ମଦ ଆଗରେ ହାର ମାନିଲା ସମ୍ପର୍କ, ପୁଅ ଠେଙ୍ଗା ମାଡ଼ରେ ବାପା ମୃତ 

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ଡ଼ୋଭା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ସଭ୍ୟ ସମାଜ ପାଇଁ ନୃଶଂସ ହତ୍ୟାକାଣ୍ଡ ଚିନ୍ତାର ବିଷୟ ପାଲଟିଛି। ମଦ ନିଶା ପାଇଁ ବାପାପୁଅର ପବିତ୍ର ସମ୍ପର୍କ ଭାଙ୍ଗିଯାଇଛି। ମଦ୍ୟପ ପୁଅର ଠେଙ୍ଗା ମାଡ଼ରେ ଚାଲିଯାଇଛି ବାପାର ଜୀବନ।

ଘଟଣାରୁ ପ୍ରକାଶ, ବାଦାମପାହାଡ଼ ଥାନା ଡ଼ୋଭା ଗ୍ରାମରେ ଗତକାଲି ଅପରାହ୍ନରେ ଗୋପାଳ ନାୟକ(୫୦) ଘରେ ଥିଲେ। ମଦ୍ୟପ ଅବସ୍ଥାରେ ପୁଅ ଜିତେନ୍ ନାୟକ(୨୦) ଘରେ ପହଂଚିବା ପରେ ବାପାଙ୍କ ସହ ବଚସା ହୋଇଥିଲା। ଯାହା ପରେ ଉତ୍ୟକ୍ତ ପୁଅ ପାଖରେ ପଡ଼ିଥିବା ଏକ ଠେଙ୍ଗାରେ ନିଜ ବାପାଙ୍କୁ ନିର୍ଦୟ ଭାବେ ପିଟିବା ଆରମ୍ଭ କରିଥିଲା। ମାଡ଼ ମାରୁ ମାରୁ ଅଜାଗାରେ ଆଘାତ ଲାଗିବାରୁ ଘଟଣାସ୍ଥଳରେ ଗୋପାଳଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା।

ଘଟଣା ପରେ ଆଜି ବାଦାମପାହାଡ଼ ପୁଲିସ ଓ ବାରିପଦାରୁ ସାଇଣ୍ଟିଫିକ ଟିମ ଆସି ଅନୁସନ୍ଧାନ କରି ଫେରିଛନ୍ତି। ମୃତକଙ୍କ ଶବ ଉଦ୍ଧାର କରାଯାଇ ବ୍ୟବ‌ଚ୍ଛେଦ କରାଯାଇଛି। ବାଦାମପାହାଡ଼ ଥାନାରେ ଦଫା ୩୦୨ମୂଳେ୯/୨୦ ରେ ମାମଲା ରୁଜୁ ହୋଇଛି। ବାଦାମପାହାଡ଼ ପୁଲିସ ହତ୍ୟାକାରୀ ପୁଅ ଜିତେନଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ଘଟଣା ପରେ ବାଦାମପାହାଡ଼ ଅଂଚଳରେ ଦେଶୀ ବିଦେଶୀ ମଦ ଗାଁ ଗଣ୍ଡାରେ ଚୋରା କାରବାର ଚାଲିଥିବାରୁ ଏହି ଅଞ୍ଚଳରେ ଅପରାଧ ବଢ଼ି ଚାଲିଛି ବୋଲି ସାଧାରଣରେ ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର