ପୁଅ ମୃତ୍ୟୁର ଅଧଘଣ୍ଟା ପରେ ଆଖିବୁଜିଲେ ବାପା

ଜହ୍ନାପଙ୍କ : ବୌଦ୍ଧ ବ୍ଲକ ମୁଣ୍ଡାପଡ଼ା ପଂଚାୟତ କମିରା ଗ୍ରାମର ସୁବିଜ୍ଞ ରଣା (୫୩)ଙ୍କ ସୋମବାର ମୃତ୍ୟୁ ହୋଇଯାଇଛି। ଏହାର ଅଧଘଣ୍ଟା ପରେ ତାଙ୍କ ବାପା ବସନ୍ତ ରଣାଙ୍କ ମୃତ୍ୟୁ ହୋଇଯାଇଥିବା ଜଣାଯାଇଛି। ୨ ଜଣ ସଦସ୍ୟଙ୍କ ମୃତ୍ୟୁ ପରେ ପରିବାର ଲୋକ ଭାଙ୍ଗି ପଡ଼ିଛନ୍ତି।

ସୁବିଜ୍ଞଙ୍କ ପେଟ ଫୁଲିବା ସହ ଝାଡ଼ା ପରିସ୍ରା ବନ୍ଦ ହୋଇଯାଇଥିଲା। ଅର୍ଥ ଅଭାବରୁ ତାଙ୍କର ଚିକିତ୍ସା ହୋଇପାରୁ ନଥିଲା। ଏ ନେଇ ରବିବାର ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ତେବେ ସୋମବାର ଦିନ ୧୨ଟାରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ଏହାର ଅଧଘଣ୍ଟା ପରେ ତାଙ୍କ ବାପା ବସନ୍ତ ରଣାଙ୍କ ମଧ୍ୟ ମୃତ୍ୟୁ ହୋଇଯାଇଥିଲା। ସ୍ଥାନୀୟ ସରପଞ୍ଚ ବିଦ୍ୟାଧର ସ୍ବାଇଁଙ୍କ ସହଯୋଗରେ ପରିବାର ଲୋକ ଓ ବନ୍ଧୁ ପରିଜନ ଗାଁ ମୁଣ୍ଡ ଶ୍ମଶାନରେ ଗୋଟିଏ ଜୁଇରେ ପିତା-ପୁତ୍ରଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ତାଙ୍କ ପୁଅ ସୌମିତ୍ରୀ ରଣା ମୁଖାଗ୍ନି ଦେଇଥିଲେ।

ସରପଞ୍ଚ ଶ୍ରୀ ସ୍ବାଇଁ ଏହି ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ପ୍ରଦାନ କରିଥିଲେ। ତେବେ ସୁବିଜ୍ଞଙ୍କ ଚିକିତ୍ସାରେ ସବୁ କିଛି ହରାଇ ସାରିଥିବା ଏହି ପରିବାର ପାଖରେ ଦଶାହ କାର୍ଯ୍ୟ ଆଦି କରିବାକୁ ଟଙ୍କାଟିଏ ବି ନାହିଁ। ଫଳରେ ପରିବାର ଲୋକ ଚିନ୍ତିତ ହୋଇପଡ଼ିଛନ୍ତି।

ସମ୍ବନ୍ଧିତ ଖବର