ନୟାଗଡ଼: ଗୁରୁବାର ସକାଳୁ ସକାଳୁ ନୟାଗଡ଼ ଦେବୋତ୍ତର କଲୋନୀରେ ଏକ ଚାଞ୍ଚଲ୍ୟ ଘଟଣା ସାମ୍ନାକୁ ଆସିଛି । ଏକ ବନ୍ଦ ଘର ଖଟ ଉପରୁ ୫ବର୍ଷୀୟ ଝିଅ ଏବଂ ବାପଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହି ଅଭାନୀୟ ଘଟଣାରେ ଝିଅକୁ ମାରି ବାପା ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି ।
ଏପରି ଏକ ଲୋମଟାଙ୍କୁରା ଓ ଚାଞ୍ଚଲ୍ୟକର ଘଟଣା ଦେବୋତ୍ତର ଲେନ୍ ୪ରେ ଗତ ରାତିରେ ଘଟିଛି। ମୃତ ବାପଝିଅ ହେଲେ ପୁଲକ ବିଶ୍ୱାଳ ଓ ତାଙ୍କ ୫ ବର୍ଷର ଝିଅ ପଲକ ବିଶ୍ୱାଳ।
ସୂଚନାନୁଯାୟୀ, ମୃତ ପୁରୁଷ ଜଣକ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ଘଟିବା ପରେ ଆଉଥରେ ବିବାହ କରିବାକୁ ମନସ୍ଥ କରିଥିଲେ । ଏହାପରେ ଗତ ୩ ମାସ ତଳେ ସେ ଦ୍ୱିତୀୟ ବିବାହ କରିଥିଲେ । ତେବେ ଏପର୍ଯ୍ୟନ୍ତ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ବର୍ତ୍ତମାନ ପୋଲିସର ତଦନ୍ତ ଜାରି ରହିଛି ।
ପ୍ରଥମ ପତ୍ନୀ ଚାଲିଯିବା ପରେ ଦ୍ୱିତୀୟ ବିବାହ କରିଥିଲେ ବି ଫେରି ଆସି ନ ଥିଲା ପୁରୁଣା ଖୁସି। ତେଣୁ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିବା ବ୍ୟକ୍ତିଙ୍କୁ ଘାରିଥିଲା ନିଜ କୁନି ଝିଅ ଚିନ୍ତା। ବାପାମା’ ନ ଥିବା ଛୁଆ ସଂସାରରେ କିପରି ବଞ୍ଚିବ ତାହା ତାଙ୍କୁ କଲବଲ କରିବାରୁ ନେଲେ ଚରମ ନିଷ୍ପତ୍ତି। ପ୍ରଥମେ ଝିଅକୁ ବିଷାକ୍ତ ପଦାର୍ଥ ଖୁଆଇ ପରେ ନିଜେ ଝୁଲି ପଡ଼ିଲେ ବ୍ୟକ୍ତିଜଣକ ।
ପତ୍ନୀ ଓ ଝିଅଙ୍କୁ ନେଇ ପୁଲକ ବିଶ୍ୱାଳଙ୍କ ସଂସାର ବେଶ ହସଖୁସିରେ ଚାଲିଥିଲା। ମାତ୍ର ଅଚାନକ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ଘୋଟି ଆସିଥିଲା କଳା ବାଦଲ । ଝିଅକୁ ନେଇ କିପରି ବାକି ଜୀବନ କାଟିବେ ସେ ଚିନ୍ତା ତାଙ୍କୁ ୩ ମାସ ପୂର୍ବେ ଦ୍ୱିତୀୟ ବିବାହ କରିଥିଲେ ପୁଲକ ।
ଗତ ସୋମବାର ପୁଲକଙ୍କ ଦ୍ୱିତୀୟ ପତ୍ନୀ ବାପ ଘରକୁ ଯାଇଥିଲେ । ବାପ ଘରେ ୨ ଦିନ ରହି ନୟାଗଡ଼ସ୍ଥିତ ସ୍ୱାମୀଙ୍କ ପାଖକୁ ଆସିବା ପରେ ଘର ଭିତରୁ କବାଟ ବନ୍ଦ ଥିଲା । ଭିତରୁ ତାଲା ପଡ଼ିଥିବା ଦେଖି ବହୁ ସମୟ ପର୍ଯ୍ୟନ୍ତ କବାଟ ବାଡେଇଥିଲେ। ପରେ ସନ୍ଦେହ ହେବାରୁ ପୁଲିସ୍କୁ ଖବର ଦେଇଥିଲେ ।
ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନୟାଗଡ଼ ଟାଉନ ଥାନା ପୁଲିସ୍ ବିଳମ୍ବିତ ରାତିରେ ପହଞ୍ଚି ତାଲା ଭାଙ୍ଗି ଘରେ ପଶିଥିଲା । ଘର ଭିତରେ ବାପାର ମୃତ ଦେହ ଝୁଲନ୍ତା ଅବସ୍ଥାରେ ଥିବା ବେଳେ ୫ ବର୍ଷର ଝିଅର ମୃତଦେହ ବେଡ୍ରେ ପଡ଼ିରହିଥିବା ପୁଲିସ୍ ଦେଖିବାକୁ ପାଇଥିଲା ।
ଝିଅକୁ କୌଣସି ବିଷାକ୍ତ ଖାଦ୍ୟ ଦେବା ପରେ ପୁଲକ ଆତ୍ମହତ୍ୟା କରିଥିବା ନେଇ ପୁଲିସ ଅନୁମାନ କରୁଥିବା ବେଳେ ସବୁଦିଗକୁ ନେଇ ତଦନ୍ତ ଜାରୀ ରଖିଛି। ଏଥିସହ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିବା ପରେ ପରିବାର ଲୋକଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଜଣାଯାଇଛି।
ତେବେ ଏପରି ଚରମ ନିଷ୍ପତ୍ତି ନେବା ପଛର କାରଣ କ’ଣ ତାହା ଜାଣିବାକୁ ତଦନ୍ତ ଆରମ୍ଭ କରିଛି ପୁଲିସ୍ । ପୁଲିସ୍ ପଲକଙ୍କ ଦ୍ୱିତୀୟ ପତ୍ନୀ ଓ ତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରୁଥିବା ବେଳେ ଆତ୍ମହତ୍ୟା ପଛର ସେପରି କୌଣସି ଠୋସ୍ କାରଣ ବାହାର କରି ପାରିନି। ତେବେ ସବୁ କିଛି ଠିକ୍ଠାକ ଚାଲିଥିଲେ ଜଣେ ବ୍ୟକ୍ତି କେବେ କି ନିଜ ଝିଅକୁ ମାରି ନିଜେ ଆତ୍ମହତ୍ୟା କରିବା ପରି ପଦକ୍ଷେପ ଗ୍ରହଣ କରିବ ବୋଲି ଆଲୋଚନା ହେଉଛି।