ଏମିତି ବି ଆସେ ମୃତ୍ୟୁ…! ଝିଅ ବିଦା ବେଳେ ଉଠିଲା ବାପାଙ୍କ କୋକେଇ

ଯୁଯୁମୁରା : ଝିଅର ବାହାଘର ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବନ୍ଧା ସରିଛି ବେଦି। ବରଯାତ୍ରୀଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ବି ଶେଷ ହୋଇଛି। ବନ୍ଧୁବାନ୍ଧବଙ୍କ କୋଳାହଳରେ ଘର ପୂରି ଉଠୁଛି। ସାଇ ଭାଇ, ସଂପର୍କୀୟ ସମସ୍ତେ ବିବାହକୁ ନେଇ ଉତ୍ସାହିତ। ଏମିତି ଏକ ଖୁସିର ମୁହୂର୍ତ୍ତରେ ଘଟିଥିଲା ଦୁଃଖଦ ଘଟଣା। କନ୍ୟାଙ୍କ ପିତା ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ମେଡିକାଲ୍‌କୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଝିଅ, ଜ୍ବାଇଁ ବିଦାୟ ନେବା ପରେ ଆରମ୍ଭ ହୋଇଥିଲା ବାପାଙ୍କ ଅନ୍ତିମ ସଂସ୍କାର ପର୍ବ। ଏପରି ଏକ ଦୁଃଖଦ ଘଟଣା ଘଟି ଯାଇଛି ଯୁଯୁମୁରା ଥାନା ଡଙ୍ଗାପାଳ ବାହାଡ଼ାପଡ଼ାରେ। ମୃତକ ହେଲେ ଦୁର୍ଯୋଧନ ନାଏକ (୫୦।

ମିଳିଥିବା ସୂଚନା ଅନୁଯାୟୀ ରବିବାର ଦୁର୍ଯୋଧନଙ୍କ ବଡ଼ ଝିଅ ଅନୁକମ୍ପାଙ୍କ ବିବାହ ସୋନପୁର ପିପିଲିପାଲିର ଚୌଧୁରୀଙ୍କ ସହିତ ସ୍ଥିର ହୋଇଥିଲା। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା। ସକାଳୁ ଘରେ ଗହଳଚହଳ ଲାଗି ଯାଇଥିଲା। ସକାଳ ପ୍ରାୟ ୭ଟା ୩୦ ମିନିଟ୍‌ରେ ହଠାତ୍‌ ଦୁର୍ଯ୍ୟୋଧନ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଯୁଯୁମୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ଜାଣିବା ପରେ ଦୁର୍ଯ୍ୟୋଧନଙ୍କୁ ମେଡିକାଲ୍‌ ନେଇ ଯାଇଥିବା ତାଙ୍କ ପୁଅ ଓ ସଂପର୍କୀୟମାନେ ହତବାକ୍‌ ହୋଇପଡ଼ିଥିଲେ। କିପରି ଏ ଖବର ଝିଅ ଓ ପରିବାର ଲୋକଙ୍କୁ ଦିଆଯିବ? କେମିତି ବାହାଘର ହେବ? ଏହାକୁ ନେଇ ଭାଳେଣି ପଡ଼ିଯାଇଥିଲା। ସେପଟେ ବାହାଘର ପାଇଁ ବର ଓ ବରଯାତ୍ରୀ ବାହାରି ସାରିଥିଲେ। ଶେଷରେ ନିଷ୍ପତ୍ତି ହୋଇଥିଲା ଏ ଦୁଃଖଦ ଖବର ଝିଅ ଓ ତାଙ୍କ ମା’ଙ୍କୁ ଦିଆଯିବନି। ଅପରାହ୍‌ଣ ପ୍ରାୟ ୧୨ଟା ୩୦ରେ ବରଯାତ୍ରୀ ପହଞ୍ଚିବା ପରେ ଗ୍ରାମବାସୀ ମିଶି ବିବାହ କାର୍ଯ୍ୟକୁ ସୁରୁଖୁରୁରେ ସଂପନ୍ନ କରାଇଥିଲେ। ଝିଅ ବିଦା ହେବା ପରେ ଦୁର୍ଯୋଧନଙ୍କ ଅନ୍ତିମ ସଂସ୍କାର ପ୍ରକ୍ରିୟା ଆରମ୍ଭ ହୋଇଥିଲା। କିଛିକ୍ଷଣ ପୂର୍ବରୁ ଯେଇଁଠି ବିବାହ ବାଦ୍ୟ କମ୍ପୁଥିଲା ସେଠାରେ କାନ୍ଦ ବୋବାଳି ଫାଟି ପଡ଼ୁଥିଲା। ଝିଅ ବିଦା ଦେବା ସମୟରେ ଆଖିରୁ ଲୁହର ଧାର ଶୁଖି ନ ଥିବାବେଳେ ପୁଣି ଆଖିକୁ ଓଦା କରିଥିଲା ଗୃହକର୍ତ୍ତାଙ୍କ ମୃତ୍ୟୁର ଦୁଃଖ। ଝିଅ ଶାଶୂଘରକୁ ବିଦାୟ ନେଇ ସୁଖର ସଂସାର ଗଢ଼ିବାକୁ ଯାଉଥିବା ବେଳେ ଗାଁ ଶ୍ମଶାନରେ ଜଳୁଥିଲା ବାପାଙ୍କ ଜୁଇ। ରବିବାର ଘଟିଥିବା ଏହି ଦୁଃଖଦ ଘଟଣାକୁ ନେଇ ପୂରା ଗାଁରେ ଗଭୀର ଶୋକ ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର