ପତ୍ନୀ ମାନ୍ୟତା ଦାବିରେ ଧାରଣା ୬୬ ଦିନରେ : ଦୀପିକାଙ୍କ ଶାଶୂ-ଶ୍ବଶୁରଙ୍କୁ ପଚରାଉଚରା କଲା ପୁଲିସ

ବ୍ରହ୍ମପୁର: ବ୍ରହ୍ମପୁର ଦୀପିକା ମାମଲାରେ ନୂଆ ମୋଡ ନେଇଛି। ପୁଲିସ ଦୀପିକାଙ୍କ ଏତଲା ଆଧାରରେ ଶାଶୂ ଓ ଶ୍ୱଶୁରଙ୍କୁ ଥାନାକୁ ଡକାଇ ପଚରା ଉଚରା କରିଛି। ପ୍ରେମିକ କେ.ଦିନେଶଙ୍କ ଘର ଆଗରେ ୬୬ ଦିନ ହେଲା ସ୍ତ୍ରୀର ମାନ୍ୟତା ଦାବିରେ ଦୀପିକା ଧାରଣାରେ ବସିଛନ୍ତି ।

ଗତକାଲି ଦୀର୍ଘଦିନ ଅନୁପସ୍ଥିତ ରହି ଘରକୁ ଫେରିବା ପରେ ଦୀପିକା ଟାଙ୍ଗିଥିବା ପାଲକୁ ଚିରି ଫୋପାଡି ଦେଇଥିଲେ ଶାଶୁ ଓ ଶ୍ୱଶୂର । ଏପରିକି ତାଙ୍କୁ ଦୁର୍ବ୍ୟବହାର କରିିବା ସହ ମାଡ ମାରିଥିବା ଅଭିଯୋଗ ଆଣି ଦୀପିକା ବ୍ରହ୍ମପୁର ବଡବଜାର ଥାନାରେ ଏତଲା ଦେଇଥିଲେ । ଆଉ ଏତଲା ଆଧାରରେ ଧାରଣାସ୍ଥଳକୁ ପୁଲିସ ଆସି ତଦନ୍ତ କରିବା ସହ କେ ଦିନେଶଙ୍କ ବାପା କେ. ଦିଲ୍ଲୀପ କୁମାର ଓ ମାଆ କେ ବିଟାଶ୍ରୀଙ୍କ ସହ ଦୀପିକାଙ୍କୁ ଥାନାକୁ ନେଇଛି ।

ଦୀପିକା ଧାରଣାରେ ବସିଥିବାବେଳେ କିଛି ଦିନ ହେବ ଘର ଛାଡି ବାହାରକୁ ଚାଲିଯାଇଥିଲେ ଦୀନେଶଙ୍କ ପରିବାର । ହେଲେ, ଗତକାଲି ଫେରିଆସି ଦୀପିକା ଟାଙ୍ଗିଥିବା ପାଲକୁ ଚିରି ଫୋପାଡି ଦେଇଥିଲେ । ଏହାକୁ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ହେଲେ, ଏହାରି ଭିତରେ ନୂଆ ଚାଲ ଖେଳିଛନ୍ତି ଦୀନେଶଙ୍କ ମାଆ । କହିଛନ୍ତି, ସେ ଦୀନେଶଙ୍କୁ ମଧ୍ୟ ଘରୁ ବାହାର କରିଦେଇଛନ୍ତି । ତେଣୁ ସେମାନେ ତାଙ୍କ କଥା ବୁଝିବେ।

ଦୀପିକା ଓ ଦୀନେଶ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ଉଭୟ ପରସ୍ପରକୁ ଭଲ ପାଉଥିଲେ । ହେଲେ, ପରବର୍ତୀ ସମୟରେ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା । ବିବାଦ ଥାନାରେ ପହଞ୍ଚିଥିଲା । ଦୀପିକାଙ୍କ ଅଭିଯୋଗ ଆଧାରରେ ଦୀନେଶ ଜେଲକୁ ଯାଇଥିଲେ । ଆଉ ଜେଲରୁ ଫେରିବା ପରେ ଦୀନେଶ ଦୀପିକାଙ୍କୁ ଧରାଛୁଆଁ ଦେଇ ନଥିଲେ । ଏହା ଭିତରେ ଦୀପିକା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ଆଉ ସେହି ପିଲାର ବାପା ଦୀନେଶ ବୋଲି ଦୀପିକା ଦାବି କରିଆସୁଛନ୍ତିି ।

ସମ୍ବନ୍ଧିତ ଖବର