ଜ୍ଞାନର ଭୋକ ଥିଲେ ଲକ୍ଷ୍ୟ ସହଜ ହୋଇଯାଏ: ଜିଲ୍ଲାପାଳ

ପିଲାଙ୍କ ପାଇଁ ଦିନକୁ ଘଣ୍ଟେ ମୋବାଇଲ୍; ସ୍ମାର୍ଟଫୋନ୍ ବାପାମାଁ’ଙ୍କ ନିୟନ୍ତ୍ରଣରେ ରହୁ: ଡିଆଇଜି

ବାଲେଶ୍ବର: ‘ସମ୍ବାଦ’ ଉତ୍ତର ଓଡ଼ିଶା ସଂସ୍କରଣ ପକ୍ଷରୁ ଆଜି ବାଲେଶ୍ବରସ୍ଥିତ ଭେନ୍ୟା ପାରାଡାଇଜ୍‌ ପରିସରରେ ମାଟ୍ରିକ୍‌ ଚାମ୍ପ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ‘ସମ୍ବାଦ ଗ୍ରୁପ୍‌’ର ପରିଚାଳନା ନିର୍ଦେଶିକା ମୋନିକା ନାୟାର ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ବରେଣ୍ୟ ଅତିଥି ଭାବେ ବାଲେଶ୍ବର ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ, ପୂର୍ବାଞ୍ଚଳ ଡିଆଇଜି ଅମିତେନ୍ଦ୍ରନାଥ ସିହ୍ନା ଓ ‘ସମ୍ବାଦ’ ସାହିତ୍ୟଘରର ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କା ‌ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ।

ବାଲେଶ୍ବରରେ ମାଟ୍ରିକ୍‌ ଚାମ୍ପ୍‌, ସମ୍ବର୍ଧିତ ହେଲେ ୧୮୮ ଛାତ୍ରଛାତ୍ରୀ

ଜିଲ୍ଲାପାଳ ଶ୍ରୀ ରାଉତ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଭଲ ପାଠ ପଢ଼ି ବିଭିନ୍ନ ବିଷୟରେ ଜ୍ଞାନ ଅର୍ଜନ କରିବାର ଭୋକ ଥିଲେ ଲକ୍ଷ୍ୟ ହାସଲ ସହଜ ହୋଇଯିବ। ତେବେ ଛାତ୍ରଛାତ୍ରୀମାନେ ସଫଳତାର ଶିଖରରେ ପହଂଚିଲେ ବି କେବେ ଯେପରି ମାନବିକତାକୁ ଭୁଲିନଯାଆନ୍ତୁ ସେ ନେଇ ଜିଲ୍ଲାପାଳ ଚେତାଇଦେଇଥିଲେ। ଡିଆଇଜି ଶ୍ରୀ ସିହ୍ନା ନିଜ ବକ୍ତବ୍ୟରେ କହିଲେ ଯେ, ଛାତ୍ରଛାତ୍ରୀଙ୍କ ପ୍ରଥମ ସଫଳ ସୋପାନରେ ପିଲାମାନେ ପଥ ହୁଡ଼ିବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି। ଛାତ୍ରଛାତ୍ରୀଙ୍କୁ ଦିଗ୍‌ଭ୍ରଷ୍ଟ କରିବା ପାଇଁ ସୋସିଆଲ୍‌ ମିଡିଆ ଭଳି ଏକ ବିପଦ ରହିଛି। ତେବେ ଏହି ବିପଦକୁ ଟାଳିବା ପାଇଁ ଛାତ୍ରଛାତ୍ରୀମାନେ ଏକାଗ୍ର ହେବା ନିହାତି ଦରକାର। ସେହିପରି ଅଭିଭାବକମାନଙ୍କୁ ମଧ୍ୟ ଟିକେ ଟାଣୁଆ ମନୋଭାବ ପୋଷଣ କରିବାକୁ ପଡ଼ିବ। ପିଲାମାନେ କ’ଣ କରୁଛନ୍ତି, କ’ଣ ନ କରୁଛନ୍ତି; ସେ ନେଇ ଅଭିଭାବକଙ୍କ ପାଖରେ କୌଣସି ରହସ୍ୟ ରହିବା ଉଚିତ ନୁହେଁ। ସ୍ମାର୍ଟ-ଫୋନ୍ ଠାରୁ ସମ୍ପୂର୍ଣ୍ଣ ଦୂରେଇ ରହିଲେ ଭଲ; ନଚେତ୍ ବାପାମାଁ’ଙ୍କ ତତ୍ତ୍ବାବଧାନରେ ଦିନକୁ ସବାର୍ଧିକ ଘଣ୍ଟେ କେବଳ ଜ୍ଞାନ ଆହୋରଣ ପାଇଁ ପିଲା ବ୍ୟବହାର କରିପାରନ୍ତି ବୋଲି ଶ୍ରୀ ସିହ୍ନା କହିଥିଲେ। ସେହିପରି ସାହିତ୍ୟଘରର ରାଜ୍ୟ ସଂଯୋଜିକା ଡ. ଲେଙ୍କା ତାଙ୍କ ବକ୍ତବ୍ୟରେ କହିଲେ, ଆଖି ବନ୍ଦ କରି ଚାଲିଲେ ହେବନାହିଁ, ଏପରି କଲେ ଜଣେ ବାଟରେ ପଡ଼ୁଥିବା ବୃକ୍ଷରାଜି, ହସହସ ଫୁଲ, ପ୍ରଜାପତି ଡେଣାର ରଙ୍ଗକୁ ଅନୁଭବ କରିପାରିବ ନାହିଁ। ଯାହା ଜୀବନକୁ ଫିକା କରିଦିଏ। ଫଳରେ ସେହି ଛାତ୍ର ଜଣକ ସଂସ୍କାର ଭୁଲିଯାଏ ଓ ସମାଜଠାରୁ ଦୂରେଇଯାଏ। ଗ୍ରନ୍ଥ କୀଟ ନହୋଇ ସମସ୍ତ ଇନ୍ଦ୍ରିୟକୁ ଚଂଚଳ ରଖନ୍ତୁ।

‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେଇପାରିନଥିବା ବେଳେ ତାଙ୍କର ଏକ ଭିଡିଓ ବାର୍ତା ପ୍ରଦର୍ଶିତ ହୋଇଥିଲା। ସେ ସେଥିରେ କହିଲେ, ଯେଉଁ ଛାତ୍ରଛାତ୍ରୀମାନେ ମାଟ୍ରିକ୍‌ ପରୀକ୍ଷାରେ ଏ-୧ ଗ୍ରେଡ୍‌ ପାଇଛନ୍ତି ସେମାନଙ୍କ ପାଇଁ ଏହା ପ୍ରଥମ ସଫଳତା। ତେବେ ଏହି ସଫଳତାକୁ ନେଇ ସେମାନେ ଅତ୍ୟଧିକ ଉଲ୍ଲସିତ ହେବା ଉଚିତ ନୁହେଁ। କାରଣ ଜୀବନରେ ଆଗକୁ ଆହୁରି ପରୀକ୍ଷାର ସାମ୍ନା କରିବାକୁ ପଡ଼ିବ। ଛାତ୍ରଛାତ୍ରୀମାନେ ସେମାନଙ୍କ ଗୋଟିଏ ସଫଳତା ପାଇଁ ଅହଂକାର ନକରି ଈଶ୍ବର, ବାପା ମାଆ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରତି କୃତଜ୍ଞ ହେବା ଉଚିତ। ବୃତ୍ତି ଓ ପ୍ରବୃତ୍ତି ନେଇ ମୁଁ ଅନେକ ସମୟରେ ଚିନ୍ତିତ ହୁଏ। ସମସ୍ତେ ଯଦି ଆଇଏଏସ୍‌ ହେବେ‌, ତେବେ ଅନ୍ୟ ବୃତ୍ତିିଗୁଡ଼ିକର କ’ଣ ହେବ! ପିଲାଟିଏ ଯାହା ହେବା ପାଇଁ ଚାହୁଁଛି, ସେହି ଆଧାରରେ ସେ ବୃତ୍ତି ଚୟନ କରିବା ଉଚିତ। କାରଣ ପ୍ରବୃତ୍ତି ଓ ବୃତ୍ତି ମିଶିଗଲେ ସଫଳତା ସୁନିଶ୍ଚିତ। ବାପା ମାଆ ଖାଲି ଏ‌ ଦିଗରେ ସେମାନଙ୍କ ପିଲାମାନଙ୍କୁ ମାର୍ଗଦର୍ଶନ ଦେବା ଦରକାର। ପିଲାମାନେ ଇଂରାଜୀ ପ୍ରତି ଯେତିକି ଆଗ୍ରହ ଦେଖାଉଛନ୍ତି, ଓଡ଼ିଆ ଭାଷା ପ୍ରତି ମଧ୍ୟ ସେତିକି ଆନୁଗତ୍ୟ ପ୍ରଦର୍ଶନ କରନ୍ତୁ। କାରଣ ମାତୃଭାଷାକୁ ହେୟଜ୍ଞ‌ାନ କରି କେହି କେବେ ସଫଳ ହୋଇପାରିନାହିଁ। ସଭାପତି ଶ୍ରୀମତୀ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କ ଭିତରେ ଥିବା ଆତ୍ମବିଶ୍ବାସର କଥା ବଖାଣିଥିଲେ। ଯେଉଁ ଛାତ୍ର ବା ଛାତ୍ରୀ ଯେଉଁ ବିଷୟ ନେଇ ପାଠ ପଢ଼ିବା ପାଇଁ ଚାହୁଁଛନ୍ତି, ସେ ସେହି ବିଷୟ ଚୟନ କରନ୍ତୁ। ଦେଖିବେ ସଫଳତା ଆପେ ଆପେ ଆସିବ। ସଭାରେ ‘ସମ୍ବାଦ’ ବାର୍ତା ବିଭାଗ ମୁଖ୍ୟ ଅରବିନ୍ଦ ଦାସ ଅତିଥି ପରିଚୟ ପ୍ରଦାନ ସହ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।
ଏହି ଅବସରରେ ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷାରେ ଏ-୧ ଗ୍ରେଡ୍‌ ହାସଲ କରିଥିବା ବାଲେଶ୍ବର ଜିଲ୍ଲାର ୯୨ ମୟୂରଭଂଜ ଜିଲ୍ଲାର ୫୬ ଓ ଭଦ୍ରକ ଜିଲ୍ଲାର ୪୦ ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଧନା ପ୍ରଦାନ ସହ ସେମାନେ ପଢ଼ୁଥିବା ସଂପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ଅତିଥି ଓ ପ୍ରାୟୋଜକଙ୍କୁ ମଧ୍ୟ ସମ୍ବର୍ଧନା ଦିଆଯାଇଥିଲା। ଭଦ୍ରକ ଜିଲ୍ଲା ପ୍ରତିନିଧି ଡ. ହରିହର ନାୟକ, ବାରିପଦା ‘ସମ୍ବାଦ’ ଜିଲ୍ଲା ପ୍ରତିନଧି ରାଜକିଶୋର ଦାସ, ବାଲେଶ୍ବର ସହର ପ୍ରତିନିଧି ମନୋଜ କୁମାର ରାଉଳ, ରାଇରଙ୍ଗପୁର ‘ସମ୍ବାଦ’ ଜିଲ୍ଲା ପ୍ରତିନିଧି ଅସୀମ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବାଲେଶ୍ବର ସଂସ୍କରଣର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର