ସମ୍ବଲପୁର/ବାମରା/କୁଚିଣ୍ଡା: ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଜରାବଗା ପଞ୍ଚାୟତର ଲପଡ଼ା ଗାଁରେ ପ୍ରାୟ ୩ ବର୍ଷ ପୂର୍ବରୁ ଗୋଟିଏ ପରିବାରର ୩ ଜଣଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଯିବା ମାମଲାର ରାୟ ବୁଧବାର ପ୍ରକାଶ ପାଇଛି। କୁଚିଣ୍ଡା ଏଡିଜେ ରାଜକିଶୋର ଲେଙ୍କା ହତ୍ୟାକାଣ୍ଡର ମୁଖ୍ୟ ଅପରାଧୀ ତଥା ନବୀନ ଦେହୁରୀକୁ ଫାଶୀ ଓ ପୁଅ ହେମାନନ୍ଦ ଓରଫ ମଣ୍ଟୁକୁ ଆଜୀବନ ଦଣ୍ଡାଦେଶ ଦେଇଛନ୍ତି। ଳପଡ଼ା ଗାଁର ୨୦ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି କୋର୍ଟ ଉଭୟ ବାପା ଓ ପୁଅଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ଓକିଲ ରବୀନ୍ଦ୍ର ନାୟକ ମାମଲାର ପରିଚାଳନା କରୁଥିଲେ।

Advertisment

publive-image

ସୂଚନାଯୋଗ୍ୟ, ୨୦୨୦ ଅକ୍ଟୋବର ୨୧ ତାରିଖ ଦିନ ପ୍ରାୟ ୨ଟା ବେଳେ ଲପଡ଼ା ଗାଁର ଗିରିଧାରୀ ପୂର୍ବରୁ କାଟି ରଖିଥିବା ଧାନକୁ ‌ଆଣିବା ପାଇଁ ବିଲକୁ ଯାଇଥିଲେ। କିଛି ସମୟ ପରେ ନବୀନ ଦେହୁରୀ (୫୦) ଓ ତା ପୁଅ ମଣ୍ଟୁ ଦେହୁରୀ (୨୨) ଟାଙ୍ଗିଆ ଧରି ବିଲ ଅଭିମୁଖେ ଯିବା ଗାଁ ଲୋକେ ଦେଖିଥିଲେ। ସେଠାରେ ଗିରିଧାରୀଙ୍କୁ ନବୀନ ଓ ମଣ୍ଟୁ ଟାଙ୍ଗିଆରେ ହାଣି ହତ୍ୟା କରି ବିଲରେ ଫୋପାଡ଼ି ଦେଇଥିଲେ। ଏହାପରେ ସେମାନେ ଗାଁକୁ ଫେରି ଆସିଥିଲେ। ଗାଁ ଦାଣ୍ଡରେ ଥିବା ନଳକୂଅକୁ ଗିରିଧାରୀଙ୍କ ପତ୍ନୀ ସାବିତ୍ରୀ ସାହୁ (୩୫) ଓ ତାଙ୍କ ମା’ ପୀରବତୀ ବେହେରା (୫୫) ପାଣି ନେବାକୁ ଆସିଥିଲେ। ସେତିକିବେଳେ ରକ୍ତମୁଖା ନବୀନ ଟାଙ୍ଗିଆ ଧରି ଦଉଡ଼ି ଆସି ଉଭୟ ମହିଳାଙ୍କୁ ନୃଶଂସଭାବେ ହାଣି ପକାଇଥିଲା। ଘଟଣାସ୍ଥଳରେ ହିଁ ଉଭୟଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା।

ଘଟଣା ସମ୍ପର୍କରେ ଖବର ପାଇ ସମ୍ବଲପୁର ଏସ୍‌ପି କନ୍‌ୱର ବିଶାଳ ସିଂହ, କୁଚିଣ୍ଡା ଏସଡ଼ିପିଓ ରାଜକିଶୋର ମିଶ୍ର, ମହୁଲପାଲି ଥାନା ଅଧିକାରୀ ଜ୍ୟୋସ୍ନାରାଣୀ ବେହେରା, ସବଇନ୍ସପେକ୍ଟର ଦିଲୀପ ବେହେରା ସଦଳବଳେ ପହଞ୍ଚି ଘରେ ଲୁଚିଥିବା ଅଭିଯୁକ୍ତ ବାପ-ପୁଅ ନବୀନ ଓ ମଣ୍ଟୁକୁ କାବୁ ତଦନ୍ତ ଆରମ୍ଭ କରିଥିଲେ। ଘଟଣା ପରେ ଲପଡ଼ା ଗାଁରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଗାଁରେ ବ୍ୟାପକ ପୁଲିସ୍‌ ମୁତୟନ କରାଯାଇଥିଲା। ଏହି ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ ମାମଲାକୁ ରେଡ୍ ଫ୍ଳାଗ୍ ଟ୍ୟାଗ୍‌ କରାଯାଇଥିଲା।