ବିନିକା : ବାପା, ମା ଓ ପୁଅଙ୍କୁ ନୃଶଂସ ହତ୍ୟା
ବିନିକା : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିଲାଟି ଗ୍ରାମରେ ତଳିପଡ଼ାରେ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା କରାଯାଇଛି। ମୃତକମାନେ ହେଲେ ତଳିପଡ଼ାର ଗଲୁ ଭୋଇ (୬୫), ସ୍ତ୍ରୀ ବୈଦେହୀ ଭୋଇ (୫୫) ଓ ପୁଅ ଶିବ (୨୫)। ସେମାନଙ୍କୁ ବୁଧବାର ରାତିରେ କେହି ଦୁର୍ବୃତ୍ତ ହତ୍ୟା କରି ଫେରାର୍ ହୋଇଯାଇଛି। ଘର ଭିତରୁ ବାପା, ମାଆ ଓ ଘର ପଛପଟୁ ପୁଅର ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ମିଳିଛି। ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଚଳାଇଥିଲେ ବି ହତ୍ୟାକାରୀଙ୍କ ସମ୍ପର୍କରେ ଟେର୍ ପାଇ ପାରି ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ଗାଁର ଗଲୁ ଭୋଇ ଓ ବୈଦେହୀ ଭୋଇଙ୍କ ୨ ଯାଆଁଳା ପୁଅ ଓ ୨ ଝିଅ। ୨ ଝିଅଙ୍କ ବିବାହ ସରିଛି। ପୁଅ ଶଙ୍କର ତାମିଲନାଡ଼ୁରେ କାମ କରୁଥିଲେ ବେଳେ ଅନ୍ୟ ପୁଅ ଶିବ ଗାଁରେ ରହି ଘର କଥା ବୁଝୁଥିଲା। ଗୁରୁବାର ତାଙ୍କ ଚାଷ ଜମିରେ ପହ୍ଲା ରୋଇବାର ଥିଲା। ଏଥିପାଇଁ ମୂଲିଆ ବି ଡକାଯାଇଥିଲା। ଗୁରୁବାର ସକାଳୁ ମୂଲିଆମାନେ ଚାଷ ଜମିରେ ପହଞ୍ଚି ଯାଇଥିଲେ। ମାତ୍ର ଗଲୁଙ୍କ ପରିବାରର କୌଣସି ସଦସ୍ୟ କ୍ଷେତରେ ପହଞ୍ଚି ନଥିଲେ। ବିଳମ୍ବ ହେଉଥିବା ଦେଖି ଗଲୁଙ୍କ ପୁତୁରା ପୁତୁରା ରବୀନ୍ଦ୍ର ଭୋଇ ଘର ସମ୍ମୁଖକୁ ଆସି ବଡ଼ ପାଟିରେ ଡାକିଥିଲେ। ମାତ୍ର କୌଣସି ଉତ୍ତର ନ ମିଳିବାରୁ ତାଙ୍କର ସନ୍ଦେହ ସୃଷ୍ଟି ହୋଇଥିଲା। ଘର କବାଟ ବନ୍ଦ ଥିବାରୁ ସେ ଘର ବାହାରୁ ଛାତ ଉପରକୁ ଚଢ଼ି ସିଡ଼ି ଦେଇ ଘରକୁ ପଶିଥିଲେ। ସିଡ଼ି ପାଖରେ ବୈଦେହୀଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡ଼ିଥିଲା। ପାଖରେ ଥିବା ଖଟରେ ଗଲୁ ଶୋଇଥିବା ଅବସ୍ଥାରେ ମରି ପଡ଼ିଥିଲେ। ବାହାରକୁ
ଆସିବା ବେଳେ ଘରର ପଛ ପଟେ ଶିବର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ।
ଖବର ପାଇ ଘଟଣାସ୍ଥଳରେ ସୋନପୁର ଏସ୍ପି ଦେବ ପ୍ରସାଦ ଦାଶ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ବୁଧବାର ରାତିରେ ଶିବ ଘର ସମ୍ମୁଖରେ ଶୋଇଥିଲେ। ତାଙ୍କୁ ହତ୍ୟା କରି ଘରର ପଛ ପଟେ ଫୋପାଡ଼ି ଦିଆଯାଇଥିବା ସନ୍ଦେହ କରାଯାଉଛି। ତାଙ୍କୁ ହତ୍ୟା କରି ଘରେ ପଶି ବାପାମା’ଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।