ବୋହୂକୁ ଦୁଷ୍କର୍ମ ମାମଲାରେ ଶ୍ବଶୁରକୁ ୧୭ ବର୍ଷ ଜେଲ୍‌

ରାଇରଙ୍ଗପୁର: ୨୦୧୮ରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ବହୁଚର୍ଚ୍ଚିତ ପୁତ୍ରବଧୂ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ଶ୍ବଶୁରକୁ ୧୭ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ରାଇରଙ୍ଗପୁର ଏଡିଜେ କୋର୍ଟ। ପୁଲିସର ତଦନ୍ତ ରିପୋର୍ଟ ଓ ୪୭ ଜଣଙ୍କ ସାକ୍ଷ୍ୟପ୍ରମାଣ ଆଧାରରେ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଦୀପକ କୁମାର ଅଭିଯୁକ୍ତ ରାମଗୋପାଲ ଖେମକାଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦୁଷ୍କର୍ମ ଅଭିଯୋଗରେ ୧୦ ବର୍ଷ କାରାଦଣ୍ଡ ଓ ୫୦୦୦ ଟଙ୍କା ଜୋରିମାନା, ଆତ୍ମହତ୍ୟା ପାଇଁ ବାଧ୍ୟ କରିବା ଅଭିଯୋଗରେ ୫ ବର୍ଷ କାରାଦଣ୍ଡ ସହିତ ୩୦୦୦ ଟଙ୍କା ଜୋରିମାନା ଓ ନାରୀ ନିର୍ଯାତନା ପାଇଁ ୨ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ରାୟ ପ୍ରକାଶ ପାଇବା ପରେ ଆସାମୀ ରାମ ଗୋପାଲ ଖେମକାଙ୍କୁ ରାଇରଙ୍ଗପୁର ଉପକାରାଗାରକୁ ପଠାଇ ଦିଆଯାଇଛି।

୨୦୧୫ ମସିହା ଏପ୍ରିଲ ୨୮ରେ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଗ୍ରାମର ଦିଲ୍ଲୀପ ଅଗ୍ରୱାଲଙ୍କ ଝିଅ ଶିବାଙ୍ଗୀଙ୍କ ସହିତ ରାଇରଙ୍ଗପୁର ୱାର୍ଡ ନଂବର ୫ର ରାମଗୋପାଲ ଖେମକାଙ୍କ ପୁଅ ଅବିନାଶଙ୍କର ବୈଦିକ ରୀତିରେ ବିବାହ ହୋଇଥିଲା। ବିବାହର ୩ ବର୍ଷ ପରେ ୨୦୧୮ ମସିହା ଜାନୁଆରି ୧୨ ତାରିଖରେ ଶିବାଙ୍ଗୀଙ୍କୁ ଦୁଷ୍କର୍ମ ସହ ନିର୍ଯାତନା ଓ କିରାସିନି ଢାଳି ନିଆଁ ଲଗାଇ ହତ୍ୟା କରାଯାଇଥିବା ଝିଅ ଘର ଲୋକ ରାଇରଙ୍ଗପୁର ଟାଉନ୍‌ ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ପୁଲିସ ରାଇରଙ୍ଗପୁରର ବିଶିଷ୍ଟ ବ୍ୟବସାୟୀ ରାମଗୋପାଲ ଖେମକା, ତାଙ୍କ ସ୍ତ୍ରୀ ସୁନୀତା ଖେମକା, ପୁଅ ଅବିନାଶ ଖେମକା ଓ ଝିଅ ପାୟଲ ଖେମକାଙ୍କ ନାଁରେ ମାମଲା ରୁଜୁ କରିଥିବା ବେଳେ ଆଜି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଚୂଡ଼ାନ୍ତ ରାୟ ପ୍ରକାଶ କରି ରାମଗୋପାଲ ଖେମକାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅନ୍ୟ ଅଭିଯୁକ୍ତମାନେ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଅକ୍ଷୟ ମହାନ୍ତି ମାମଲା ପରିଚାଳନା କରିଥିବା ବେଳେ ଓକିଲ ଉମାପଦ ମଣ୍ଡଳ ଓ ମନୋଜ ସେଠୀ ସହଯୋଗ କରିଥିଲେ। ଅଭିଯୁକ୍ତଙ୍କ ପକ୍ଷରୁ ବାରିପଦାର ବିଶିଷ୍ଟ ଆଇନଜୀବୀ ପ୍ରଦୀପ ରଥ ଓ ରାଇରଙ୍ଗପୁରର ରାଜିନ୍ଦର ରାମ ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର