ପୁଅର ଦଶାହରେ ଆଖିବୁଜିଲେ ବାପା

ଅନୁଗୁଳ : କରୋନାର ରୂପ କେମିତି କରାଳ ହୋଇପାରେ, ଏମିତି ଏକ କରୁଣ ଚିତ୍ର ଆସିଛି ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଜୁଲିବନ୍ଧ ଗାଁରୁ। ଗାଁର ଶତ୍ରୁଘ୍ନ ପ୍ରଧାନ(୬୮) ମଙ୍ଗଳବାର ବିଳମ୍ବିତ ରାତିରେ ତାଳଚେର କୋଭିଡ୍ ଡାକ୍ତରଖାନାରେ ପ୍ରାଣ ହରାଇଛନ୍ତି। ଆଉ ଦୁଃଖର ବିଷୟ, କୋଭିଡ୍‌ରେ ଜୀବନ ହାରିଥିବା ତାଙ୍କ ପୁଅର ଗତକାଲି ଥିଲା ଦଶାହ। ଘରେ ପୁଅର ଦଶାହ କାର୍ଯ୍ୟ ଚାଲିଥିଲାବେଳେ ବାପାଙ୍କ ମୃତ୍ୟୁ ଖବର ପୂରା ପରିବାରକୁ ଭାଙ୍ଗି ଦେଇଛି। ଏପଟେ ଘରେ ଦୁଇଜଣ ସଦସ୍ୟ କୋଭିଡକୁ ହରାଇବା ପାଇଁ ଏବେ ବି ଲଢେଇ କରୁଛନ୍ତି।

ଅନୁଗୁଳ ଜିଲ୍ଲା କଣିହାଁ ବ୍ଳକ କମରେଇ ପଞ୍ଚାୟତ ଜୁଲିବନ୍ଧ ଗାଁର ହରେକୃଷ୍ଣ ପ୍ରଧାନଙ୍କୁ ପ୍ରଥମେ ଜ୍ବର ହୋଇଥିଲା। ତେଣୁ ସେ ନିଜର କୋଭିଡ୍ ପରୀକ୍ଷା କରାଇଥିଲେ। ଗତ ୩୦ ତାରିଖରେ ଏହା ପଜିଟିଭ୍‌ ଆସିବାପରେ ସେ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିଲେ। ଏହାପରେ ଘରେ ଅନ୍ୟମାନଙ୍କର କୋଭିଡ୍ ପରୀକ୍ଷା କରାଯାଇଥିଲା। ତାଙ୍କ ଭାଇ ଦୁଃଶାସନ ପ୍ରଧାନ(୪୨), ବାପା ଶତ୍ରୁଘ୍ନ ପ୍ରଧାନ(୬୮) ଓ ମା ନୁହୁରାଣୀ ପ୍ରଧାନ(୫୮)ଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଏମାନଙ୍କ ଦେହ ଠିକଠାକ୍ ଥିବାରୁ ସମସ୍ତେ ଘରେ ରହି ଚିକିତ୍ସିତ ହେଉଥିଲେ। କିନ୍ତୁ ୭ ତାରିଖରେ ଦୁଃଶାସନଙ୍କ ଅବସ୍ଥା ବିଗିଡ଼ିଥିଲା। ତାଙ୍କ ଦେହରୁ ଅକ୍ସିଜେନ୍‌ ସ୍ତର କମିଥିଲା। ତେଣୁ ତାଙ୍କୁ ପ୍ରଥମେ ତାଳଚେର କୋଭିଡ୍‌ ଡାକ୍ତରଖାନା ଓ ପରେ ଭୁବନେଶ୍ବରର ସମ୍ ଡାକ୍ତରଖାନାକୁ ନେଇଥିଲେ ପରିବାରବର୍ଗ। ଆଉ ସେଠାରେ ହିଁ ୯ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ଏଣେ ପୁଅ ଖବର ଶୁଣି କୋଭିଡ୍ ଆକ୍ରାନ୍ତ ଶତ୍ରୁଘ୍ନ ପ୍ରଧାନଙ୍କ ଅବସ୍ଥା ବି ଖରାପ ଆଡ଼କୁ ଯାଇଥିଲା। ତେଣୁ ବାଧ୍ୟ ହୋଇ ତାଙ୍କୁ ତାଳଚେର କୋଭିଡ୍ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ସଂପର୍କୀୟ।

କିନ୍ତୁ ପୁଅ ଖବର ଶୁଣି ସେ ମାନସିକ ସ୍ତରରେ ଏତେ ଦୁର୍ବଳ ହୋଇ ପଡ଼ିଥିଲେ ଯେ, କରୋନା ବିରୋଧରେ ଲଢିବାକୁ ଆଉ ଶକ୍ତି ନ ଥିଲା। ତଥାପି ଭେଣ୍ଟିଲେଟରରେ ରଖି ତାଙ୍କର ଚିକିତ୍ସା ଚାଲିଥିଲା। ଆଉ ଏପଟେ ଦୁଃଶାସନଙ୍କ ଦଶାହ କାର୍ଯ୍ୟ କାଲି ଶେଷ ହୋଇଥିଲା। ଏକାଦଶାହ କାର୍ଯ୍ୟ ପାଇଁ ପ୍ରସ୍ତୁତି ଚାଲିଥିଲାବେଳେ ଗତକାଲି ରାତିରେ ହିଁ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ବାପା ଶତ୍ରୁଘ୍ନ।

ସମ୍ବନ୍ଧିତ ଖବର