ଆନନ୍ଦପୁର : ୭ବର୍ଷର ଝିଅକୁ ବଞ୍ଚାଇ କୁଶେଇ ନଦୀରେ ବୁଡ଼ିଗଲେ ବାପା। ପ୍ରଖର ସ୍ରୋତରେ ଭାସି ଯାଉଥିବା ଝିଅକୁ ସିନା ଉଦ୍ଧାର କରିଦେଲେ; ନିଜେ କିନ୍ତୁ ଭାସିଗଲେ। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏଭଳି ଦୁଃଖଦ ଘଟଣା ଘଟିଛି ଘସିପୁରା ଥାନା ଦରଡ଼ିପାଳ ପଞ୍ଚାୟତ ଜଳସୁଆଁ ଗ୍ରାମରେ। ମୃତକ ହେଲେ ସେହି ଗ୍ରାମର ପଦ୍ମନାଭ ସାହୁ (୪୫)। ପଦ୍ମନାଭ ଘର ପାଖ କୁଶେଇ ନଦୀକୁ ଆଜି ଦିନ ପ୍ରାୟ ୧୦ଟା ବେଳେ ଝିଅ ବନି(୭)କୁ ନେଇ ଗାଧୋଇବାକୁ ଯାଇଥିଲେ। ଗୋଡ଼ ଖସିଯିବାରୁ ବନି ନଦୀ ସୁଅରେ ଭାସି ଯାଇଥିଲେ। ପ୍ରଖର ସ୍ରୋତରେ ଭାସି ଯାଉଥିବା ଦେଖି ପଦ୍ମନାଭ ଝିଅକୁ ବଞ୍ଚାଇବା ପାଇଁ ନଦୀଗର୍ଭକୁ ଡେଇଁ ପଡ଼ିଥିଲେ। ଝିଅକୁ ଉଦ୍ଧାର କରିବା ସହ ସୁଅର ବିପରୀତ ଦିଗରେ ଉପରକୁ ଉଠିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଲୋକେ ବନିକୁ ଉଠାଇ ଆଣିଥିବା ବେଳେ ପଦ୍ମନାଭ ଭାସି ଯାଇଥିଲେ। କିଛି ସମୟ ମଧ୍ୟରେ ତାଙ୍କୁ ଉଦ୍ଧାର କରାଯାଇ ଆନନ୍ଦପୁର ଉପଖଣ୍ତ ଡାକ୍ତରଖାନା ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘସିପୁରା ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଆନନ୍ଦପୁର ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଇଛି।
ଝିଅକୁ ବଞ୍ଚାଇ ନଦୀରେ ବୁଡ଼ିଗଲେ ବାପା
/sambad/media/post_attachments/wp-content/uploads/2019/08/drown.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)