୫ ବର୍ଷର ପୁଅକୁ ମାରି ଟାଙ୍ଗିଦେଲା ବାପା

ରାଉରକେଲା : ପତି-ପତ୍ନୀଙ୍କ କଳିରେ ବଳି ପଡ଼ିଛି ନିଷ୍ପାପ ଶିଶୁ। ପତ୍ନୀ ଘରଛାଡ଼ି ଚାଲିଯିବାରୁ ରାଗରେ ୫ ବର୍ଷର ପୁଅକୁ ତଣ୍ଟିଚିପି ହତ୍ୟା କରି ଚୁନିରେ ଟାଙ୍ଗି ଦେଇଛି ପିଶାଚ ବାପା। ଏମିତି ଅଭାବନୀୟ ଘଟଣା ଘଟିଛି ରାଉରକେଲା ଉଦିତନଗର ଥାନା ଅନ୍ତର୍ଗତ ଶୀତଳପଡ଼ା ବସ୍ତିରେ। ହତ୍ୟାକାରୀ ବାପା ରାଜୁ ଲାକ୍ରା (୨୪)କୁ ଉଦିତନଗର ପୁଲିସ ଗିରଫ କରିଛି।

ପତ୍ନୀ ଗୁନୁ ଲାକ୍ରାଙ୍କ ଅଭିଯୋଗ ଓ ପାରିପାର୍ଶ୍ବିକ ସ୍ଥିତି ଆଧାରରେ ପୁଲିସ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଶୀତଳପଡ଼ା ବସ୍ତିରେ ରାଜୁ ଲାକ୍ରା, ପତ୍ନୀ ଗୁନୁ ଓ ତାଙ୍କର ୫ ବର୍ଷର ପୁଅ ରହୁଥିଲେ। ରାଜୁ କୁଲି ମଜୁରି କାମ କରି ପରିବାର ପ୍ରତିପୋଷଣ କରେ। ପଡୋଶୀଙ୍କ କହିବାନୁଯାୟୀ, ଅଧିକାଂଶ ସମୟରେ ଉଭୟ ପତି ଓ ପତ୍ନୀଙ୍କ ମଧ୍ୟରେ ମାଡ଼ପିଟ୍‌ ହେଉଥିଲା। ତିନି ମାସ ପୂର୍ବରୁ ଗୁନୁ କାମ କରିବାକୁ ରାଜ୍ୟ ବାହାରକୁ ଚାଲିଯାଇଥିଲେ। ରାଜୁ ୫ ବର୍ଷର ପୁଅର ଲାଳନପାଳନ କରୁଥିଲା। ଗତ କିଛିଦିନ ତଳେ ଗୁନୁ ଘରକୁ ଫେରିଥିଲେ ହେଁ ଉଭୟଙ୍କ ମଧ୍ୟରେ ମାଡ଼ପିଟ୍‌ ବନ୍ଦ ହୋଇ ନଥିଲା। ଗତକାଲି ଗୁନୁ
ପୁଅକୁ ଅଙ୍ଗନବାଡି କେନ୍ଦ୍ରରେ ଛାଡିଥିଲେ। ପୁଅ ଛାଡ଼ି ଘରକୁ ଫେରି କାମ କରିବାକୁ ବାହାରି ଯାଇଥିଲେ। ରାତିରେ କିନ୍ତୁ ଘରକୁ ଫେରି ନଥିଲେ। ରାତିରେ ଘରକୁ ନ ଫେରିବାରୁ ପତ୍ନୀ ଉପରେ ରାଜୁର ସନ୍ଦେହ ଆହୁରି ବଢ଼ିଥିଲା। ରାଗରେ ସେ ନିଜର ହିତାହିତ ଜ୍ଞାନ ହରାଇ ବସିଥିଲା। ରାତି ପ୍ରାୟ ୧୧ଟାରେ ଘରେ ଶୋଇଥିବା ୫ ବର୍ଷର ପୁଅର ବେକକୁ ଚିପି ତାକୁ ହତ୍ୟା କରିଥିଲା। ପରେ ପତ୍ନୀର ଚୁନିରେ ପୁଅକୁ ଟାଙ୍ଗି ଦେଇ ଘରୁ ବାହାରି ଯାଇଥିଲା। ରାତି ସାରା ବସ୍ତିରେ ପାଗଳ ପରି ବୁଲାବୁଲି କରିଥିଲା।

ସକାଳେ ଘରେ ପହଞ୍ଚି ପୁଅକୁ କେହି ଜଣେ ହତ୍ୟା କରି ଟାଙ୍ଗି ଦେଇଛି ବୋଲି ପଡୋଶୀଙ୍କୁ କହିଥିଲା। ପଡୋଶୀମାନେ ଏ ସଂକ୍ରାନ୍ତରେ ଉଦିତନଗର ପୁଲିସ ସୂଚନା ଦେଇଥିଲା। ପୁଅର ହତ୍ୟା ଖବର ଶୁଣି ରାତିରେ ସେକ୍ଟର-୬ ଭଉଣୀ ଘରେ ଥିବା ଗୁନୁ ଶୀତଳପଡ଼ା ଘରେ ପହଞ୍ଚିଥିଲେ। ତାଙ୍କ ଅନୁପସ୍ଥିତରେ ପତି ରାଜୁ ତାଙ୍କ ୫ ବର୍ଷର ପୁଅକୁ ହତ୍ୟା କରି ଟାଙ୍ଗି ଦେଇଛି ବୋଲି ଥାନାରେ ଲିଖିତ ଏତଲା ଦେଇଥିଲେ।

ସମ୍ବନ୍ଧିତ ଖବର