ମଦ୍ୟପ ବାପା ୩ ଛୁଆଙ୍କୁ କୂଅରେ ପକାଇ ମାରିଲା

କୋଇଡ଼ା : ମାଟିତଳେ ଅଛି ଅମୂଲ୍ୟ ଖଣିଜ। ବାହାର ବ୍ୟବସାୟୀ ଆସି ତାକୁ ଲୁଟୁଛନ୍ତି। ସେଠି ବଡ଼ ପଦବିରେ ଚାକିରି ପାଉଛନ୍ତି ବାହାରର ଶିକ୍ଷିତ ଲୋକ। ସ୍ଥାନୀୟ ନିରକ୍ଷର ଲୋକେ ଦିନ ମଜୁରିଆ ଭାବେ ଖଣି ଖାଦାନରେ କେବଳ ଖଟୁଛନ୍ତି। ସ୍ଥାନୀୟ ଲୋକେ କୁଲିଗିରିରେ ସନ୍ତୁଷ୍ଟ ରହିବାକୁ ବାଧ୍ୟ ହେଉଥିବାବେଳେ ଶିଳ୍ପାୟନ ସହିତ ଅଞ୍ଚଳକୁ ଆସିଛି ନିଶାର ଲହର। ଅଭାବ ଓ ହତାଶାରେ ଦିନ ବିତାଉଥିବା ସ୍ଥାନୀୟ କୁଲି ମଣିଷ ସେଇ ନିଶା ଜହରରେ ଭାସି ଯାଉଛି। ଫଳରେ ଟଳମଳ ହୋଇ ଯାଉଛି ସାମାଜିକ ଓ ପାରିବାରିକ ସନ୍ତୁଳନ। ଏଇ ଶନିବାର ଦିନ ଖଣିଜ ସଂପଦରେ ଧନୀ ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ବ୍ଲକରେ ମଦନିଶାରେ ହିତାହିତ ଜ୍ଞାନ ଭୁଲି ବାପା ତିନି ତିନିଟି କଅଁଳ ଶିଶୁଙ୍କୁ ଜିଅନ୍ତା କୂଅରେ ପକାଇ ମାରିବା ଘଟଣା ଏହାର ପ୍ରମାଣ।

ସୂଚନା ଅନୁସାରେ, କୋଇଡ଼ା ଥାନା ଅନ୍ତର୍ଗତ ଡେଙ୍ଗୁଳା ପଞ୍ଚାୟତର କୁଲା ଗାଁର ଶେଷପ୍ରାନ୍ତରେ ଝାଟିମାଟି ଘରେ ରହନ୍ତି ପାଣ୍ଡୁ ମୁଣ୍ଡା(୨୨)ଙ୍କ ପରିବାର। ୩ ପୁଅ ଝିଅ ସୀମା (୫), ରାଜୁ (୨) ଓ ୨ମାସର ଝିଅ ଏବଂ ପତ୍ନୀ ଧୁବଲି(୨୦)ଙ୍କୁ ନେଇ ପାଣ୍ଡୁଙ୍କ ସଂସାର। ପାଣ୍ଡୁ ଦିନମଜୁରିଆ ଭାବେ କାମ କରେ। ଏଇ ୩୦ ତାରିଖ ଶନିବାର ଦିନ ପାଣ୍ଡୁ କୋଇଡ଼ା ହାଟରୁ ଯୋଉଦା କିଣି ବିଳମ୍ବିତ ରାତିରେ ମଦ ପିଇ ଘରକୁ ଫେରିଥିଲା। ମଦନିଶାରେ ସ୍ତ୍ରୀ ଧୁବଲିଙ୍କ ସହ ତାର କଥା କଟାକଟି ହୋଇଥିଲା। ବଚସା ଏତେ ଉଗ୍ରରୂପ ନେଇଥିଲା ଯେ ପାଣ୍ଡୁ ଧୁବଲିଙ୍କୁ ମାରିବା ପାଇଁ ଟାଙ୍ଗିଆ ଉଠାଇଥିଲା। ଧୁବଲି କୌଶଳକ୍ରମେ ସେଠାରୁ ଦୌଡ଼ି ପଳାଇଯାଇ ନିଜର ଜୀବନ ବଞ୍ଚାଇଥିଲେ। ପତ୍ନୀଙ୍କୁ ମାରି ନ ପାରି ପାଣ୍ଡୁ ମୁଣ୍ଡକୁ ପିତ୍ତ ଚଢ଼ି ଯାଇଥିଲା। ସ୍ତ୍ରୀ ଖସି ପଳେଇବା ଆଉ ମଦନିଶା ପାଣ୍ଡୁକୁ ଏତେ ନୃଶଂସ କରିଦେଲା ଯେ କିଛି ନ ଭାବି ଘରେ ଶୋଇଥିବା ୩ ଶିଶୁ ସୀମା ଓ ରାଜୁ ଓ ଦୁଇମାସର ଝିଅକୁ ଜଣକ ପରେ ଜଣେ ଟେକିଆଣି ନିକଟସ୍ଥ ପରିତ୍ୟକ୍ତ କୂଅରେ ଜିଅନ୍ତା ପକାଇ ଦେଇଥିଲା। ଗତକାଲି ଭୋର୍ ଭୋର୍ ମାଆ ଧୁବୁଲି ଘରକୁ ଫେରି ସ୍ବାମୀ ଓ ଶିଶୁମାନଙ୍କୁ ଘରେ ଖୋଜାଖୋଜି କରି ପାଇ ନଥିଲେ। ସକାଳ ହେଲା ପରେ ବଡ଼ଝିଅ ସୀମା ନିକଟସ୍ଥ କୂଅରେ ଭାସୁଥିବା ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ଧୁବୁଲି ସାହିପଡ଼ିଶାଙ୍କୁ ଏ ସମ୍ପର୍କରେ ଜଣାଇ କୋଇଡ଼ା ଥାନାକୁ ଖବର ଦେଇଥିଲେ। କୋଇଡ଼ା ଥାନା ଅଧିକାରୀ ଲୋକେଶ୍ବର ସାହୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ।

କୋଇଡ଼ା ଅଗ୍ନିଶମ ବିଭାଗ ଦୀର୍ଘ ୧ ଘଣ୍ଟା କସରତ ପରେ ୩ ଶିଶୁଙ୍କ ଶବକୁ କୂଅରୁ ଉଦ୍ଧାର କରିଥିଲା। ପୁଲିସ ଦ୍ବିପହର ବେଳେ ଅଭିଯୁକ୍ତ ବାପାକୁ ଜଙ୍ଗଲରେ ଲୁଚିଥିବା ଅବସ୍ଥାରେ କାବୁ କରିଥିଲା। ପାଣ୍ଡୁକୁ ଥାନାକୁ ଆଣି ବଣାଇ ଏଏସ୍‌ପି ସେକ୍ ମୁଜିବୁର ରହେମାନଙ୍କ ଉପସ୍ଥିତିରେ ପଚରାଉଚରା କରିବାରୁ ସେ ଉକ୍ତ ବୀଭତ୍ସ ହତ୍ୟାକାଣ୍ଡର ସମ୍ପୂର୍ଣ୍ଣ କାହାଣୀ ବଖାଣିଥିଲା। ସ୍ତ୍ରୀ ଧୁବଲି ଓ ଭାଇ ସାମରା ମୁଣ୍ଡାଙ୍କ ଏତଲା କ୍ରମେ ପୁଲିସ ହତ୍ୟା ମାମଲା ନମ୍ବର ୩୬ ରୁଜୁକରି ଅଭିଯୁକ୍ତ ବାପା ପାଣ୍ଡୁକୁ କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର