ବୈପାରିଗୁଡ଼ା: ଗୋଟିଏ ଗାଁରେ ଘର। ସାହି ବି ଗୋଟିଏ। ଦୁଇ ଘର ମଧ୍ୟରେ ଦୂରତା ୫୦ ମିଟର ବି ନୁହଁ। କିନ୍ତୁ ବାପା କୋରାପୁଟ ଏବଂ ପୁଅ ମାଲକାନଗିରି ଜିଲ୍ଲା ନିବାସୀ। ଦୁଇ ଜିଲ୍ଲାର ସୀମାରେ ଥିବା କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ୍‌ର କୁଲାବେଡ଼ା ଗାଁକୁ ନେଇ ସୃଷ୍ଟି ହୋଇଛି ଏଭଳି ସ୍ଥିତି। ଉଭୟ ଜିଲ୍ଲା ପ୍ରଶାସନ ସୀମା ନିର୍ଦ୍ଧାରଣ ଦିଗରେ ପଦକ୍ଷେପ ନେଉନଥିବାରୁ ଦୁଇ ଜିଲ୍ଲାରୁ ସରକାରୀ ଯୋଜନାର ଫାଇଦା ଉଠାଇ ଚାଲିଛନ୍ତି ଗ୍ରାମବାସୀ। କୁଲାବେଡ଼ା ଗ୍ରାମରେ ରହୁଛନ୍ତି ଶହେ ପରିବାର। ଗ୍ରାମର ୬୦ ଘର ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ କୁଟନିପାଲି ପଞ୍ଚାୟତରେ ଓ ୪୦ ଘର କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ବ୍ଲକ୍‌ର ଦଣ୍ଡାବାଡ଼ି ପଞ୍ଚାୟତ ଅଧୀନରେ ରହିଛି। କୁଲାବେଡ଼ା ଗାଁ ମଝିରେ ଲାଗିଛି ଦୁଇ ଜିଲ୍ଲାର ବୋର୍ଡ। କୋରାପୁଟ ଜିଲ୍ଲା ପଟେ ରହିଥିବା ଗ୍ରାମରେ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ରହିଛି। ଅନୁରୂପ ଭାବେ ମାଲକାନଗିରି ଜିଲ୍ଲା ପଟକୁ ଥିବା ଗାଁରେ ମଧ୍ୟ ଅଙ୍ଗନବାଡ଼ି ଓ ସ୍କୁଲ୍ ରହିଛି। ଫଳରେ ଗୋଟିଏ ଗାଁରେ ଦୁଇ ଜିଲ୍ଲା ପକ୍ଷରୁ ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ର ଚାଲିଛି। ମାଲକାନଗିରି ଜିଲ୍ଲା ପଟେ ଥିବା ଗ୍ରାମବାସୀ କୋରାପୁଟ ଜିଲ୍ଲାର ଦଣ୍ଡାବାଡ଼ି ପଞ୍ଚାୟତରୁ ଭତ୍ତା ଓ ରାସନ ପାଉଥିବା ବେଳେ କୋରାପୁଟ ଜିଲ୍ଲା ପଟେ ରହିଥିବା ଗ୍ରାମବାସୀ ମାଲକାନଗିରି ଜିଲ୍ଲାରୁ ସମାନ ଫାଇଦା ଉଠାଉଛନ୍ତି। ଗ୍ରାମବାସୀଙ୍କ ପାଖରେ ରହିଛି ଦୁଇ ଜିଲ୍ଲାର ଭତ୍ତା କାର୍ଡ। ବିବାହ ପରେ ପୁଅ ଅଲଗା ହୋଇ ଘର ଛାଡ଼ିଲେ ଠିକଣା ବଦଳି ଯାଉଛି। ଗୋଟିଏ ଗାଁରେ ରହି ବାପା କୋରାପୁଟ ଓ ପୁଅ ମାଲକାନଗିରି ଜିଲ୍ଲା ବାସିନ୍ଦା ଭାବେ ଦିନ ଅତିବାହିତ କରୁଛନ୍ତି। ସୀମାକୁ ନେଇ ଠିକଣା ବଦଳି ଥିଲେ ମଧ୍ୟ ଯାନିଯାତ୍ରା, ମେଳା, ପର୍ବ ପରମ୍ପରାକୁ ଗ୍ରାମବାସୀ ଏକାଠି ପାଳନ କରି ଆସୁଛନ୍ତି।

Advertisment

କୁଲାବେଡ଼ା ଗ୍ରାମ ବୈପାରିଗୁଡ଼ା ବ୍ଲକ୍ ଦଣ୍ଡାବାଡ଼ି ପଞ୍ଚାୟତରୁ ୧୭ କିମି ଦୂରରେ ରହିଛି। ଏତେ ଦୂର ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ଭତ୍ତା ଓ ପିଡିଏସ୍‌ ଚାଉଳ ଆଣିବା ହିତାଧିକାରୀଙ୍କ ପାଇଁ କଷ୍ଟକର ହୋଇ ପଡ଼ୁଛି। ଯଦି ଏହି ଗ୍ରାମବାସୀଙ୍କୁ ଚିପାକୁର ପଞ୍ଚାୟତରେ ଅନ୍ତର୍ଭୁକ୍ତ କରାଯାଇଥାନ୍ତା ତେବେ ଏହା ପଞ୍ଚାୟତ କାର୍ଯ୍ୟାଳୟରୁ ଗାଁର ଦୂରତା ମାତ୍ର ୫ କିମି ମଧ୍ୟରେ ସୀମିତ ରୁହନ୍ତା। ମାଲକାନଗିରି ଜିଲ୍ଲା ଅଧୀନରେ ଥିବା ଗ୍ରାମବାସୀ କୁଟନିପାଲି ପଞ୍ଚାୟତରେ ରହିଥିବା ବେଳେ ଗାଁରୁ ପଞ୍ଚାୟତର ଦୂରତା ମଧ୍ୟ ୧୮ କିମିରୁ ଊର୍ଦ୍ଧ୍ବ। ତେବେ ଗ୍ରାମବାସୀଙ୍କୁ ଗୋବିନ୍ଦପାଲ୍ଲୀ ପଞ୍ଚାୟତରେ ସାମିଲ କରାଗଲେ ଏହା ଅତି ନିକଟତର ହୋଇଥାନ୍ତା। ଉଭୟ ଗ୍ରାମବାସୀ ଯେ କୌଣସି ଗୋଟିଏ ଜିଲ୍ଲାରେ ରହିବା ପାଇଁ ଦୀର୍ଘ ଦିନ ଧରି ଦାବି କରି ଆସୁଛନ୍ତି। ହେଲେ ପ୍ରଶାସନିକ ସ୍ଥାଣୁତା ପାଇଁ ତାହା ହୋଇପାରୁନି। ଏ ସମ୍ପର୍କରେ ବୈପାରିଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାସ୍କର ଚନ୍ଦ୍ର ସାହୁଙ୍କୁ ପଚାରିବାରୁ ତହସିଲଦାରକୁ ନେଇ ଭୌଗୋଳିକ ସୀମା ନିର୍ଦ୍ଧାରଣ କରିବା ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।