ଫୁଲବାଣୀ: ଘର ଭିତରେ ଝୁଲୁଥିଲା ନାବାଳକର ମୃତଦେହ। ସନ୍ଧ୍ୟାରେ ମା’ଆସି ଦେଖିଲା ବେଳକୁ ଏକମାତ୍ର ପୁଅର ମୃତଦେହ ଫ୍ୟାନ୍ରେ ଝୁଲୁଛି। ନାବାଳକର ସନ୍ଦେହଜନକ ମୃତ୍ୟୁକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ପୁଲିସର ପ୍ରାଥମିକ ତଦନ୍ତ ଏବଂ ସ୍ଥାନୀୟ ପଡ଼ୋଶୀଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ମଦ୍ୟପ ବାପା ନିଜ ପୁଅକୁ ମାରି ଫ୍ୟାନ୍ରେ ଝୁଲାଇ ଦେଇଥିବା ଅଭିଯୋଗ ହୋଇଛି। ଫୁଲବାଣୀ ଟାଉନ ପୁଲିସ ମଦ୍ୟପ ବାପାକୁ ଅଟକ ରଖି ପଚରାଉଚରା କରୁଛି। ଫୁଲବାଣୀ ସହର କେନ୍ଦୁପଦରରେ ଘଟିଛି ଏହି ହୃଦୟ ବିଦାରକ ଘଟଣା।
କେନ୍ଦୁପଦର ନିବାସୀ ପ୍ରମୋଦ ବଗର୍ତ୍ତି ଏବଂ ଜୟନ୍ତୀ ବଗର୍ତ୍ତିଙ୍କର ଏକମାତ୍ର ପୁତ୍ର ଥିଲେ ଅଭିଜିତ୍ ବଗର୍ତ୍ତି (୧୬)। ମାଆ ଜୟନ୍ତୀ ଥାନାରେ ଦେଇଥିବା ଏତଲା ଅନୁସାରେ, ସ୍ବାମୀ ପ୍ରମୋଦ ବଗର୍ତ୍ତି ନିଶାସକ୍ତ ଅବସ୍ଥାରେ ତାଙ୍କୁ ଓ ପୁଅ ଅଭିଜିତଙ୍କୁ ଅନେକ ସମୟରେ ମାରଧର କରନ୍ତି। ଜୟନ୍ତୀ ଅନ୍ୟମାନଙ୍କ ଘରେ କାମ କରି ପରିବାର ପୋଷୁଥିବା ବେଳେ ସ୍ବାମୀ ସବୁବେଳେ ମଦ ପିଇ ମାତାଲ ଅବସ୍ଥାରେ ରହୁଥିଲେ। ଗତକାଲି ସେ ଅନ୍ୟ ଘରକୁ କାମ କରିବାକୁ ଯାଇ ଫେରିବା ପରେ ଦେଖିଥିଲେ ଘର କବାଟ ଭିତର ପଟୁ ବନ୍ଦ ଅଛି। ସେ ଯେତେ କବାଟ ବାଡ଼େଇଲେ ମଧ୍ୟ କେହି କବାଟ ଖୋଲି ନଥିଲେ। ଶେଷରେ କବାଟ ତାଡ଼ି ଘର ଭିତରକୁ ପଶିଲା ବେଳକୁ ପୁଅକୁ ଫ୍ୟାନ୍ରେ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। ତେବେ ମଦ୍ୟପ ବାପା ନିଜ ନାବାଳକ ପୁଅକୁ ମାରି ଫ୍ୟାନ୍ରେ ଝୁଲାଇ ଦେଇଥାଇ ପାରନ୍ତି ବୋଲି ମୃତ ଅଭିଜିତର ମାଆ ନିଜ ଏତଲାରେ ଦର୍ଶାଇଛନ୍ତି। ଅନ୍ୟପଟେ ପୁଅକୁ ମଦ୍ୟପ ବାପା ମାରି ଫ୍ୟାନ୍ରେ ଝୁଲାଇ ଦେଇଛି ବୋଲି ମୃତ ନାବାଳକର ମାମୁ ପ୍ରେମାନନ୍ଦ ନାୟକ ଏବଂ ଅନ୍ୟ ସମ୍ପର୍କୀୟମାନେ ମଧ୍ୟ ଅଭିଯୋଗ କରିଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତଦନ୍ତ ଆଗକୁ ବଢ଼ିବ ବୋଲି ଫୁଲବାଣୀ ଟାଉନ ଥାନାଧିକାରୀ ପି. ସ୍ବରୂପ କିଷାନ୍ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/post_attachments/wp-content/uploads/2017/10/suicide-1.jpg)