ବାପାଙ୍କୁ ପକ୍ଷାଘାତ, ମା’ଙ୍କ କିଡ୍‌ନି ଅଚଳ

ଜୀବନ ପାଲଟିଛି ଯନ୍ତ୍ରଣା

ଭୁବନେଶ୍ୱର: କଥାରେ ଅଛି ଦୁଃଖ ଯେବେ ଆସେ, ସାଙ୍ଗରେ ଦଳବଳ ଧରି ଆସେ। ଆଉ ମଣିଷର ଜୀବନ ପାଲଟିଯାଏ ଯନ୍ତ୍ରଣାର ଯତୁଗୃହ। ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର, ଶାଳଡିହର ବାସିନ୍ଦା ଅଶୋକ କୁମାର ଜେନା(୫୦)ଙ୍କ ପରିବାରରେ ଏବେ ଏମିତି ଦୁଃଖ ଓ ଯନ୍ତ୍ରଣାର ରାଜୁତି ଚାଲିଛି। ଅଶୋକ ଗତ କୋଡ଼ିଏ ବର୍ଷ ହେଲା ପକ୍ଷାଘାତର ଶିକାର। ଏବେ ତାଙ୍କ ପତ୍ନୀଙ୍କ କିଡ୍‌ନି ବି ଅଚଳ ହୋଇଯାଇଛି। ସେମାନଙ୍କ ଏପରି ଅବସ୍ଥା ପରେ ଦୁଇ ପୁଅ କେମିତି ସେମାନଙ୍କ ଚିକିତ୍ସା କରିବେ ଓ କିପରି ସଂସାର ଚଳାଇବେ ତାହାର କୂଳ କିନାରା ପାଉନାହାନ୍ତି।

ବିବାହର ମାତ୍ର କିଛି ବର୍ଷ ପରେ ଅଶୋକଙ୍କର ଏପରି ଅବସ୍ଥା ହୋଇଥିଲା। ଇତିମଧ୍ୟରେ ତାଙ୍କ ଦୁଇ ପୁଅ ଜୀବନ ଓ ତପନ ଜନ୍ମ ନେଇ ସାରିଥା’ନ୍ତି। ସ୍ୱାମୀଙ୍କ ଏପରି ଦୁର୍ଦ୍ଦଶାକୁ ନିୟତିର ବିଧାନ ଭାବି ସ୍ତ୍ରୀ ରୀନାରାଣୀ ଜେନା(୩୫) ଘର ଚଳାଇବା ସହ ଦୁଇ ପୁଅଙ୍କ ଭବିଷ୍ୟତ ପାଇଁ ଅଣ୍ଟା ଭିଡ଼ିଥିଲେ। ନିଜ ଜମିରେ ଚାଷ କରିବା ସହ ମୁଢି ବିକ୍ରି କରି ଯାହା ଆୟ କରୁଥିଲେ, ସେଥିରେ ଚାରି ପ୍ରାଣୀ ଦୁଃଖକଷ୍ଟେ ଚଳି ଯାଉଥିଲେ।

ହେଲେ ଦଇବର ଦାଉ ଏତିକିରେ ସରିନଥିଲା। ଘର ଚଳାଉଥିବା ରୀନାରାଣୀଙ୍କ ଦେହ ଗତ କିଛି ମାସ ଧରି ବାରମ୍ବାର ଖରାପ ହେଉଥିଲା। ସ୍ଥାନୀୟ ଚିକିତ୍ସାଳୟରେ ଚିକିତ୍ସା କରି ରୋଗର କାରଣ ଜାଣି ପାରୁନଥିଲେ। ଅତି ଗୁରୁତର ହେବାରୁ ଗତ ଫେବ୍ରୁଆରି ମାସରେ ଆପୋଲୋ ହସ୍ପିଟାଲରେ ପରୀକ୍ଷା ପରେ ଜାଣିବାକୁ ପାଇଲେ ଯେ ତାଙ୍କର ଦୁଇଟି ଯାକ କିଡ୍‌ନି ନଷ୍ଟ ହୋଇସାରିଛି। ଏହା ଜାଣିଲା ପରେ ତାଙ୍କ ମୁଣ୍ଡରେ ଚଡ଼କ ପଡ଼ିଥିଲା। ନିଜ ରୋଗ ଅପେକ୍ଷା ତାଙ୍କ ଦୁଇ ପୁଅଙ୍କ ଭବିଷ୍ୟତ କଥା ଭାବି ସେ ବେଶୀ ଚିନ୍ତିତ ହୋଇ ପଡ଼ିଥିଲେ। ଇତିମଧ୍ୟରେ ତାଙ୍କର ୪୫ରୁ ଅଧିକ ଥର ଡାଏଲିସିସ୍‌ ସରିଲାଣି। ଏଥିପାଇର୍ ତାଙ୍କର ଯାହା କିଛି ଜମିବାଡ଼ି ଥିଲା ସେସବୁ ବିକ୍ରି କରି ସାରିଲେଣି । ଡାଏଲିସିସ୍‌ ପାଇଁ ଅର୍ଥ ନ ଥିବା ବେଳେ କିଡ୍‌ନି ପ୍ରତିରୋପଣ କଥା ଭାବିବା ତାଙ୍କ ପାଇଁ ସ୍ୱପ୍ନ ପାଲଟିଛି। ବଡ଼ ପୁଅ ଜୀବନ ବର୍ତମାନ ଏମ୍‌ପିସି କଲେଜରେ ଯୁକ୍ତ ତିନି ଦ୍ୱିତୀୟ ବର୍ଷରେ ପାଠ ପଢୁଥିବା ବେଳେ ଟିୟୁସନ୍‌ କରି ଯାହା ଆୟ କରୁଛନ୍ତି ସେଥିରେ ଘର ଚଳାଇବା ସହ ସ୍ଥାନୀୟ ନର୍ସିଂ ହୋମ୍‌ରେ ମା’ଙ୍କ ଚିକିତ୍ସା କରୁଛନ୍ତି। ହେଲେ ଅର୍ଥାଭାବରୁ ନିୟମିତ ଭାବେ ଚିକିତ୍ସା କରୁପାରୁନଥିବା ଜୀବନ କହିଛନ୍ତି। କେହି ବଦାନ୍ୟ ବ୍ୟକ୍ତିି, ସ୍ୱେଚ୍ଛାସେବୀ ସଂଗଠନ କିମ୍ବା ସରକାରଙ୍କ ନିକଟରୁ ସହାୟତା ପାଇଁ ଜୀବନ ଅନୁରୋଧ କରିଛନ୍ତି। ଏଥିନେଇ ଜୀବନଙ୍କ ମୋବାଇଲ ନମ୍ବର ୭୩୮୧୧୪୧୨୭୪/ ୭୮୯୪୦୮୩୦୯୯ ରେ ଯୋଗଯୋଗ କରିପାରିବେ।

ସମ୍ବନ୍ଧିତ ଖବର