମୃତ୍ୟୁ ପରେ ୩ ମାସର ଶିଶୁକନ୍ୟାକୁ ବଞ୍ଚାଇବା ପାଇଁ ପ୍ରଶାସନ ନିକଟରେ ବାପାଙ୍କ ଆକୁଳ ନିବେଦନ। ମାଆ କ୍ଷୀର ନପାଇ ଛୁଆଟି କଣ୍ଟା ହେବାକୁ ବସିଲାଣି। ଅନ୍ୟ ଦିଗରେ ଛୁଆର ଯତ୍ନ ନେବାକୁ କେହି ନାହାନ୍ତି। କାମକୁ ନ ଗଲେ ପରିବାର ଲୋକେ ଭୋକ ଉପାସରେ ରହିବେ। ଗୋଟିଏ ଦିଗରେ ଛୁଆର ଦଜଖାରଖା ଏବଂ ଅନ୍ୟ ଦିଗରେ ରୋଜଗାରର ବାଧ୍ୟବାଧ୍ୟକତା ମଧ୍ୟରେ ପେଷି ହୋଇଗଲେଣି ହରିବନ୍ଧୁ କରଲିଆ। ଏବେ ସେ ଉପାୟହୀନ ହୋଇ ପ୍ରଶାସନ ନିକଟରେ ଆକୁଳ ନିବେଦନ କରିଛନ୍ତି ଛୁଆଟିକୁ ବଞ୍ଚେଇବା ପାଇଁ।
କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଜି. ମାଝୀଗୁଡା ପଞ୍ଚାୟତର ଖେମାବେଡା ଗ୍ରାମରେ ହରିବନ୍ଧୁ କରଲିଆଙ୍କ ଘର। ପ୍ରଥମ ପତ୍ନୀଙ୍କ ଔରସରୁ ଦୁଇଟି ପୁଅ ଓ ଦୁଇଟି ଝିଅ ରହିଥିବା ବେଳେ ପ୍ରଥମ ପତ୍ନୀଙ୍କର ମୃତ୍ୟୁ ହୋଇଯାଇଥିଲା। ସେତେବେଳକୁ ସବା ସାନ ଝିଅର ବୟସ ମାତ୍ର ଦୁଇ ବର୍ଷ। ଏଭଳି ପରିସ୍ଥିତିରେ ହରିବନ୍ଧୁଙ୍କର ବୁଢୀମା ଦୁଇ ବର୍ଷର ଶିଶୁଟିର ଲାଳନପାଳନ ଦାୟିତ୍ଵ ନିଜେ ନେଇଥିଲେ।
ତେବେ ବୟସାଧିକ କାରଣରୁ ସେ ଆଉ ଶିଶୁଟିର ଯତ୍ନ ନେଇପାରିଲେ ନାହିଁ। ତେଣୁ ଘର ଏବଂ ପିଲାଙ୍କର କଥା ବୁଝିବା ପାଇଁ ଦ୍ବିତୀୟ ବିବାହ କରିବାକୁ ପରାମର୍ଶ ଦେଲେ। ମାଆଙ୍କ ପରାମର୍ଶ ଅନୁଯାୟୀ ହରିବନ୍ଧୁ ଦ୍ବିତୀୟ ପତ୍ନୀ ଗ୍ରହଣ କରିଥିଲେ। କିନ୍ତୁ ଭାଗ୍ୟ ବୋଧେ ହରିବନ୍ଧୁଙ୍କ ସପକ୍ଷରେ ନଥିଲା। ଦ୍ବିତୀୟ ପତ୍ନୀ ଗର୍ଭବତୀ ହେବା ସହ ଗୁରୁତର ଭାବେ ଅସୁସ୍ଥ ହୋଇପଡିଲେ। ଚିକିତ୍ସା ପାଇଁ କୋରାପୁଟ ବଡ଼ ମେଡ଼ିକାଲକୁ ଯିବା ପରେ ସେ ରକ୍ତହୀନତା ରୋଗର ଶିକାର ହୋଇଥିବା ଜଣାପଡ଼ିଲା।
ତେବେ ଅର୍ଥ ଅଭାବ ଯୋଗୁଁ ଚିକିତ୍ସା କରିନପାରି ଘରକୁ ଫେରାଇ ଆଣିଥିଲେ। ସେ ଶିଶୁ କନ୍ୟାଟିଏ ଜନ୍ମ ଦେବା ପରେ ପ୍ରାୟ ମାସକ ପରେ ମୃତ୍ୟୁମୁଖରେ ପଡ଼ିଲେ। ହରିବନ୍ଧୁଙ୍କ ବୁଢୀମା ଏକ ମାସର ଶିଶୁକୁ କୋଳେଇ ନେଇଥିଲେ ମଧ୍ୟ ଠିକ୍ ଭାବେ ଯତ୍ନ ନେଇ ପାରୁନଥିଲେ। ମାଆ ଖିର ନପାଇ ଶିଶୁଟିର ସ୍ବାସ୍ଥ୍ୟରେ ଅବନ୍ନତି ଦେଖାଗଲା। ବଜାରରୁ ଖିର ଗୁଣ୍ଡ ନେଇ ଶିଶୁଟିକୁ ପିଆଇଲେ ମଧ୍ୟ ଶିଶୁଟି ଧିରେଧିରେ ଦୁର୍ବଳ ହେବାକୁ ବସିଲାଣି। ବୁଢୀମା ବୃଦ୍ଧାବସ୍ଥାରେ ଶିଶୁର ଦେଖାରଖା କରିବା ସହଜ ହୋଇପାରୁନାହିଁ। ଏଭଳି ପରିସ୍ଥିତିରେ ଶିଶୁଟିର ଜୀବନ ରକ୍ଷା ପାଇଁ ତାଙ୍କ ହାତରେ କୈାଣସି ବିକଳ୍ପ ବ୍ୟବସ୍ଥା ନଥିବାରୁ ସରକାରଙ୍କ ନିକଟରେ ସାହାଯ୍ୟ ଭିକ୍ଷା କରିଛନ୍ତି। ଶିଶୁଟିର ଜୀବନ ରକ୍ଷା ପାଇଁ ସରକାର ଏବଂ ପ୍ରଶାସନ ପଦକ୍ଷେପ ନେବାପାଇଁ ଆକୁଳ ନିବେଦନ କରିଛନ୍ତି।