ହାତୁଡ଼ିରେ ପିଟି ବୋହୂକୁ ହତ୍ୟା

ଶେରଗଡ଼ : ହାତୁଡ଼ିରେ ପିଟି ବୋହୂକୁ ନିର୍ମମ ହତ୍ୟା ପରେ ଶ୍ବଶୁର ଆତ୍ମସମର୍ପଣ କରିଛି। ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଗୋବିନ୍ଦପୁର ଗ୍ରାମରେ ଘଟିଥିବା ଏଭଳି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଆଜି ଆଲୋଡ଼ନ ସୃଷ୍ଟି କରିଛି। ମୃତ ମହିଳା ଜଣକ ହେଉଛନ୍ତି ପିଙ୍କି ସ୍ବାଇଁ। ଏକ ହତ୍ୟା ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି।

ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁସାରେ, ଗୋବିନ୍ଦପୁର ଗ୍ରାମର ଗୌଡ଼ ସ୍ବାଇଁଙ୍କ ପୁଅ ଫିରୋଜ ନିଜ ଗାଁର ନରସିଂହ ସ୍ବାଇଁଙ୍କ ଝିଅ ପିଙ୍କିଙ୍କ ସହ ଫୋନରେ ବାର୍ତ୍ତାଳାପରୁ ପ୍ରେମ ସଂପର୍କ ବଢାଇଥିଲେ। କିନ୍ତୁ ଏହାକୁ ପିଙ୍କିଙ୍କ ପରିବାର ଲୋକେ ବିରୋଧ କରି ଆସୁଥିଲେ। ଅନ୍ୟ କୌଣସି ଉପାୟ ନ ପାଇ ଶେଷରେ ପିଙ୍କିଙ୍କୁ ତାଙ୍କ ବାପା ନରସିଂହ ଜବରଦସ୍ତ ଗୌଡ଼ଙ୍କ ଘରେ ଛାଡ଼ି ଆସିଥିଲେ। କିଛି ଦିନ ପରେ ପିଙ୍କି ଓ ଫିରୋଜ ତାରାତାରିଣୀ ମନ୍ଦିରରେ ବିବାହ କରିଥିଲେ। ତେବେ ବିବାହ ପରଠୁ ପିଙ୍କିଙ୍କୁ ତାଙ୍କ ବାପ ଘରକୁ ଛଡ଼ା ନଯିବା ସହ ଶ୍ବଶୁର ଲୋକେ ଅକଥନୀୟ ନିର୍ଯାତନା ଦେଉଥିଲେ। ଫିରୋଜଙ୍କର ମଧ୍ୟ ପିଙ୍କିଙ୍କ ସହ ବହୁ ସମୟରେ ଗଣ୍ଡଗୋଳ ହେଉଥିଲା।

ଗତକାଲି ରାତିରେ ଗୌଡ଼ ବୋହୂ ପିଙ୍କିଙ୍କ ସହ ଯୁକ୍ତିତର୍କ କରିଥିଲେ। ଏହା ପରେ ଏକ ହାତୁଡ଼ିରେ ତାଙ୍କ ମୁଣ୍ଡକୁ ତୁହାକୁ ତୁହା ପିଟି ହତ୍ୟା କରିଥିଲେ। ଆଉ ଘ‌ରେ ତାଲା ପକାଇ ରାତି ପ୍ରାୟ ୨ଟା ୧୫ ମିନିଟରେ ସାଇକେଲରେ କୁଆଡ଼େ ପଳାଇଥିଲେ। ଆଜି ଭୋରରେ ଥାନାକୁ ଯାଇ ଆତ୍ମସମର୍ପଣ କରିବା ସହ ଗୌଡ଼ ସମସ୍ତ ଦୋଷ ସ୍ବୀକାର କରିଥିଲେ।

ସମ୍ବନ୍ଧିତ ଖବର