ଅନୁଗୁଳ(ବିକାଶ ଚନ୍ଦ୍ର ସାହୁ): ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଇଥିଲେ ବାପା। ଦେଶରେ କୋଭିଡ୍ର ଦ୍ବିତୀୟ ଲହର ଯେତେବେଳେ ଜୋର୍ ଚାଲିଥିଲା, ଠିକ୍ ସେତିକି ବେଳେ ସେଠି ତାଙ୍କୁ ଜ୍ବର ହେଲା। ସେ ଚାହିଁଲେ ବି ଘରକୁ ଫେରି ପାରିଲେ ନାହିଁ। ସେଠି ଡାକ୍ତରଖାନାରୁ ଔଷଧ ଖାଇଲେ। କିନ୍ତୁ, ବଞ୍ଚି ପାରିଲେ ନାହିଁ। କୋଭିଡ୍ ରିପୋର୍ଟ ତାଙ୍କର ଯଦିଓ ନେଗେଟିଭ୍ ଥିଲା, ତଥାପି ଜ୍ବରରେ ଜ୍ବରରେ ହିଁ ତାଙ୍କର ଜୀବନ ଗଲା। ଆନ୍ଧ୍ରରୁ ଶବ ପଠାଇବା ପାଇଁ ଯେତେବେଳେ ଅନୁରୋଧ କରାଗଲା, ଗାଡ଼ି ଭଡ଼ା ପାଇଁ ମାଲିକ ମାଗିଲା ୮୦ହଜାର ଟଙ୍କା। ଏତେ ଟଙ୍କା ଦେବାକୁ ପରିବାର ଅକ୍ଷମ ହେଲେ ବୋଲି ଗାଁକୁ ଶବ ଆସି ପାରିଲା ନାହିଁ। ଆନ୍ଧ୍ରରେ ବାପାର ଶବ ସଂସ୍କାର ହେଲା। ବାପାଙ୍କ ମୃତ୍ୟୁ ପରେ ଅନାଥ ତିନି ଭଉଣୀ ଯଦିଓ ରାଜ୍ୟ ସରକାରଙ୍କ ନୂଆ ‘ଆଶୀର୍ବାଦ’ ଯୋଜନା ପାଇବାକୁ ହକ୍ଦାର, କିନ୍ତୁ ଆନ୍ଧ୍ରରୁ ବାପାଙ୍କ ମୃତ୍ୟୁ ସାର୍ଟିଫିକେଟ୍ ଆଣି ପାରୁନାହାନ୍ତି ବୋଲି ସରକାରଙ୍କ ଏ ମହତ୍ ଯୋଜନାରୁ ତିନି ଭଉଣୀ ବାଦ୍ ପଡ଼ିବାକୁ ଯାଉଛନ୍ତି। ଏନେଇ ତିନି ଭଉଣୀ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି।
ଦାଦନକୁ ଯାଇ ପରିବାର ଛାର୍ଖାର୍ ହୋଇଥିବା ଏହି ପରିବାର ହେଉଛି ଆଠମଲ୍ଲିକ ବ୍ଲକ୍ ଅଏଡ଼ା ପଞ୍ଚାୟତ ଓଳଥ ଗାଁର ପଣ୍ଡୁଆ ନାଏକଙ୍କର। ତିନୋଟି ନାବାଳିକା ଝିଅ ଏବଂ ସ୍ତ୍ରୀଙ୍କୁ ନେଇ ପଣ୍ଡୁଆଙ୍କର ପରିବାର ଥିଲା। ଆନ୍ଧ୍ରକୁ କାମ କରିବାକୁ ଗଲେ ଗାଁରେ ପରିବାରର ପେଟ ପୁରୁଥିଲା। ଦାଦନ ଖଟଣି ହୋଇଥିଲେ ବି ପଣ୍ଡୁଆଙ୍କ ପାଇଁ ହସଖୁସିରେ ଚାଲିଥିଲା ତାଙ୍କ ପରିବାର।
ଦେଶରେ ଯେତେବେଳେ ଜୋର୍ କୋଭିଡ୍ ଚାଲିଥିଲା, ପଣ୍ଡୁଆ ନିଜ ପେଟପାଟଣା ପାଇଁ ଆନ୍ଧ୍ରକୁ କାମ କରିବାକୁ ଯାଇଥିଲେ। ତାଙ୍କ ସ୍ତ୍ରୀ ଲବଣୀ ନାଏକଙ୍କ କହିବା ମୁତାବକ, ଗତ ମେ ମାସରେ ତାଙ୍କୁ ଜ୍ବର ହେଲା। ସେ ଘରକୁ ଫୋନ୍ କରି ନିଜ ଅସୁସ୍ଥତା କଥା କହିଥିଲେ। ଡାକ୍ତରଖାନାରୁ ଔଷଧ ଆଣି ଆସିଥିଲେ ବୋଲି ପରିବାରକୁ କହିଥିଲେ। ତାଙ୍କର କୋଭିଡ୍ ପରୀକ୍ଷା ନେଗେଟିଭ୍ ଥିବା ସେ କହିଥିଲେ। ଜ୍ବରର କିଛି ଦିନ ପରେ ସେ ଆଉ କଥା କହି ପାରିଲେ ନାହିଁ। ଗତ ମେ ୧୦ତାରିଖ ଦିନ ହିଁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ପରିବାର ଲୋକେ ଶବକୁ ଗାଁକୁ ଆଣିବାକୁ ମାଲିକଙ୍କୁ ଅନୁରୋଧ କରିଥିଲେ। କିନ୍ତୁ, କୋଭିଡ୍ ସମୟରେ ଏତେ ବାଟରୁ ଶବ ଆଣିବା ପାଇଁ ୮୦ହଜାର ଟଙ୍କାର ଗାଡ଼ି ଭଡ଼ା ପଠାଇବାକୁ ମାଲିକ କହିବାରୁ ପରିବାର ଲୋକେ ନିଜ ଅକ୍ଷମତା ପ୍ରକାଶ କରିଥିଲେ। ତେଣୁ, ଆନ୍ଧ୍ରରେ ହିଁ ପଣ୍ଡୁଆଙ୍କର ଶବ ସଂସ୍କାର ହୋଇଥିଲା।
କୋଭିଡ୍ ସମୟରେ ଅନାଥ ଶିଶୁଙ୍କ ପାଇଁ ନୂଆ ‘ଆଶୀର୍ବାଦ’ ଯୋଜନା ଲାଗୁ କରିଛନ୍ତି। ଏପ୍ରିଲ୍, ୨୦୨୦ ପରଠାରୁ ପରିବାରର ରୋଜଗାରକ୍ଷମ ବ୍ୟକ୍ତିଙ୍କର କୌଣସି କାରଣରୁ ମୃତ୍ୟୁ ହୋଇଥିଲେ ତାଙ୍କୁ ନାବାଳକ ଶିଶୁଙ୍କ ପାଇଁ ମାସିକ ଭତ୍ତା ବ୍ୟବସ୍ଥା ସରକାର କରିଛନ୍ତି। ତତ୍ ମୁତାବକ, ପଣ୍ଡୁଆଙ୍କର ତିନି ଝିଅ ଶ୍ରାବଣୀ ନାଏକ(୧୭), ଝରଣା ନାଏକ(୧୪), ପ୍ରବୀଣା ନାଏକ(୮) ସରକାରଙ୍କର ଆଶୀର୍ବାଦ ପାଇଁ ପୂରା ହକ୍ହାର ହୋଇଥିଲେ ହେଁ ବାପାଙ୍କର ମୃତ୍ୟୁ ପ୍ରମାଣପତ୍ର ନ ଥିବାରୁ ପିଲାମାନେ ଏ ଯୋଜନାରୁ ବାଦ୍ ପଡ଼ିବାକୁ ଯାଉଛନ୍ତି। କେବଳ ପିଲାମାନେ ନୁହେଁ, ପରିବାର ମଙ୍ଗଳ ଯୋଜନାରେ ପରିବାରକୁ ୨୦ହଜାର ଟଙ୍କାର ଆର୍ଥିକ ସହାୟତା ଏବଂ ବିଧବା ଭତ୍ତା ଯୋଜନା ଥିଲେ ମଧ୍ୟ ପଣ୍ଡୁଆଙ୍କ ସ୍ତ୍ରୀ ଲବଣୀଙ୍କୁ ସେତିକି ମିଳିବା ନେଇ ସନ୍ଦେହ ପ୍ରକାଶ ପାଇଛି।
ଗରିବ ହରିଜନ ଜାତିର ଏ ପରିବାର ପାଇଁ ଆନ୍ଧ୍ରରୁ ସ୍ବାମୀଙ୍କର ମୃତ୍ୟୁକାଳୀନ ପ୍ରମାଣପତ୍ର ଆଣିବା ସମ୍ଭବପର ହେଉନଥିବାରୁ ପୂରା ପରିବାର ଜିଲ୍ଲା ପ୍ରଶାସନକୁ ସୋମବାର ଭେଟିବାକୁ ଆସିଥିଲେ। ସକାଳୁ ମଧ୍ୟାହ୍ନ ଯାଏ ଜିଲ୍ଲାପାଳଙ୍କ ସହ ଭେଟ ନ ହେବାରୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀଶଙ୍କର ବେହେରାଙ୍କୁ ସାକ୍ଷାତ୍ କରି ତିନି ଭଉଣୀ ଫେରିଛନ୍ତି। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନାରାୟଣ ମହାପାତ୍ର ତୁରନ୍ତ ଭତ୍ତା ବ୍ୟବସ୍ଥା କରାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ, ପ୍ରମାଣପତ୍ର ନ ଆସିଲେ ‘ଆଶୀର୍ବାଦ’ ଯୋଜନାରେ ସାମିଲ୍ କରିବା ମୁସ୍କିଲ୍। ତେଣୁ, ନିକଟସ୍ଥ ଥାନାରେ ଏନେଇ ଅଭିଯୋଗ କରିବା ପାଇଁ ଶ୍ରୀ ବେହେରା ପରିବାରକୁ ପରାମର୍ଶ ଦେଇଥିବା ଜଣାପଡ଼ିଛି।