ବୈପାରିଗୁଡା: ପୁଅର ପ୍ରଥମ ଜନ୍ମ ବାର୍ଷିକୀ ଉତ୍ସବ ଦିନ ବାପା ଆତ୍ମହତ୍ୟା କରିବା ଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଘଟଣା ଅନୁଯାୟୀ କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଚିପାକୁର ପଞ୍ଚାୟତର କିର୍ସାଲ ଗ୍ରାମର ଚୈତନ୍ୟ କିର୍ସାନି (୩୫) ଜଣେ ମିସ୍ତ୍ରୀ। ସେ ବିଭିନ୍ନ ଘର, କୋଠା ଘର ନିର୍ମାଣ କରୁଥିଲେ। ଚୈତନ୍ୟଙ୍କ ଗୋଟିଏ ଝିଅ ଏବଂ ଗୋଟିଏ ପୁଅ ରହିଥିବା ବେଳେ ଗତକାଲି ପୁଅର ପ୍ରଥମ ଜନ୍ମ ବାର୍ଷିକୀ ଉତ୍ସବ ଧୁମଧାମରେ ପାଳନ କରାଯାଉଥିଲା।
ଗତ ରାତିରେ କୌଣସି କାରଣ ନେଇ ନିଜ ପତ୍ନୀଙ୍କ ସହ ବଚସା ହୋଇଥିଲା। ରାତି ଭୋଜିଭାତର ଆୟୋଜନ ପରେ ସମସ୍ତେ ଶୋଇବା ପରେ ଚୈତନ୍ୟ ନିଜ ବଖରାର ଫ୍ୟାନ ହୁକରେ ନିଜ ସ୍ତ୍ରୀଙ୍କ ପିନ୍ଧା ଲୁଗା ବେକରେ ଦେଇ ଆତ୍ମହତ୍ୟା କରିଛନ୍ତି। ସ୍ତ୍ରୀ ନିଜ ସ୍ବାମୀଙ୍କ ଅନୁପସ୍ଥିତ ଦେଖି ଖୋଜାଖୋଜି କରିଥିଲେ। ଶେଷରେ ସେ ତାଙ୍କ ସ୍ବାମୀଙ୍କ ମୃତଦେହ ତାଙ୍କ ବଖରାର ଫ୍ୟାନ ହୁକରେ ଝୁଲୁଥିବା ଦେଖି ନିଜ ସଂପର୍କୀୟଙ୍କୁ ଜଣାଇଥିଲେ। ମୃତଦେହ ଝୁଲୁଥିବା ଦେଖି ରାମଗିରି ଥାନାରେ ଏତଲା ଦେଇଥିଲେ। ରାମଗିରି ଏଏସ୍ଆଇ ବଳରାମ ହିକକା ଘଟଣାସ୍ଥଳରେ ପହଞ୍ଚି ଶବଟିକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।