ଗୁଳିମାଡ଼ରେ ବାପା ମୃତ, ମା’-ପୁଅଙ୍କୁ ଡାକ୍ତରଖାନାରେ ଭର୍ତ୍ତି; ୨ ଦୁର୍ବୁତ୍ତଙ୍କ କାବୁ କରି ନିସ୍ତୁକ ଛେଚିଲେ ଗାଁଲୋକେ

କେନ୍ଦ୍ରାପଡ଼ା: ଦିନ ଦ୍ବିପହରେ ପ୍ରାୟ ୧୦ ରାଉଣ୍ଡ ଗୁଳି ଫୁଟିଛି। ଏଥିରେ ପରିବାରର ମୁରବୀଙ୍କ ମୃତ୍ୟୁ ଘଟିଛି। ଗୁଳିମାଡ଼ରେ ମା’-ପୁଅ ଗୁରୁତର ହୋଇଥିବାରୁ ସେମାନଙ୍କୁୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ଅନ୍ତର୍ଗତ ବବକରପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଅରବିନ୍ଦ ମିଶ୍ର (୬୨)। ଗୁରୁତର ହେଲେ ଅରବିନ୍ଦଙ୍କ ସ୍ତ୍ରୀ ମୀନତି ମିଶ୍ର ଓ ପୁୁଅ ଶୁଭକେଶ ମିଶ୍ର (କାହ୍ନା)

ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ୩ଟାରେ ୨ ଜଣ ଦୁୁର୍ବୃତ୍ତ ବବକରପୁର ଗାଁରେ ପହଞ୍ଚି ଥିଲେ। ସେମାନେ କାହ୍ନାଙ୍କ ଘର କେଉଁଠି ଅଛି ବୋଲି ଗାଁ ଲୋକଙ୍କୁ ପଚାରିଥିଲେ। ୨ ଦୁର୍ବୃତ୍ତ କାହ୍ନାଙ୍କ ଘରେ ପହଞ୍ଚିବା ପରେ ବାହାର ପଟୁ ଡାକିଥିଲେ। କାହ୍ନା ବାହାରକୁ ଆସିବାରୁ ଦୁର୍ବୃତ୍ତମାନେ ଗୁଳି ଫୁଟାଇଥିଲେ। ଘର ବାହାରେ ଭୀଷଣ ଶବ୍ଦ ଶୁଣି ବାପା ଅରବିନ୍ଦ ମିଶ୍ର ଓ ମା’ ମୀନତି ବାହାରି ଆସିଥିଲେ। ଉଭୟ ସ୍ବାମୀ-ସ୍ତ୍ରୀ ମଧ୍ୟ ଦୁର୍ବୃତ୍ତଙ୍କର ଗୁଳିିର ଶିକାର ହୋଇଥିଲେ।

ତେବେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଅରବିନ୍ଦ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ମୀନତି ଓ କାହ୍ନା ଗୁରୁତର ହୋଇଛନ୍ତି। ଚିକିତ୍ସା ପାଇଁ ମା’ ଓ ପୁଅଙ୍କୁୁ କେନ୍ଦ୍ରାପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିିନ୍ତୁ ସେମାନଙ୍କର ଅବସ୍ଥା ସଂକଟାପନ୍ନ ଥିବାରୁ ପରେ କଟକ ବଡ଼ମେଡିକାଲ ସ୍ଥାନାନ୍ତରିତ କରାଯାଇଛି। ଗୁଳିମାଡ଼ ପରେ ପଳାୟନ କରୁଥିବା ବେଳେ ୨ ଦୁର୍ବୃତ୍ତଙ୍କୁ ଗାଁ ଲୋକେ କାବୁ କରି ନିସ୍ତୁକ ମାଡ଼ ମାରିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ପୁଲିସ ୨ ଜଣ ଦୁର୍ବୃତ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି। ଗାଁ ଲୋକଙ୍କ କହିବା ଅନୁସାାରେ ଦୁର୍ବୃତ୍ତମାନେ ୧୦ ରାଉଣ୍ଡ ଗୁଳି କରିଥିଲେ।

 

ସମ୍ବନ୍ଧିତ ଖବର