ବ୍ରହ୍ମଗିରିରେ ନବବଧୂଙ୍କ ଆତ୍ମହତ୍ୟା: ଶଶୁର ଗିରଫ, ଅଭିଯୁକ୍ତ ସ୍ବାମୀ, ଶାଶୂ ଓ ନଣନ୍ଦ ଫେରାର

ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଞ୍ଚଳରେ ନବବଧୂଙ୍କୁ ଆତ୍ମହତ୍ୟା ଲାଗି ବାଧ୍ୟ କରିବା ଅଭିଯୋଗରେ ଶଶୁର କୈଳାସ ପୂଜାରୀଙ୍କୁ ପୁଲିସ୍ ଗିରଫ କରିଥିବା ଜଣାଯାଇଛି। କନ୍ୟାପିତା ଅଜୟ ବରାଳଙ୍କ ଏତଲାକ୍ରମେ ପୁଲିସ୍ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତେବେ ଘଟଣାର ଅନ୍ୟ ଅଭିଯୁକ୍ତ ସ୍ବାମୀ, ଶାଶୂ ଓ ନଣନ୍ଦ ଫେରାର ଥିବା ଜଣାଯାଇଛି। ପୁଲିସ୍ ସେମାନଙ୍କୁ ଖୋଜୁଥିବା ସୂଚନା ମିଳିଛି। ସେମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ବ୍ରହ୍ମଗିରି ଥାନା ଅଞ୍ଚଳରେ ଏକ ଘର ଭିତରୁ ନବବଧୂଙ୍କ ଝୁଲନ୍ତା ମୃତଦେହ ଠାବ ହେବା ଘଟଣା ଚାଞ୍ଚଲ୍ୟ ଖେଳାଇଦେଇଥିଲା। ଏଣେ ଏହାକୁ ଆତ୍ମହତ୍ୟା ନୁହେଁ, ବରଂ ହତ୍ୟା ବୋଲି ମୃତ ନବବଧୂଙ୍କ ପରିବାର ଲୋକେ ଅଭିଯୋଗ ଆଣିଥିଲେ। ତାଙ୍କୁ ନିୟମିତଭାବେ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରିଛନ୍ତି କନ୍ୟାପିତା ଅଜୟ ବରାଳ।


ମିଳିଥିବା ସୂଚନା ଅନୁଯାୟୀ, ହାତିଆ ଗାଁର ଅଜୟ ବରାଳଙ୍କ ଝିଅ ଗୁଡ଼ୁଲି ବରାଳ ପ୍ରାୟ ବର୍ଷକ ପୂର୍ବେ ପୂଜାରୀ ସାହିର କୈଳାସ ପୂଜାରୀଙ୍କ ଜଗନ୍ନାଥ ପୂଜାରୀଙ୍କୁ ପ୍ରେମବିବାହ କରିଥିଲେ। କିନ୍ତୁ ଗତ ୨୨ ତାରିଖ ସକାଳେ ଘର ଭିତରୁ ଗୁଡ଼ୁଲିଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଥିଲା। ଖବର ପାଇ ବ୍ରହ୍ମଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏନେଇ ବ୍ରହ୍ମଗିରି ଥାନା ଆଇଆଇସି ମନୋଜ କୁମାର ଶତପଥୀ ସୂଚନା ଦେଇଥିଲେ। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ଗାଁରେ ଚର୍ଚ୍ଚା ଲାଗି ରହିଥିବା ବେଳେ ଗୁଡ଼ୁଲି ବରାଳଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଇଥିବା ପୁଲିସ ତଦନ୍ତରୁ ଜଣାଯାଇଛି।

ସମ୍ବନ୍ଧିତ ଖବର