ଆଶା କରିଥିଲେ ପୁଅ, ହେଲା ଝିଅ: ରାକ୍ଷସ ପାଲଟିଲା ବାପା,୨୦ ଦିନର ଝିଅକୁ ବିଷ ଇଞ୍ଜେକ୍‌ସନ୍‌ ଦେଇ ହତ୍ୟା ଉଦ୍ୟମ

ନୀଳଗିରି: ରାକ୍ଷସ ସାଜିଲା ବାପା। ଝିଅ ଜନ୍ମ ହେବାରୁ ରାଗରେ ତାକୁ ହତ୍ୟା କରିବା ପାଇଁ ଖୋଜୁଥିଲା ସୁଯୋଗ। ଆସନ୍ତାକାଲି ଏକୋଇଶିଆ କାର୍ଯ୍ୟକ୍ରମ ପାଇଁ ଶ୍ବଶୁରଘରେ ସମସ୍ତେ ବ୍ୟସ୍ତ ଥିବା ବେ‌ଳେ ଆଜି ଝିଅକୁ ସେ କୀଟନାଶକ ଇଞ୍ଜେକ୍‌ସନ ଦେଇଦେଇଛନ୍ତି। ଜୀବନ କ’ଣ ଜାଣି ନଥିବା କଅଁଳା ଶିଶୁଟି ଏବେ ଡାକ୍ତରଖାନାରେ ଜୀବନ ଓ ମୃତ୍ୟୁ ସହ ସଂଗ୍ରାମ କରୁଛି। ଅନ୍ୟପଟେ ହୃଦୟହୀନ ବାପାକୁ ପୁଲିସ ଅଟକ ରଖିଛି। ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରେ।
ସୂଚନା ଥାଉକି ବର୍ଷେ ପୂର୍ବେ ବାଲେଶ୍ବର ମଲ୍ଲିକାଶପୁରର କାର୍ତ୍ତିକ ମହାର୍ଣ୍ଣାଙ୍କ ପୁଅ ଚନ୍ଦନ ମହାର୍ଣ୍ଣା ନୀଳଗିରି ବ୍ଲକ୍‌ ସିଙ୍ଗିରୀ ଗ୍ରାମର ତନ୍ମୟା ସିଂହଙ୍କୁ ବିବାହ କରିଥିଲେ। ଗତ ୯ ତାରିଖ ଦିନ ବାଲେଶ୍ବରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ତନ୍ମୟା ଜଣେ କନ୍ୟାସନ୍ତାନକୁ ଜନ୍ମ ଦେଇଥିଲେ।

ସେଠାରେ ୭ ଦିନ ରହିବା ପରେ ଝିଅକୁ ନେଇ ବାପଘରେ ଥିଲେ। ଆସନ୍ତାକାଲି ତା’ର ଏକୋଇଶିଆ ପାଳନ ପାଇଁ ଘରଲୋକ ବ୍ୟସ୍ତ ଥିଲେ। ଏପରି ସମୟରେ ଗତକାଲିଠାରୁ ଆସି ଶ୍ବଶୂରଘରେ ରହିଥିବା ଚନ୍ଦନ ଆଜି ସକାଳେ ସୁଯୋଗ ଦେଖି ଝିଅକୁ କୀଟନାଶକ ଇଞ୍ଜେକସନ୍‌ ଦେଇଦେଇଥିଲେ। ଫଳରେ ସେ ଜୋରରେ କାନ୍ଦିବାକୁ ଲାଗିଥିଲା। ତନ୍ମୟା ଦୌଡ଼ି ଆସି ସ୍ବାମୀ ଚନ୍ଦନ ହାତରେ ରକ୍ତ ଲାଗିଥିବା ଏବଂ ଝିଅର ବାମପଟ ବାହୁରୁ ରକ୍ତ ବାହାରୁଥିବା ଦେଖିଥିଲେ। ସେ ଘରଲୋକଙ୍କୁ ଏନେଇ ଜଣାଇଥିଲେ। ସମସ୍ତେ ମିଶି ଚନ୍ଦନଙ୍କୁ ଅଟକ ରଖିଥିଲେ ଏବଂ ଝିଅକୁ ତୁରନ୍ତ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନେଇଥିଲେ। ସେଠାରେ ତା’ର ଚିକିତ୍ସା ଚାଲିଥିବା ବେଳେ ସେ ଜୀବନ ଓ ମୃତ୍ୟୁ ସହ ସଂଗ୍ରାମ କରୁଛି।

ଅନ୍ୟପଟେ ଘଟଣା ସଂପର୍କରେ ତନ୍ମୟା ଓ ତାଙ୍କ ବାପା ଭାଗିରଥୀ ସଂହ ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି। ଫଳରେ ପୁଲିସ ଚନ୍ଦନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଛି। ତେବେ ଏହି ସମୟରେ ସେ ସବୁ ସତକଥା ମାନିଯାଇଥିବା ଜଣାପଡ଼ିଛି। ଚନ୍ଦନ ଘରେ ରଖିଥିବା ଭିଟା ଗୋଲ୍‌ଡ ନାମକ ଏକ କୀଟନାଶକ ଔଷଧ ଏବଂ ମିତ୍ରପୁର ବଜାରସ୍ଥିତ ଏକ ଔଷଧ ଦୋକାନରୁ ସିରିଞ୍ଜ କିଣି ନେଇ ଶ୍ବଶୁରଘରକୁ ଯାଇଥିଲେ। ଝିଅ ଜନ୍ମ ହେଉ ବୋଲି ସେ ଚାହୁଁ ନଥିଲେ। ଯେତେବେଳେ ଝିଅ ଜନ୍ମ ହେଲା ତାକୁ ମାରିବା ପାଇଁ ଚନ୍ଦନ ମନସ୍ଥ କରିଥିଲେ ବୋଲି ଥାନା ଏଏସ୍‌ଆଇ ଉତ୍ତମ ସିଂ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର