କଟକ: କଟକ ବାଦାମବାଡ଼ି ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରେ ବାପା ନିଜର ଦିବ୍ୟାଙ୍ଗ ଝିଅକୁ ହତ୍ୟା କରିବା ପରେ ଆତ୍ମହତ୍ୟା କରିବା ଭଳି ଅଭାବନୀୟ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଅନ୍ଲାଇନ୍ ଟ୍ରେଡିଂ ଯୋଗୁ ଆର୍ଥିକ ସ୍ଥିତି ବିଗିଡ଼ିବା ଓ ଦିବ୍ୟାଙ୍ଗ ଝିଅ ପାଇଁ ମାନସିକ ଚାପରେ ଥିବା ବାପା ଏଭଳି ଚରମ ପଦକ୍ଷେପ ନେଇଥିବା କୁହାଯାଉଛି। ମୃତ ବାପା ହେଲେ ମାନସ ରଞ୍ଜନ ଦାସ (୫୪) ଓ ଝିଅ ହରଶ୍ରିତା ହେମାଙ୍ଗିନୀ (୧୭)। ବାଦାମବାଡ଼ି ଥାନା ପୁଲିସ ଉଭୟଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ କରାଇଛି।
ସୂଚନା ଅନୁଯାୟୀ ବାଦାମବାଡ଼ି ଥାନା ଅନ୍ତର୍ଗତ ସ୍ନେହଲତା ଆପାର୍ଟମେଣ୍ଟର ପ୍ରଥମ ମହଲାରେ ଥିବା ଫ୍ଲାଟ୍ ନଂ ୧/୨ ଏ୩’ରେ ଦୁଇଟି ଘର ଭଡ଼ା ନେଇ ଗଲା ଦେଢ଼ ବର୍ଷ ହେବ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଗୁଣୁପୁର ଗ୍ରାମର ମାନସ ଦିବ୍ୟାଙ୍ଗ ଝିଅ ହରଶ୍ରିତାଙ୍କ ସହିତ ରହିଆସୁଥିଲେ। ଝିଅ ଜନ୍ମ ହେବାର ୨୮ ଦିନରେ ମାନସଙ୍କ ପତ୍ନୀଙ୍କର ମୃତ୍ୟୁ ଘଟିଥିଲା। ସେବେଠାରୁ ମାନସ ଦିବ୍ୟାଙ୍ଗ ଝିଅର ଦେଖାଶୁଣା କରିଆସୁଥିଲେ। ଝିଅ ମାନସିକ ଦିବ୍ୟାଙ୍ଗ ସହିତ ଠିକ୍ରେ କଥାବାର୍ତ୍ତା କରି ପାରୁନଥିଲା। ମାନସ ଭୁବନେଶ୍ବରରେ ଏକ ଘରୋଇ କମ୍ପାନିରେ କାମ କରୁଥିଲେ। ମାନସ କାମ କରିବାକୁ ଯିବା ପୂର୍ବରୁ ଝିଅ ପାଇଁ ଖାଇବା ରଖି ଦେଇ ଯାଉଥିଲେ। ଏଭଳି ବାପା-ଝିଅଙ୍କ ଦିନ କଟୁଥିଲା।
କଟକ ବାଦାମବାଡ଼ିରେ ଅଭାବନୀୟ କାଣ୍ଡ
ସ୍ନେହଲତା ଆପାର୍ଟମେଣ୍ଟର ମାଲିକ ପ୍ରସନ୍ନ ମହାନ୍ତିଙ୍କୁ ମାନସ ଶୁକ୍ରବାର ଦିନ ଘର ଛାଡ଼ିବେ ବୋଲି କହିଥିଲେ। ଏଥିପାଇଁ ସେ ସମସ୍ତ ବକେୟା ଅର୍ଥ ଗୁରୁବାର ଦିନ ଜମା କରି ଦେଇଥିଲେ। କିନ୍ତୁ ଆଜି ଦିନ ପ୍ରାୟ ୧୧ଟା ବେଳେ ଯେତେବେଳେ ମାନସ ଘର ଚାବି ମାଲିକଙ୍କୁ ଦେଲେନାହିଁ, ସେତେବେଳେ କେୟାରଟେକର୍ ରମେଶ ତାଙ୍କ ଘରକୁ ଯାଇଥିଲେ। ଘର କବାଟ ବାଡ଼େଇଥିଲେ। ପରେ କଲିଂ ବେଲ୍ ମାରିବା ସହିତ ଫୋନ୍ କରିଥିଲେ। କିନ୍ତୁ କେହି ଫୋନ୍ ଉଠାଇନଥିଲେ। ଝରକା ଫାଙ୍କରେ ରମେଶ ଉଭୟଙ୍କ ଶବ ଦେଖିବାକୁ ପାଇଥିଲେ। ତୁରନ୍ତ ଏ ସଂକ୍ରାନ୍ତରେ ସେ ବାଦାମବାଡ଼ି ଥାନା ପୁଲିସକୁ ଖବର ଦେବାରୁ ପୁଲିସ କବାଟ ଭାଙ୍ଗି ଭିତରେ ପଶିବା ସହ ଦୁଇ ଜଣଙ୍କ ଶବ ଉଦ୍ଧାର କରିଥିଲା। ଗୋଟିଏ ବଖରାରେ ମାନସ ବେକରେ ଧୋତି ବାନ୍ଧି ଫ୍ୟାନ୍ରେ ଝୁଲିପଡ଼ିଥିବା ବେଳେ ଆଉ ଏକ ବଖରାରେ ଥିବା ଖଟ ଉପରେ ଝିଅର ଶବ ପଡ଼ିଥିଲା। ଝିଅର ଚୁଟିରେ କିଛି ଧଳା ପଦାର୍ଥ ଲାଗିଥିବା ଦେଖିବାକୁ ମିଳିଥିଲା। ଏହାସହିତ ଝିଅଟି ଝାଡ଼ା ପରିସ୍ରା କରି ଦେଇଥିଲା। ମାନସ ତାଙ୍କ ଝିଅକୁ ବିଷ ଦେଇ କିମ୍ବା ମୁହଁକୁ ତକିଆରେ ଚାପି ହେଉ କିମ୍ବା ତଣ୍ଟି ଚିପି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି। ଗୁରୁବାର ରାତିରେ ମାନସ ଝିଅକୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ପାରିପାର୍ଶ୍ବିକ ସ୍ଥିତି ଓ ପଡ଼ୋଶୀଙ୍କ ବୟାନରୁ ପୁଲିସ ଜାଣିବାକୁ ପାଇଛି। କଟକ ବଡ଼ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ସନ୍ଧ୍ୟାରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି। ତେବେ ମାନସ ଅନଲାଇନ୍ ଟ୍ରେଡିଂରେ ଆର୍ଥିକ କ୍ଷତି ସହିଥିବା ପରିବାର ଲୋକ ପୁଲିସକୁ ସୂଚନା ଦେଇଛନ୍ତି। କିନ୍ତୁ ତାଙ୍କ ଆର୍ଥିକ ସ୍ଥିତି ଖରାପ ନଥିବା ବେଳେ ଦିବ୍ୟାଙ୍ଗ ଝିଅ ତାଙ୍କ ମାନସିକ ଚିନ୍ତା ବଢ଼ାଇ ଦେଇଥିଲା।
ଘଟଣାସ୍ଥଳରେ ମାନସଙ୍କ ଭଉଣୀ ସସ୍ମିତା ଦାସ ପହଞ୍ଚିଥିଲେ। ସେ ବାଦାମବାଡ଼ି ଥାନାରେ ମାନସଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି। ଝିଆରିକୁ ହତ୍ୟା କରିବା ପରେ ମାନସ ଆତ୍ମହତ୍ୟା କରିଛନ୍ତି ବୋଲି ସେ ଅଭିଯୋଗ କରିଥିବା ବେଳେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ପୁଲିସ ମାନସଙ୍କ ମୋବାଇଲ ଫୋନ ଜବତ କରି ତାହାକୁ ତଦନ୍ତ ପରିସରଭୁକ୍ତ କରିଛି। ମାନସ ପୂର୍ବରୁ କାଠଯୋଡ଼ି ରିଙ୍ଗ୍ ରୋଡ୍ରେ ଥିବା ଶ୍ରୀକୁଞ୍ଜ ଆପାର୍ଟମେଣ୍ଟରେ ରହୁଥିଲେ। ସେଠାରୁ ଦୁଇ ବର୍ଷ ହେଲା ସେ ସ୍ନେହଲତା ଆପାର୍ଟମେଣ୍ଟକୁ ଯାଇଥିଲେ। ମାନସ ତାଙ୍କ ପରିବାର ଲୋକଙ୍କ ସହିତ ଯୋଗାଯୋଗରେ ନଥିଲେ। ତାଙ୍କ ଭାଇ ହାଇଦ୍ରାବାଦରେ ପରିବାର ସହିତ ରହୁଥିବା ବେଳେ ଭଉଣୀ ଭୁବନେଶ୍ବରରେ ରୁହନ୍ତି। ମାନସ ବିଭିନ୍ନ ସମୟରେ ବ୍ୟବସାୟ, ଠିକାଦାରୀ ସହିତ ଅନ୍ଲାଇନ୍ ଟ୍ରେଡିଂ କରୁଥିଲେ। କଟକର ବିଭିନ୍ନ ସ୍ଥାନରେ ସେ ପାଖାପାଖି ୩୦ରୁ ୪୦ ବର୍ଷ ହେବ ରହିଆସୁଥିଲେ ବୋଲି ବାଦାମବାଡ଼ି ଥାନା ଆଇଆଇସି ଅଜୟ ରାଉଳ ସୂଚନା ଦେଇଛନ୍ତି।