ଝିଅକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ବାପାକୁ ଫାଶୀଦଣ୍ଡ; ଗାଁ ସ୍ତବ୍ଧ, ପୁନଃବିଚାର ପାଇଁ ନିବେଦନ

ଶେରଗଡ଼ : ଗୁଜୁରାଟର ସୁରତ ସହର ଦୁମାସ୍ ଥାନା ଇଲାକାରେ ୨୦୧୭ ଜୁନ୍ ୨୯ରେ ନିଜ ଜନ୍ମକଲା ଝିଅକୁ ବାପା ଦୁଷ୍କର୍ମ ଏବଂ ହତ୍ୟା କରିଥିବା ମାମଲାର ରାୟ ପ୍ରକାଶ ପାଇଛି। ଏହି ଅମାବନୀୟ ଘଟଣାରେ ଦୋଷୀ ସାବ୍ୟସ୍ତ ଟୁକୁନା ଦାସକୁ ସୁରତ ଜିଲ୍ଲା ଅଦାଲତ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ରାୟ ପ୍ରକାଶ ପରେ ଟୁକୁନାର ନିଜ ଘର ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଓ ଶେରଗଡ଼ ବ୍ଲକ୍ ଅଧୀନ ପଟାପାବୁଲି ଗ୍ରାମ ସ୍ତବ୍ଧ ହୋଇଯାଇଛି। ଗଞ୍ଜାମ ଜିଲ୍ଲାରେ ବି ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟପଟେ ଅଭିଯୁକ୍ତ ଟୁକୁନାର ପରିବାର ତଥା ଗ୍ରାମବାସୀ ଆଜି ମାମଲାର ପୁନଃବିଚାର ପାଇଁ ଗଣମାଧ୍ୟମ ସମ୍ମୁଖରେ ନିବେଦନ କରିଛନ୍ତି। ବର୍ତ୍ତମାନ ଗାଁରେ ଟୁକୁନାଙ୍କ ମା ‌ସମେତ ତାଙ୍କର ଦୁଇ ଭାଇ ଓ ତିନି ଭଉଣୀ ଅଛନ୍ତି।

ଟୁକୁନା ସୁରତରେ ଶ୍ରମିକ ଭାବେ କାମ କରୁଥିଲା। ପ୍ରଥମ ପତ୍ନୀଙ୍କ ସହ କୌଣସି ବିବାଦରୁ ବିଚ୍ଛେଦ ପରେ ସେ ଦ୍ବିତୀୟ ପତ୍ନୀଙ୍କ ସହ ସୁରତରେ ରହୁଥିଲା।  ସାଙ୍ଗରେ ରହୁଥିବା ପ୍ରଥମ ପତ୍ନୀଙ୍କ ଝିଅକୁ ଟୁକୁନା ବାରମ୍ବାର ଦୁଷ୍କର୍ମ କରିବା ସହ ଏ କଥା ବାହାରେ ପ୍ରକାଶ ନକରିବାକୁ ଧମକ ଦେଇ ଆସୁଥିଲା। ଝିଅ ୬ ମାସର ଗର୍ଭବତୀ ଥିବା ଜାଣିବା ପରେ ଚିକିତ୍ସା କରାଇବା ବାହାନାରେ ଡାକି ନେଇ ତାକୁ ହତ୍ୟା କରିଥିଲା। ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଟୁକୁନାର କଥାବାର୍ତ୍ତା ଓ ଗତିବିଧି ସନ୍ଦେହ ଘେରକୁ ଆସିଥିଲା। ମୃତ ଝିଅ ଓ ଟୁକୁନାର ଡିଏନ୍‌ଏ ପରୀକ୍ଷା ପରେ ସମସ୍ତ ରହସ୍ୟ ଜଣାପଡ଼ିଥିଲା। ଟୁକୁନାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ୨ ବର୍ଷ ପରେ ଏହି ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ସୁରତ ଜିଲ୍ଲା ଅଦାଲତ ଟୁକୁନାକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି।

ସମ୍ବନ୍ଧିତ ଖବର