ପାତ୍ରପୁର : ‘କାହିଁକି ମଦ ପିଉଛ?’ ଖାଇବାକୁ ଦେବାକୁ ଯାଇଥିବା ବେଳେ ଏହିକଥା ପଚାରିବାରୁ ଉତ୍‌କ୍ଷିପ୍ତ ହୋଇପଡ଼ିଲେ ବାପା। ଏହାପରେ ଛୁରୀ ଭୁସି ପୁଅକୁ ହତ୍ୟା କଲେ। ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ଧାଡ଼ିଆମ୍ବ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି।

Advertisment

ମୃତ ଯୁବକ ଜଣକ ହେଲେ ପ୍ରତାପ ଶବର(୩୦)। ସୂଚନା ଅନୁସାରେ, ବାଉରିଆଙ୍କ ସାନପୁଅ ପ୍ରତାପଙ୍କୁ ପୋଷ୍ୟପୁଅ ଭାବେ ଗ୍ରହଣ କରିଥିଲେ ଧାଡ଼ିଆମ୍ବ ଗାଁର କେଶବ ଶବର। ବଡ଼ପୁଅର ମୃତ୍ୟୁପରେ ପ୍ରତାପଙ୍କ ପାଖରେ ରହୁଥିଲେ ବାପା‌-ମା’। ପରେ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବାପରେ ପ୍ରତାପ ଅନ୍ୟତ୍ର ରହିଥିଲେ। ବାପା ବାଉରିଆ ମଦପିଇ ଘରେ ଅଧିକାଂଶ ସମୟ ଗଣ୍ଡଗୋଳ କରିବାରୁ ତାଙ୍କ ପତ୍ନୀ ପୁଣିଥରେ ପ୍ରତାପଙ୍କ ଘରକୁ ଚାଲି ଯାଇଥିଲେ। ବିଭିନ୍ନ ସମୟରେ ବାଉରିଆ ‌ଗଣ୍ଡଗୋଳ କରି ଆସୁଥିଲେ। ତଥାପି, ପୁଅ ପ୍ରତାପ ବାପା ବାଉରିଆଙ୍କ ଦେଖାଶୁଣା କରୁଥିଲେ।

ଆଜି ସକାଳେ ପୁଅ ପ୍ରତାପ ଖାଇବା ନେଇ ବାପାଙ୍କ ପାଖକୁ ଯାଇଥିଲେ। ବାଉରିଆଙ୍କ ମଦ ପିଇବାକୁ ନେଇ ପୁଅ ପ୍ରତାପ ବିରୋଧ କରିଥିଲେ। ଏଥି‌ରେ ବାପା ବାଉରିଆ ଉତ୍ତ୍ୟକ୍ତ ହୋଇ ପୁଅ ପ୍ରତାପଙ୍କୁ ଛୁରାମାଡ଼ କରିଥିଲେ। ପ୍ରତାପଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା। ପ୍ରତାପ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ି ଯାଇଥିଲେ। ପ୍ରଚୁର ରକ୍ତସ୍ରାବ ହେବାରୁ ଘଟଣାସ୍ଥଳରେ ପ୍ରତାପଙ୍କ ମୃତ୍ୟୁ ଘଟିଥିଲା।

ଜରଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣାରେ କେସ୍ ନମ୍ବର ୭୯/୨୩ରେ ଜରଡ଼ା ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ହତ୍ୟାକାରୀ ବାପା ବାଉରିଆ ବିଷୋୟୀ(୫୩)କୁ ଗିରଫ କରି କୋର୍ଟଚାଲାଣ କରିଥିବା ବ୍ରହ୍ମପୁର ଏସ୍‌.ପି. ଡ. ଶରବଣା ବିବେକ ଏମ୍‌. ସୂଚନା ଦେଇଛନ୍ତି।