ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧିନ ଚିଲିକା ବ୍ଲକର ନଈରୀ ଗ୍ରାମରେ ଆଜି ଟଙ୍କା ମାଗିବାରେ ବଚସାରୁ ଏକ ହତ୍ୟାକାଣ୍ଡ ଭଳି ଅଭାବନୀୟ ଘଟଣା ଘଟିଯାଇଛି। ଅଭିଯୋଗ ମୁତାବକ ନଈରୀ ଗ୍ରାମର ସାରଥୀ ନାୟକ ଏବଂ ତାଙ୍କ ପୁତ୍ର ସନତ ନାୟକ ସେହି ଗ୍ରାମର ଏକ କୁକୁଡ଼ା ଫାର୍ମରେ କାମ କରନ୍ତି। ତେବେ ପ୍ରତିଦିନ ପରି ଆଜି ମଧ୍ୟ କୁକୁଡ଼ା ଫାର୍ମକୁ ଉଭୟ ବାପା ପୁଅ କାମ ପାଇଁ ଯାଇଥିବା ବେଳେ ହଠାତ ଉକ୍ତ ଗ୍ରାମର କେଦାର ନାୟକ, ସ୍ତ୍ରୀ ସୁଷମା ନାୟକ ଏବଂ ତାଙ୍କ ପୁଅ ସୁକାନ୍ତ ନାୟକ ଏକଜୁଟ ହୋଇ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଅଭିଯୁକ୍ତମାନେ ଉପରୋକ୍ତ ଉଭୟ ବାପା ପୁଅଙ୍କୁ ଗାଳିଗୁଲଜ କରିବା ସହ ୨ ଲକ୍ଷ ଟଙ୍କା ମାଗିଥିଲେ। ସେମାନେ ଏଥିରେ ପ୍ରତିବାଦ କରି ବାରଣ କରିଥିଲେ। ଏଥିରେ ୩ ଜଣ ଯାକ ଉତକ୍ଷିପ୍ତ ହୋଇ ଉଭୟ ବାପ ପୁଅଙ୍କୁ ଛୁରାରେ ଆକ୍ରମଣ କରିଥିଲେ। ଏଥିରେ ପୁଅ ସନତ ଗୁରୁତର ଆହତ ହୋଇଥିବା ବେଳେ ସାରଥୀଙ୍କ ଛାତିରେ ଛୁରା ମାଡ଼ ହେବାରୁ ସେ ଘଟଣାସ୍ଥଳରେ ତଳେ ପଡିଯାଇଥିଲେ। ପରିବାର ଲୋକେ ତାଙ୍କୁ ସଙ୍ଗେସଙ୍ଗେ ବାଲୁଗାଁ ମେଡିକାଲ ନେଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।
ଏ ନେଇ ମୃତ ସାରଥୀଙ୍କ ପୁଅ ସନତ ବାଣପୁର ଥାନାରେ ଲିଖିତ ଅଭିଯୋଗ କରିବାପରେ ପୁ ଏକ ହତ୍ୟା ମାମଲା ରୁଜୁ କରି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ପ୍ରକାଶ। ଘଟଣାସ୍ଥଳରେ ପୁଲିସ ପହଞ୍ଚିବା ପୂର୍ବରୁ ହତ୍ୟାକାଣ୍ଡ ଘଟାଇ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ଓ ତଦନ୍ତ ଜାରି ରଖିଥିବା ବାଣପୁର ଆଇଆଇସି ଜୟପ୍ରକାଶ ପରିଡ଼ାଙ୍କ ସୂତ୍ରରୁ ପ୍ରକାଶ। ଏହି ଘଟଣା ପରେ ନଇରୀ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/IMG_20221208_171514.jpg)