ଖୋଲିଗଲା ସୈତାନୀ ମୁଖା! : ବାହା ନହେବାରୁ ଝିଅକୁ ଦୁର୍ବ୍ୟବହାର

କୁଚିଣ୍ଡା :ଏହା କୌଣସି ଯାତ୍ରାର କାହାଣୀ ନୁହେଁ। ବାସ୍ତବ ଜୀବନରେ ଘଟିଥିବା ଏକ ଘଟଣା। ନାବାଳିକା ଝିଅକୁ ବିବାହ କରିବା ପାଇଁ ଅଡ଼ି ବସିଛି ଜଣେ କାମାନ୍ଧ ଲୋକ। ଏଥିରେ ପ୍ରତିବାଦ କରିବାରୁ ପତ୍ନୀଙ୍କୁ ଟାଙ୍ଗିଆରେ ହାଣି ପକାଇଛି। ଏହିଭଳି ଏକ ଘଟଣା ବାପ-ଝିଅ ପବିତ୍ର ସଂପର୍କ ଓ ସ୍ନେହର ବନ୍ଧନକୁ ଦଳିମଚକି ଦେଇଛି।

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅନ୍ତର୍ଗତ ବକ୍ସମା ଗ୍ରାମରେ ଏହି ଘଟଣା ଘଟିଛି। ଏହି ଗ୍ରାମର ବ୍ରହ୍ମା ବାଘଙ୍କ ଦୁଇଟି ପତ୍ନୀ । ପ୍ରଥମ ପତ୍ନୀଙ୍କ ମୃତ୍ୟୁ ହୋଇଯାଇଛି। ପ୍ରଥମ ପତ୍ନୀ ତରଫରୁ ଥିବା ତାଙ୍କର ୩ ପୁଅ ଝିଅ ଏବେ ସେମାନଙ୍କ ମାମୁଁ ଘରେ ଅଛନ୍ତି। ଏହାପରେ ବ୍ରହ୍ମା ଊର୍ମିଳାଙ୍କୁ ବିବାହ କରିଥିଲା। ଊର୍ମିଳା ପୂର୍ବରୁ ବିବାହିତା ଏବଂ ପୂର୍ବ ସ୍ବାମୀ ତରଫରୁ ତାଙ୍କର ଗୋଟିଏ ଝିଅ ଅଛି। ଦ୍ବିତୀୟ ବିବାହ ପରେ ବ୍ରହ୍ମା ଓ ଊର୍ମିଳାଙ୍କ ଆଉ ୩ ପୁଅ ଝିଅ ଅଛନ୍ତି। ସେମାନଙ୍କ ସହ ପୂର୍ବ ବିବାହରୁ ଜନ୍ମିତ ୧୯ ବର୍ଷ ବୟସ୍କା ଝିଅ ବି ରହୁଥିଲେ।

ତେବେ, କିଛିଦିନ ଧରି ବ୍ରହ୍ମା ତା’ର ଉକ୍ତ ସାବତ ଝିଅ ଉପରେ ଲୋଲୁପ ଦୃଷ୍ଟି ପକାଇବା ସହ ଯୌନ ନିର୍ଯାତନା ଦେଇ ଆସୁଥିଲା। କେବଳ ସେତିକି ନୁହେଁ, ସେହି ଝିଅକୁ ବିବାହ କରି ପତ୍ନୀ ଭାବରେ ରଖିବ ବୋଲି କହୁଥିଲା। ବ୍ରହ୍ମାର ଏଭଳି ଆଚରଣକୁ ଊର୍ମିଳା ବିରୋଧ କରୁଥିବାବେଳେ ଶେଷରେ ଅତିଷ୍ଠ ହୋଇ ୪ ପୁଅ ଝିଅଙ୍କୁ ନେଇ ନିକଟ ଗାଁରେ ଥିବା ସଂପର୍କୀୟ ମାମୁ ଘରେ ରହୁଥିଲେ।

ଆଜି ଊର୍ମିଳା ତାଙ୍କ ବଡ଼ ଝିଅ (୧୯) ସହିତ ଜଙ୍ଗଲରୁ ଜା‌ଳେଣି କାଠ ସଂଗ୍ରହ କରି ଫେରୁଥିବା ସମୟରେ ପୂର୍ବରୁ ଛକି ରହିଥିବା ବ୍ରହ୍ମା ସେହ ଝିଅଙ୍କୁ ଦୁର୍ବ୍ୟବହାର କରିଥିଲା। ଏହାର ପ୍ରତିରୋଧ କରିବାରୁ ପତ୍ନୀ ଊର୍ମିଳାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା। ଊର୍ମିଳାଙ୍କ ଅଣ୍ଟା ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି।

ଘଟଣା ସଂପର୍କରେ ଖବର ପାଇ କେତେକ ଗଣମାଧ୍ୟମ ପ୍ରତିନିଧି ଊର୍ମିଳାଙ୍କୁ ଗୁରୁତର ଅବସ୍ଥାରେ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ, ତାଙ୍କ ଅବସ୍ଥା ଗୁରୁତର ହେବାରୁ କୁଚିଣ୍ଡା ଚାଇଲ୍‌ଡଲାଇନ୍ ସହାୟତାରେ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର