ରାଉରକେଲା: ୨୦୦୯ ମସିହାରେ ନିଜ ସ୍ତ୍ରୀକୁ ଅତି ନୃଶଂସ ଭାବେ ହତ୍ୟା କରିଥିଲା ସ୍ବାମୀ। ସେତେବେଳକୁ ବଡ଼ ପୁଅକୁ ୧୩ ବର୍ଷ, ସାନପୁଅକୁ ୧୧ ବର୍ଷ। ନିଜ ଆଖି ସାମନାରେ ଘଟିଥିବା ଏହି ହୃଦୟବିଦାରକ ଘଟଣାକୁ ଭୁଲି ପାରିନଥିଲା ସାନପୁଅ। ଏଣୁ ୧୪ ବର୍ଷ ଜେଲ୍‌ ଜୀବନ କାଟି ଫେରିଥିବା ବାପାକୁ ଲୁହା ନଳୀରେ ପିଟିପିଟି ହତ୍ୟା କରିଛି। ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଭାଲୁପତ୍ରା ଗାଁରେ ଏହି ଲୋମହର୍ଷଣକାରୀ ଘଟଣା ଇସ୍ପାତ ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

Advertisment

୨୦୦୯ ମସିହାର ଘଟଣା। ଝରାବସ୍ତିରେ ରହୁଥିବା କ୍ରାନ୍ତିକୁମାର ବର୍ମା (୬୦) ନିଜ ପତ୍ନୀଙ୍କୁ ହତ୍ୟା କରିଥିଲା। ସେତେବେ‌ଳକୁ ବଡ଼ପୁଅ ଶିବକୁ ୧୩ ଓ ସାନପୁଅ ବିଷ୍ଣୁକୁ ୧୧ ବର୍ଷ ହୋଇଥିଲା। ହତ୍ୟା ଅଭିଯୋଗରେ କ୍ରାନ୍ତିକୁମାର ଜେଲ୍‌ ଯାଇଥିଲା। ତେବେ ମା’ର ହତ୍ୟାକୁ ଭୁଲି ନପାରି ପ୍ରତିଶୋଧ ନେବାକୁ ସ୍ଥିର କରିଥିଲା ସାନପୁଅ ବିଷ୍ଣୁ। ପତ୍ନୀ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ସଜା କାଟୁଥିବା କ୍ରାନ୍ତିକୁମାର ଗତ ଡିସେମ୍ବର ମାସରେ ଜେଲ୍‌ରୁ ମୁକୁଳିଥିଲେ। ତେବେ ଘରକୁ ଫେରିବା ପରେ ମଧ୍ୟ କ୍ରାନ୍ତିକୁମାରଙ୍କ ଆଚରଣରେ କୌଣସି ପରିବର୍ତ୍ତନ ହୋଇନଥିଲା। ପୁଅ ବିଷ୍ଣୁକୁ ଅନେକ ସମୟରେ ମାଡ଼ପିଟ କରିବା ସହ ଗାଁର ମହିଳାମାନଙ୍କୁ ଅସଦାଚରଣ କରୁଥିଲେ। ଏଣୁ ଛୋଟ ବେଳୁ ଥିବା ରାଗକୁ ସୁଝାଇବାକୁ ବିଷ୍ଣୁ ସୁଯୋଗ ଅପେକ୍ଷାରେ ରହିଥିଲା। ରବିବାର ରାତି ପ୍ରାୟ ସାଢ଼େ ୮ଟାରେ କ୍ରାନ୍ତିକୁମାର ବିନା କାରଣରେ ଝଗଡ଼ା କରିଥିଲେ। ଫଳରେ ବିଷ୍ଣୁ ରୋଷେଇଘ‌ରୁ ଏକ ଲୁହା ନଳୀ ଆଣି ପିଟିପିଟି ବାପାକୁ ହତ୍ୟା କରିଥିଲା। ପୁଲିସ ଆଜି ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି।