ଦିଗପହଣ୍ଡି: ନଦୀଗଣ୍ଡରେ ୧୦ ବର୍ଷର ପୁଅ ବୁଡ଼ିଯାଉଥିବା ବେଳେ ନିଜ ଜୀବନକୁ ଖାତିର୍ ନକରି ବାପା ଡେଇଁପଡ଼ିଲେ। ଆଉ ପୁଅର ଜୀବନକୁ ବଞ୍ଚାଇ ନିଜେ ସଲିଳ ସମାଧି ନେଇଗଲେ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ କଇଠଖଣ୍ଡି ପଞ୍ଚାୟତ ତଲାସିଙ୍ଗି ଗ୍ରାମରୁ ଏଭଳି ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ମୃତକଜଣକ ହେଉଛନ୍ତି, ଅରୁଣ ପଣ୍ଡା।
ମୃତ ଅରୁଣ ନିମଖଣ୍ଡିପେଣ୍ଠର ମୂଳବାସିନ୍ଦା ହୋଇଥିବା ବେଳେ ରାଉରକେଲାରେ କାମ କରୁଥିବା ସହ ସପରିବାର ସେଠାରେ ରହୁଛନ୍ତି। ଆଜି ବ୍ରହ୍ମପୁର ସେ ସପରିବାର ଆସି ଜଣେ ସଂପର୍କୀୟଙ୍କ ଭୋଜିରେ ଯୋଗ ଦେବା ପରେ ଶ୍ବଶୁରଘର ଗ୍ରାମ ତଲାସିଙ୍ଗି ଯାଇଥିଲେ।
ଆଜି ଅପରାହ୍ଣ ୨ଟାରେ ପୁଅ ଆଲୋକ ସହ ଅରୁଣ ଘୋଡ଼ାହାଡ଼ ନଦୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ଆଲୋକ ଅସାବଧାନତା ଯୋଗୁଁ ଗଣ୍ଡରେ ବୁଡ଼ିଯାଇଥିଲା। ଏହା ଦେଖି ପୁଅକୁ ବଞ୍ଚାଇବାକୁ ଅରୁଣ ପାଣିଗର୍ଭକୁ ଡେଇଁ ପଡ଼ିଥିଲେ। ପୁଅକୁ ବଞ୍ଚାଇବାରେ ସକ୍ଷମ ହୋଇଥିବା ବେଳେ ସେ ବୁଡ଼ିଯାଇଥିଲେ।
ଆଲୋକ ଘଟଣା ବିଷୟରେ ପରିବାରବର୍ଗ ଓ ଗ୍ରାମବାସୀଙ୍କୁ ଜଣାଇବା ପରେ ସନ୍ଧାନ କାର୍ଯ୍ୟ ଆରମ୍ଭ ହୋଇଥିଲା। ସରପଞ୍ଚ ମନୋରଞ୍ଜନ ଗୌଡ଼ଙ୍କ ଉପସ୍ଥିତିରେ ଦିଗପହଣ୍ଡି ଅଗ୍ନିଶମ ବିଭାଗର କର୍ମଚାରୀମାନେ ଦୁଇଘଣ୍ଟା ପରିଶ୍ରମ ପରେ ଗଣ୍ଡରୁ ଅରୁଣଙ୍କୁ ଉଦ୍ଧାର କରିଥିଲେ। ତେବେ ଦିଗପହଣ୍ଡି ଡାକ୍ତରଖାନାରେ ଅରୁଣଙ୍କୁ ମୃତ ଘୋଷଣା କରାଯାଇଥିଲା। ଏହି ଘଟଣା ଶୋକାକୁଳ ପରିବେଶ ସୃଷ୍ଟି କରିଥିବା ବେଳେ ଦିଗପହଣ୍ଡି ପୁଲିସ ଶବକୁ ଜବତ କରିଛି।