ଭେଡ଼େନ: ବରଗଡ଼ ଜିଲ୍ଲା ଭେଡ଼େନ ଥାନା ଅନ୍ତର୍ଗତ ବକଟି ପଞ୍ଚାୟତର ଅପାମରା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁର ବିଦେଶୀ ଧରୁଆ (୬୫)ଙ୍କୁ ବଡ଼ପୁଅ ବାବୁଲାଲ ଧରୁଆ (୪୫), ପୁତ୍ରବଧୂ ଯଶୋବନ୍ତୀ ଧରୁଆ (୪୨) ଓ ନାତି ବଳରାମ ଧରୁଆ (୧୯) ମିଶି ହତ୍ୟା କରିବା ସହ ଶବକୁ ବଲାଙ୍ଗୀର ନେଇ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି। ମୃତ ବିଦେଶୀଙ୍କ ସାନପୁଅ ତେଜରାଜ ଧରୁଆଙ୍କ ଅଭିଯୋଗ ଅନୁସାରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ବଡ଼ପୁଅ ବାବୁଲାଲ ଫେରାର ହୋଇ ଯାଇଥିବା ବେଳେ ଯଶୋବନ୍ତୀ ଓ ତାଙ୍କ ପୁଅ ବଳରାମଙ୍କୁ ପୁଲିସ ଅଟକ ରଖିଛି।

Advertisment

ଅଭିଯୁକ୍ତ ବଡ଼ପୁଅ ଫେରାର୍, ବୋହୂ ଓ ନାତି ଅଟକ
ହାଡ଼ ଜବତ କଲା ସାଇଣ୍ଟିଫିକ୍ ଟିମ୍‌

ପୁଲିସ ସୂଚନା ଅନୁସାରେ, ମୃତ ବିଦେଶୀ ଧରୁଆଙ୍କ ଦୁଇପୁଅ ଓ ଗୋଟିଏ ଝିଅ। ସେ ତାଙ୍କ ଜମିର ଧାନବିକ୍ରି ପଞ୍ଜୀକରଣ ନିମନ୍ତେ ସାନପୁଅ ସହ ଗତ ୨୫ ତାରିଖରେ ଭେଡ଼େନ ଆସିଥିଲେ। ଏ ବିଷୟରେ ଖବର ପାଇ ବଡ଼ପୁଅ ବାବୁଲାଲ ଓ ନାତି ବଳରାମ ସେଠାରେ ପହଞ୍ଚି ବଡ଼ପୁଅ ନାଁରେ ସମସ୍ତ ଜମିର ପଞ୍ଜୀକରଣ କରିବାକୁ କହି ଗଣ୍ଡଗୋଳ କରିଥିଲେ। ପରେ ବିଦେଶୀ ସେଠାରୁ ଫେରିଆସି ଏକ ଦୋକାନରେ ଅଟକି ଥିଲେ। ଏହି ସମୟରେ ବଡ଼ପୁଅ ବାବୁଲାଲ ସେଠାରେ ପହଞ୍ଚି ବାପା ବିଦେଶୀଙ୍କୁ ମାଡ୍‌ପିଟ କରିବାରୁ ସାନପୁଅ ତେଜରାଜ ଓ ତାଙ୍କ ଭଉଣୀ ଜ୍ବାଇଁ ବାରଣ କରିଥିଲେ। ପରେ ବିଳମ୍ବିତ ରାତିରେ ବିଦେଶୀ ଘରକୁ ଫେରୁଥିବା ସମୟରେ ବଡ଼ପୁଅ ଓ ନାତି ଦନ୍ତା ନଦୀ ବ୍ରିଜ ନିକଟରେ ପୁଣି ମାଡ୍‌ପିଟ୍ କରିଥିଲେ। ଏଥିସହ ଅପାମରା ଗାଁରେ ନିର୍ମାଣ କରିଥିବା ନୂଆ ଘରକୁ ନେଇଥିଲେ। ସେଠାରେ ପୁଅ, ବୋହୂ ଓ ନାତି ମିଶି ଏକ ଲୁହାରଡ୍‌ରେ ଆକ୍ରମଣ କରିବାରୁ ବିଦେଶୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ବିଦେଶୀଙ୍କ ମୃତ୍ୟୁ ହୋଇଥିବା ଜାଣି ଅଭିଯୁକ୍ତମାନେ ଶବକୁ ବାଇକ୍‌ରେ ଧରି ଗ୍ରାମ ଭିତରେ ଥିବା ପୁରୁଣା ଘରକୁ ନେଇଥିଲେ। ଏହି ସମୟରେ ସକାଳ ହୋଇଯିବାରୁ ବାପାଙ୍କ ଦେହ ଅସୁସ୍ଥ ଥିବା କହି ଚିକିତ୍ସା ପାଇଁ ଏକ ବୋଲେରୋ (ଓଆର୧୫ଆର-୯୬୫୪)ରେ ବରଗଡ଼ର ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ।

ସେଠାରେ ଡାକ୍ତର ମୃତ ଘୋଷଣା କରିବା ପରେ ହତ୍ୟାକାଣ୍ଡକୁ ଅନ୍ୟ ରୂପ ଦେବାକୁ ଯାଇ ହତ୍ୟାକାରୀ ବଡ଼ପୁଅ ବାବୁଲାଲ ଧରୁଆ, ବୋହୂ ଯଶୋବନ୍ତୀ ଧରୁଆ, ନାତି ବଳରାମ ଧରୁଆ ସେହି ଗାଡ଼ିରେ ବଲାଙ୍ଗୀରସ୍ଥିତ ହାଟପଦା ଶ୍ମଶାନକୁ ନେଇ ଶବ ପୋଡ଼ି ଦେଇଥିଲେ। ପରେ ଅନ୍ୟ ଏକ ଗାଡ଼ିରେ ଗ୍ରାମକୁ ଫେରି ଆସିଥିଲେ। ସାନପୁଅ ତେଜରାଜ ବାରମ୍ବାର ଫୋନ କରିଥିଲେ ହେଁ ସେମାନେ ଉଠାଇ ନଥିଲେ। ପରେ ବାପାଙ୍କୁ ଘରେ ନ ଦେଖିବାରୁ ସାନପୁଅ ସନ୍ଦେହ କରି ଭେଡ଼େନ ଥାନାରେ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ। ମାଜିଷ୍ଟ୍ରେଟ୍‌ ଆଲମ ନାୟକ, ସମ୍ବଲପୁର ସାଇଣ୍ଟିଫିକ୍‌ ଟିମ, ଭେଡେନ ଥାନା ଅଧିକାରୀ ସୁଶାନ୍ତ ଦାଶ ପ୍ରମୁଖ ଅପାମରା ଗାଁକୁ ଯାଇ ତଦନ୍ତ କରିଥିଲେ। ପରେ ସମସ୍ତେ ବଲାଙ୍ଗୀର ଯାଇ ଦାହ କରିଥିବା ସ୍ଥାନରେ ପହଞ୍ଚି ତଦନ୍ତ କରିଛନ୍ତି। ସେଠାରେ ଅଭିଯୁକ୍ତମାନେ ନିଜର ପରିଚୟ ଲୁଚାଇବା ସହ ଭୁଲ ତଥ୍ୟ ଦେଇ ଶବଦାହ କରିଥିବା ଜଣାପଡ଼ିଛି। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରୁ ହାଡ଼ ଆଦି ଜବତ କରି ଅଧିକ ତଦନ୍ତ ଜାରି ରଖିଛି।