ରାଉରକେଲା/ବେଦବ୍ୟାସ: ଦେଢ଼ ବର୍ଷର ଶିଶୁପୁତ୍ରକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ବାପା। ପାରିବାରିକ କଳହରୁ ବ୍ୟକ୍ତିଜଣକ ଭିଆଇଥିବା ଏହି ନାରକୀୟକାଣ୍ଡ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଉକ୍ତ ବ୍ୟକ୍ତିର ବୁଦ୍ଧେଶ୍ବର ସିଂହ (୪୦) ନାମକ ବ୍ୟକ୍ତି ନିଜ ନିଷ୍ପାପ ଶିଶୁକୁ ହତ୍ୟା କରିଛି। ପୁଅକୁ ବଞ୍ଚାଇବାକୁ ଯାଇ ଶିଶୁର ମା’ ପ୍ରମିଳା ସିଂହ, ଦୁଇ ପଡୋଶୀ ଲକି କୁମ୍ଭାର ଏବଂ ଘାସି କିଷାନ ଆହତ ହୋଇଛନ୍ତି। ଆହତମାନଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ଭତ୍ତି କରାଯାଇଛି। ଗୁରୁବାର ଦିନ ସାଢ଼େ ୧୧ଟାରେ ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଗର୍ଜନ ପଞ୍ଚାୟତ ଲୁନଗଢ଼ା ବସ୍ତିରେ ଏହି ଅଭାବନୀୟ ଘଟଣା ଘଟିଛି। ପାନପୋଷ ଏସ୍‌ଡିପିଓ ଉପାସନା ପାଢ଼ୀ, ବ୍ରାହ୍ମଣୀତରଙ୍ଗ ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି। ପୁଲିସ ଶିଶୁଟିର ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଆର୍‌ଜିଏଚ୍‌କୁ ପଠାଇଛି। ବ୍ରାହ୍ମଣୀତରଙ୍ଗ ପୁଲିସ ହତ୍ୟାକାରୀ ବାପା ବୁଦ୍ଧେଶ୍ବର ସିଂହ (୪୦)କୁ ଅଟକ ରଖିଛି। କିଛି ମାସ ହେଲା ବୁଦ୍ଧେଶ୍ବରର ମାନସିକ ବିକୃତି ବାହାରିଥିବାରୁ ସେ ଏଭଳି କାଣ୍ଡ ଭିଆଇ ଥାଇପାରେ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ମାନସିକ ଅବସ୍ଥା ଠିକ୍‌ ନଥିବାରୁ ବୁଦ୍ଧେଶ୍ବରର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ବୁର୍ଲା ପଠାଇଛି।

Advertisment

publive-image

ପ୍ରମିଳାଙ୍କ ଲିଖିତ ଅଭିଯୋଗ, ପଡୋଶୀଙ୍କ ବୟାନ ଓ ପାରିପାର୍ଶ୍ବିକ ସ୍ଥିତି ଆଧାରରେ ବ୍ରାହ୍ମଣୀତରଙ୍ଗ ପୁଲିସ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଲୁନଗଢ଼ା ବସ୍ତିରେ ବୁଦ୍ଧେଶ୍ବର ନିଜ ପତ୍ନୀ ପ୍ରମିଳା, ଦୁଇ ଝିଅ ପୂର୍ଣ୍ଣିମା (୧୧), ସଞ୍ଜିତା (୭) ଏବଂ ଦେଢ଼ବର୍ଷର ପୁଅ ସମୀର ସହ ରହୁଥିଲେ। ସେ ସ୍ଥାନୀୟ ଅଞ୍ଚଳରେ ରାଜମିସ୍ତ୍ରୀ କାମ କରି ପରିବାର ଚଳାନ୍ତି। ଗତ ପ୍ରାୟ ୨ ମାସ ଧରି ମାନସିକ ଅବସ୍ଥା ଠିକ୍‌ ନଥିବାରୁ କାମକୁ ଯାଉନଥିଲେ। ଗୁରୁବାର ସକାଳେ ପ୍ରମିଳା, ପୁଅ ସମୀର ଓ ବଡ଼ ଯାଆ ଉର୍ମିଳାଙ୍କ ସହ ନିକଟସ୍ଥ ମନ୍ଦିରକୁ ପୂଜା କରିବାକୁ ଯାଇଥିଲେ। ଦୁଇ ଝିଅଙ୍କୁ ପଡ଼ୋଶୀଙ୍କ ଘରେ ଛାଡି ଯାଇଥିଲେ। ଦିନ ପ୍ରାୟ ସାଢ଼େ ୧୧ଟାରେ ଘରକୁ ଫେରିଥିଲେ। ସ୍ବାମୀ ବୁଦ୍ଧେଶ୍ବରଙ୍କୁ ପାଣି ପିଇବାକୁ ଦେଇଥିଲେ। ପରେ ଖାଇବାକୁ ଡାକିଥିଲେ। ମାତ୍ର ବୁଦ୍ଧେଶ୍ବର ପତ୍ନୀଙ୍କ କଥା ଶୁଣିନଥିଲେ। ଦ୍ବିତୀୟବାର ପୁଣି ପ୍ରମିଳା ସ୍ବାମୀ ବୁଦ୍ଧେଶ୍ବରଙ୍କୁ ଖାଇବାକୁ ଡାକିଥିଲେ। ମାନସିକସ୍ଥିତି ଠିକ୍‌ ନଥିବାରୁ ବୁଦ୍ଧେଶ୍ବର ଉତ୍ତେଜିତ ହୋଇ ପତ୍ନୀ ପ୍ରମିଳାଙ୍କ ସହ ଝଗଡ଼ା କରିଥିଲେ। ଘରୁ ଟାଙ୍ଗିଆ ଆଣି ପ୍ରମିଳାଙ୍କୁ ମାରି ଗୋଡ଼ାଇଥିଲେ। ପ୍ରମିଳା ନିଜକୁ ବଞ୍ଚାଇବାକୁ ସ୍ବାମୀଙ୍କ ହାତରୁ ଟାଙ୍ଗିଆ ଛଡ଼ାଉଥିଲେ। ଏତିକିବେଳେ ସାମ୍ନାକୁ ଆସି ଯାଇଥିଲା ଶିଶୁ ସମୀର। ବୁଦ୍ଧେଶ୍ବର ପତ୍ନୀଙ୍କ ପରିବର୍ତ୍ତେ ପୁଅ ସମୀରର ମୁଣ୍ଡକୁ ଦୁଇଚୋଟ ପକାଇଥିଲେ। ଘଟଣାସ୍ଥଳରେ ସମୀରର ମୃତ୍ୟୁ ହୋଇଥିଲା। ବୁଦ୍ଧେଶ୍ବରର ଏମିତି କାଣ୍ଡ ଦେଖି ଦୁଇ ପଡୋଶୀ ଲକି ଏବଂ ଘାସି ପ୍ରତିବାଦ କରିଥିଲେ। ବୁଦ୍ଧେଶ୍ବର ଦୁଇ ପଡୋଶୀଙ୍କୁ ଟାଙ୍ଗିଆରେ ହାଣି ପକାଇଥିଲେ। ଅନ୍ୟ ପଡ଼ୋଶୀ ବୁଦ୍ଧେଶ୍ବରକୁ କାବୁ କରି ପୁଲିସକୁ ଜିମା ଦେଇଥିଲେ।