ନକରିଲା କାମ କଲେ ଅଭାବୀ ବାପ! : ଟଙ୍କା ପାଇଁ ପୁଅ ଶବ ବୋହିଲେ ୫ କିମି

କାମାକ୍ଷାନଗର : ସରକାରଙ୍କ ପକ୍ଷରୁ ମିଳିବ କେତେବା’ ଟଙ୍କା! ଜୀବନ ତୁଳନାରେ ଏହି ଟଙ୍କାର ବା କେତେ ମୂଲ୍ୟ? ମାତ୍ର, ଜଣେ ଗରିବ ଲୋକଙ୍କ ପାଇଁ ଟଙ୍କାର କେତେ ମୂଲ୍ୟ ତାହା ଆଜି ଜଣାପଡ଼ିଛି। ଟଙ୍କା ପାଇଁ ଘରକୁ ନେଇ ଆସିଥିବା ପୁଅର ଶବକୁ ପୁଣିଥରେ ୫ କିଲୋମିଟାର ବାହି ହସ୍ପିଟାଲରେ ବ୍ୟବଚ୍ଛେଦ କରାଇଛନ୍ତି।

ଏହି ବ୍ୟକ୍ତି ହେଉଛନ୍ତି କାମାକ୍ଷାନଗର ଥାନା ଏକତାଳି ଗାଁର ଜଗା ମୁଣ୍ଡା। ଗତକାଲି ରାତିରେ ଜଗୁଙ୍କର ୯ ବର୍ଷରୁ ପୁଅ ସୁମନ୍ତ ସାପ କାମୁଡ଼ାରେ ଅସୁସ୍ଥ ହୋଇପଡ଼ିଥିଲେ। ଗୁୁରୁତର ଅବସ୍ଥାରେ ତାଙ୍କୁ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ପରିବାର ସଦସ୍ୟ ଘରକୁ ଶବ ନେଇଯାଇଥିଲେ। ଘରେ ପହଞ୍ଚବା ପରେ ଶବ ବ୍ୟବଚ୍ଛେଦ କରାଇଲେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ଏବଂ ସାପକାମୁଡ଼ା ଯୋଗୁଁ ମୃତ୍ୟୁ ଘଟିଥିଲେ ସରକାରଙ୍କ ଠାରୁ ସହାୟତା ମିଳିବ ବୋଲି ଆଶାକର୍ମୀ ଓ ସରପଞ୍ଚଙ୍କଠାରୁ ଶୁଣିଥିଲେ। ପରେ ଜଗା ନିଜର ଭାଇ ଓ ସଢ଼ୁ ଆଜି ସକାଳେ ଶବ କାନ୍ଧରେ ବୋହି ପୁଣି ଡାକ୍ତରଖାନାକୁ ଆଣିଥିଲେ।

ସ୍ଥାନୀୟ କ୍ରସର୍‌ରେ ମୂଲ ଲାଗି ପରିବାର ଚଳାଉଥିବା ଜଗା ଅତି ଗରିବ। ପୁଅର ଜୀବନ ବଞ୍ଚାଇବା ପାଇଁ ବହୁ କଷ୍ଟରେ ୭୦୦ ଟଙ୍କା ଯୋଗାଡ଼ କରି ଏକ ଅଟୋରେ ତାଙ୍କୁ ଡାକ୍ତରଖାନା ଆଣିଥିବାବେଳେ ମୃତ୍ୟୁ ପରେ ସେହି ଅଟୋରେ ହିଁ ଫେରାଇ ନେଇଥିଲେ। କିନ୍ତୁ ଘରୁ ପୁଣି ମେଡ଼ିକାଲକୁ ଶବ ଆଣିବା ପାଇଁ ଟଙ୍କା ନ ଥିବାରୁ ସେ କାନ୍ଧରେ ବୋହି ନେଇଥିଲେ। ବ୍ୟବଚ୍ଛେଦ ପରେ ଗାଁକୁ କାନ୍ଧରେ ଶବ ବୋହିନେବାକୁ ଯୋଜନା କରୁଥିବାବେଳେ ସେହି ଗାଁର ଜଣେ ବଦାନ୍ୟ ବ୍ୟକ୍ତି ଅଜୟ ବିଶ୍ୱାଳ ଆର୍ଥିକ ସହାୟତା ଦେବାରୁ ଏକ ଘରୋଇ ଗାଡ଼ିରେ ଘରକୁ ଆଣି ସତ୍କାର କରିଥିଲେ।

କେବେ ଏହି ଟଙ୍କା ମିଳିବ ଜଗା ଜାଣନ୍ତିନି କିମ୍ବା ଏ ସମ୍ପର୍କରେ ତାଙ୍କର ଧାରଣା ବି ନାହିଁ। ପୁଅ ବିହୁନେ ଅସୁମାରୀ ଶୋକ ଭିତରେ ଦଣ୍ଡେ ବଞ୍ଚବା ପାଇଁ ସେ ଯେ ଏହିଭଳି ଏକ ବାଧ୍ୟବାଧ୍ୟକତାର ସାହାରା ନେଇଛନ୍ତି- ଏହି ଘଟଣାରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର