ବାଲୁଗାଁ : ପୁଅ ବାହାଘର ଉତ୍ସବ ଚାଲିଥିବାବେଳେ ହ‌ୃଦ୍‌ଘାତରେ ଆଖି ବୁଜିଲେ ବାପା। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବାଲୁଗାଁ ଏନ୍ଏସି ଅନ୍ତର୍ଗତ ୧୧ ନମ୍ବର ୱାର୍ଡ ସରଳାପଦର ଗ୍ରାମରେ। ଏହା ବିବାହ ଉତ୍ସବକୁ ଶୋକାକୁଳ କରିଦେଇଛି।

Advertisment

ବାଲୁଗାଁ ଗାନ୍ଧୀଛକଠାରେ ଥିବା ବିଜୟା ହୋଟେଲର ମାଲିକ ବିଜୟ କୁମାର ସାହୁ (୫୪)ଙ୍କର ଏକମାତ୍ର ପୁଅ ଅନୀଲ(୨୩)ଙ୍କର ରବିବାର ଦିନ ବିବାହ ଥିଲା। ଅନୀଲଙ୍କୁ ନେଇ ବରଯାତ୍ରୀ ଦଳର ଶୋଭାଯାତ୍ରା ଧୁମଧାମ୍‌ରେ ଗାଁ ପରିକ୍ରମା କରିବା ପରେ ଅପରାହ୍ନ ୪ଟା ସମୟରେ କନ୍ୟାଘର କାକଟପୁର ଅଭିମୁଖେ ଯାତ୍ରା କରିଥିଲେ। ସନ୍ଧ୍ୟା ୭ଟା ସମୟରେ କାକଟପୁରରେ ପହ‌ଞ୍ଚିବା ପରେ ରୋଷଣି, ବାଣ ଓ ଡିଜେ ଆଦି ପ୍ରସ୍ତୁତ କରି ଶୋଭାଯାତ୍ରା କନ୍ୟାଘର ଅଭିମୁଖେ ଯାତ୍ରା କରିଥିଲା। ନାଚ ଗୀତରେ ଘଟଣାସ୍ଥଳ ଫାଟି ପଡୁଥିଲା। ତେବେ ଏହି ସମୟରେ ହଠାତ୍ ବରପିତା ବିଜୟ ସାହୁଙ୍କୁ ହୃଦ୍‌ଘାତ ହୋଇଥିଲା। ବନ୍ଧୁବାନ୍ଧବମାନେ ତୁରନ୍ତ ଶ୍ରୀ ସାହୁଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍‌ପିଟାଲକୁ ନେଇ ଯାଇଥିଲେ। ମାତ୍ର ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ଜାଣି ତାଙ୍କୁ ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା। ବିଜୟଙ୍କୁ ପୂର୍ବରୁ ମଧ୍ୟ ହୃଦ୍‌ଘାତ ହୋଇଥିଲା। ତେବେ ଶେଭାଯାତ୍ରାବେଳେ ଡିଜେର ପ୍ରବଳ ଶବ୍ଦ ଦ୍ବାରା ହୃଦ୍‌ଘାତ ହୋଇଥିବା ସେଠାରେ ଉପସ୍ଥିତ ଥିବା ଲୋକେ କହିଛନ୍ତି।

ଏପଟେ ବିଜୟଙ୍କୁ ହସ୍‌ପିଟାଲ ନିଆଯାଇଥିବାବେଳେ ସେପଟେ ପୁଅର ବିବାହ ସରିଥିଲା। ସକାଳେ ପୁଅ ବୋହୂ ଘରେ ପହଞ୍ଚିଥିଲେ। କିନ୍ତୁ ଏହା ସହିତ ବିଜୟଙ୍କ ମରଶରୀର ମଧ୍ୟ ସେଠାରେ ପହଞ୍ଚିଥିଲା। ଏଭଳି ଘଟଣା ପରିବାରକୁ ସ୍ତବ୍‌ଧ କରିଦେଇଥିବାବେଳେ ସମଗ୍ର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଥିଲା। ପୁରୀ ସ୍ବର୍ଗଦ୍ବାରରେ ବିଜୟଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିଲା।