ସୁନ୍ଦରଗଡ଼: ଝିଅ ଅନ୍ୟ ଜାତିରେ ବିବାହ କରିଥିଲା ବୋଲି ଶବ ନେବାକୁ ମନା କରିଦେଲେ ବାପା। ଏମିତିକି ଶବକୁ ବି ଛୁଇଁ‌ଲେନି। ପୁଲିସର ଅନୁରୋଧ କ୍ରମେ ‘ଶ୍ମଶାନବନ୍ଧୁ’ର ସଦସ୍ୟମାନେ ମୃତଦେହ ସତ୍କାର କରିଛନ୍ତି। ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟ ଗଡ଼ୱା ଜିଲ୍ଲା ନୂଆଡ଼ିହି ଗ୍ରାମର ସୁଦାମା ସାଙ୍କ ଝିଅ କୌଶଲ୍ୟା ସା (୩୦) ସେହି ଗ୍ରାମର ପଙ୍କଜ ବିଶ୍ବକର୍ମାଙ୍କୁ ପ୍ରେମ ବିବାହ କରିଥିଲେ। ସ୍ବାମୀ ପଙ୍କଜ ଜାତିରେ ବଢ଼େଇ ହୋଇଥିବାବେଳେ କୌଶଲ୍ୟାଙ୍କ ଜାତି ଗୁଡ଼ିଆ। ତେଣୁ ପରିବାର ଲୋକେ ଏ ବିବାହକୁ ଗ୍ରହଣ କରିନଥିଲେ। ଏପରିକି ଶୁଦ୍ଧି ହୋଇ ପଡ଼ିଥିଲେ ସୁଦାମା। ବିବାହ ପରେ ପଙ୍କଜ-କୌଶଲ୍ୟା ସୁନ୍ଦରଗଡ଼ ଜିଲ୍ଲା ଭଷ୍ମା ଥାନା ଅନ୍ତର୍ଗତ ବରୋବଗା ଗାଁକୁ ଚାଲି ଆସିଥିଲେ।

Advertisment

ଏହା ମଧ୍ୟରେ ସେମାନଙ୍କ କୋଳକୁ ପୁତ୍ର ସନ୍ତାନଟିଏ ଆସିବା ପରେ ଖୁସି ଦ୍ବିଗୁଣିତ ହୋଇଯାଇଥିଲା। କିନ୍ତୁ କୌଣସି କାରଣରୁ ଏପ୍ରିଲ ୯ ତାରିଖରେ କୌଶଲ୍ୟାଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇ ଯାଇଥିଲା। ସେ ଆତ୍ମହତ୍ୟା କରିଥିବା ସ୍ବାମୀ ପଙ୍କଜ ଅଭିଯୋଗ କରିଥି‌ଲେ। ଭଷ୍ମା ପୁଲିସ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଶବାଗାରରେ ମୃତଦେହ ରଖି କୌଶଲ୍ୟାଙ୍କ ବାପା ସୁଦାମାଙ୍କୁ ଖବର ଦେଇଥିଲେ। ସୁଦାମା ଝାଡ଼ଖଣ୍ଡରୁ ଆସି ପଙ୍କଜଙ୍କ ନାମରେ ହତ୍ୟା ଅଭିଯୋଗ କରିବା ପରେ ପୁଲିସ ହତ୍ୟା ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ସୁଦାମାଙ୍କୁ ହସ୍ତାନ୍ତର କରିବାକୁ ଚାହିଥିଲା। କିନ୍ତୁ ଝିଅ ଛୋଟ ଜାତିରେ ବିବାହ କରିଥିବା ଦର୍ଶାଇ ସୁଦାମା ସତ୍କାର ତ ଦୂର କଥା, ଶବ ଛୁଇଁବାକୁ ମଧ୍ୟ ମନା କରିଦେଲେ। ଏପଟେ ହତ୍ୟା ଅଭିଯୋଗରେ ସ୍ବାମୀ ଜେଲ୍‌ରେ। ଫଳରେ ଶବଦାହ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଥିଲା। ଚାରିଦିନ ଧରି ଶବାଗାରରେ ମୃତଦେହ ପଡ଼ି ରହିବା ପରେ ଭଷ୍ମା ପୁଲିସ ‘ଶ୍ମଶାନବନ୍ଧୁ’ ଟିମ୍‌ର ସହଯୋଗ ଲୋଡ଼ିଥିଲା। ‘ଶ୍ମଶାନବନ୍ଧୁ’ର ସିଦ୍ଧାନ୍ତ କୁମାର ପଣ୍ଡା, ଶିଶିର କୁମାର ବେହେରା ଓ ଚିଣ୍ଟୁ ରକ୍ସା ଭଷ୍ମା ପୁଲିସ ଉପସ୍ଥିତିରେ ଶେଷକୃତ୍ୟ ସମ୍ପନ୍ନ କରିଥିଲେ।