ଟ୍ରେନ୍‌ ଧକ୍କାରେ ବାପା ମୃତ, ପୁଅ ଗୁରୁତର

ପାରିବାରିକ କଳହର କରୁଣ ପରିଣତି

ଜଳେଶ୍ୱର : ମାତ୍ର କେଇ ମିନିଟ୍‌ରେ ସବୁ ଓଲଟପାଲଟ ହୋଇଗଲା। ହସଖୁସିର ପରିବାର ଲୁହରେ ବୁଡ଼ିଗଲା। କେହି କିଛି ବୁଝିବା ଆଗରୁ ଜଣକର ଜୀବନ ଚାଲିଯାଇଥିବା ବେଳେ ଆଉ ଜଣେ ସବୁଦିନ ପାଇଁ ପଙ୍ଗୁ ପାଲଟିଗଲେ। ଏମିତି ଏକ ହୃଦୟବିଦାରକ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଜଳେଶ୍ୱର ବ୍ଲକ୍‌ର ରାଜପୁର ଗ୍ରାମରେ। କୌଣସି କଥାକୁ ନେଇ ବାପପୁଅ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ମାନସିକ ଭାରସାମ୍ୟ ହରାଇ ପୁଅ ଟ୍ରେନ୍‌ ଆଗକୁ ଡେଇଁ ଜୀବନ ହାରିବାକୁ ଯାଉଥିବା ବେଳେ ତାଙ୍କୁ ବଞ୍ଚାଇବାକୁ ଯାଇ ବାପା ଟ୍ରେନ୍‌ ଚକା ତଳେ ପଡ଼ି ପ୍ରାଣ ହରାଇଛନ୍ତି। ପୁଅର ବି ଦୁଇ ଗୋଡ଼ କଟିଯାଇଛି।

ସୂଚନାଯୋଗ୍ୟ, ରାଜପୁର ଗ୍ରାମର ବାଚସ୍ପତି ସାହୁ ଓ ତାଙ୍କ ବଡ଼ପୁଅ ରାଜେଶ ସାହୁଙ୍କ ମଧ୍ୟରେ ଗତକାଲି ରାତିରେ କୌଣସି କଥାକୁ ନେଇ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଉତ୍‌କ୍ଷିପ୍ତ ହୋଇ ରାଜେଶ ଜୀବନ ହାରିଦେବେ କହି ଘର ପାଖରେ ଥିବା ରେଳ ଲାଇନ୍‌ ନିକଟକୁ ଦୌଡ଼ିଥିଲେ। ସେପଟେ ପୁଅକୁ ଅଟକାଇବା ପାଇଁ ବାଚସ୍ପତି ବି ପଛେ ପଛେ ଦୌଡ଼ିଥିଲେ। ଉଭୟଙ୍କ ମଧ୍ୟରେ ଟ୍ରେନ୍‌ଲାଇନ୍‌ ଉପରେ ଭିଡ଼ାଭିଡ଼ି ଲାଗିଥିଲା। ଏହି ସମୟରେ ଅପ୍‌ରୁଟ୍‌ରେ ଆସୁଥିବା ଜଗନ୍ନାଥ ଏକ୍ସପ୍ରେସ୍‌ ବାପପୁଅଙ୍କ ଉପରେ ଚଢ଼ିଯାଇଥିଲା। ଫଳରେ ବାଚସ୍ପତିଙ୍କ ଜୀବନ ଚାଲିଯାଇଥିବାବେଳେ ପୁଅ ରାଜେଶଙ୍କର ଦୁଇଟି ଯାକ ଗୋଡ଼ କଟିଯାଇଥିଲା। ଚିତ୍କାର ଶୁଣି ପାଖରେ ଥିବା କିଛି ଲୋକ ଓ ପରିବାର ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ସଂଗେ ସଂଗେ ଭୁବନେଶ୍ବର ନେଇ ଯାଇଥିଲେ। ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର