ବାଲେଶ୍ଵର: ମାନ୍ୟବର ଜିଲ୍ଲା ଓ ଦୌରାଜଜ ଅଶାନ୍ତ କୁମାର ଦାସ ଏକ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ରାମ ସିଂକୁ ୧୦ ବର୍ଷ ଜେଲଦଣ୍ଡ ସହ ୧୦ ହଜାର ଜରିମାନା ରାୟ ଶୁଣାଣି କରିଛନ୍ତି। ୧୧.୧୧.୨୦୧୭ ଔପଦା ଥାନା ଅଧୀନ ବୁଦାଖୁଣ୍ଟା ଗ୍ରାମର ରାମ ସିଂ, ତା'ର ପୁଅ ବଟ ସିଂ, ଜଟା ସିଂ, ଝିଅ ଟୁରି ସିଂ ଜମିଜମା ନେଇ ପାଟିତୁଣ୍ଡ କରୁଥିଲେ। ବଡ଼ପୁଅ ଜଙ୍ଗଲ ସିଂ ଗଣ୍ଡଗୋଳ ରୋକିବାରେ ମଧ୍ୟସ୍ଥି କରିଥିଲା ଓ ତାକୁ ରାମ, ବଟ ଓ ଜଟା ବାଉଁଶରେ ପିଟିଥିଲେ। ସେ ପରଦିନ ମୃତ୍ୟୁବରଣ କରିଥିଲେ। ଏ ବାବଦରେ ଥାନାରେ ୫୧/୧୭ମାମଲା ରୁଜୁ ହୋଇଥିଲା। ୧୫ ସାକ୍ଷ୍ୟ, ୧୧ ଦସ୍ତାବିଜକୁ ଭିତ୍ତିକରି ବିଚାରପତି ରାମ ସିଂକୁ ଧାରା ୩୦୪(୨)ରେ ଉପରୋକ୍ତ ଦଣ୍ଡ ଶୁଣାଇଛନ୍ତି। ଏଥିସହ ଧାରା ୩୨୩ରେ ବଟ ଓ ତାର ଭଉଣୀ ଟୁରି ସିଂକୁ ୬ମାସ ଦଣ୍ଡାଦେଶ ମିଳିଛି। ସରକାରଙ୍କ ପକ୍ଷରୁ ପିପି ପ୍ରଶାନ୍ତ କୁମାର ମଲ୍ଲିକ ମୋକଦ୍ଦମା ପରିଚାଳନା କରୁଥିଲେ। ମାମଲାରେ ଜଟା ଏବେ ବି ପୁଲିସ ଫାଇଲରେ ଫେରାର ଅଛି।