ରକ୍ତ ପରୀକ୍ଷା ପାଇଁ ନେଲେ ୮୫୦ ଟଙ୍କା

ଗଙ୍ଗା-ଯମୁନାଙ୍କ ପାଇଁ ଦରଦ ଏମିିତି

କଟକ : ଶିଶୁଭବନରେ ଜୀବନ ସହିତ ସଂଗ୍ରାମ କରୁଥିବା ଗଙ୍ଗା ଓ ଯମୁନାଙ୍କ ଚିକିତ୍ସା ଖର୍ଚ୍ଚ ସମ୍ପୂର୍ଣ୍ଣ ମାଗଣାରେ କରାଯିବ ବୋଲି ଖୋଦ୍‌ ସ୍ୱାସ୍ଥ୍ୟମନ୍ତ୍ରୀ ଏଭଳି ନିଷ୍ପତ୍ତି ଶୁଣାଇଥିଲେ। କିନ୍ତୁ ଆଜି କଟକ ବଡ଼ ମେଡିକାଲ୍‌ ୟୁଜର୍ସ କାଉଣ୍ଟରରେ ଗଙ୍ଗା-ଯମୁନାଙ୍କ ରକ୍ତ ପରୀକ୍ଷା ବାବଦରେ ୮୫୦ ଟଙ୍କା ଦେୟ ତାଙ୍କ ବାପା କିଶୋର ଦତ୍ତଙ୍କଠାରୁ ଆଦାୟ କରାଯାଇଛି । ଶିଶୁଭବନ କର୍ତ୍ତୃପକ୍ଷ ମାଗଣାରେ ପରୀକ୍ଷା କରିବାକୁ ଚିଠାରେ ଦର୍ଶାଇଥିବା ବେଳେ ମେଡିକାଲ୍‌ରେ ଏହା ପାଳନ କରଯାଇ ନଥିଲା । ଟଙ୍କା ନଦେଲେ ରକ୍ତ ପରୀକ୍ଷା କରାଯିବ ନାହିଁ ବୋଲି କାଉଣ୍ଟରରେ ସଫା ସଫା ମନା କରିଦେବାରୁ ବାଧ୍ୟ ହୋଇ କିଶୋର ଟଙ୍କା ପୈଠ କରିଛନ୍ତି। ଏହି ଘଟଣାକୁ ଶିଶୁଭବନ ଅଧୀକ୍ଷକ ଡାକ୍ତର ସରୋଜ ଶତପଥୀ ଗୁରୁତ୍ୱର ସହିତ ନେଇଛନ୍ତି । ଚିଠାରେ କର୍ତ୍ତୃପକ୍ଷଙ୍କ ଦସ୍ତଖତ ଏବଂ ଷ୍ଟାମ୍ପ୍‌ ଥିଲା ବେଳେ କେଉଁ ପରିସ୍ଥିତିରେ ପରୀକ୍ଷା ପାଇଁ ମେଡିକାଲ୍‌ରେ ଟଙ୍କା ନିଆଗଲା, ସେ ନେଇ ଅନୁଧ୍ୟାନ କରାଯିବ ବୋଲି ଡାକ୍ତର ଶତପଥୀ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ ଗତ ୧ ତାରିଖ ବିଳମ୍ବିତ ରାତିରେ ନୟାଗଡ଼ର ଗଙ୍ଗା ଓ ଯମୁନା ଶିଶୁଭବନରେ ଭର୍ତ୍ତି ହୋଇଥିଲେ। ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଶିଶୁଭବନ କର୍ତ୍ତୃପକ୍ଷ ୧୨ ଜଣିଆ ଡାକ୍ତରୀ ଦଳ ଗଠନ କରି ଚିକିତ୍ସା ଆରମ୍ଭ କରିଥିଲେ। ୨ ତାରିଖରେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ଶିଶୁଭବନରେ ପହଞ୍ଚି ଗଙ୍ଗା-ଯମୁନାଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବା ନେଇ ଘୋଷଣା କରିଥିଲେ । କିନ୍ତୁ ଆଜି ବଡ଼ ମେଡିକାଲ୍‌ରେ ଯେଉଁ ଘଟଣା ଘଟିଛି, ତାକୁ ନେଇ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି। ଶିଶୁଭବନ ଡାକ୍ତରଙ୍କ ପରାମର୍ଶ କ୍ରମେ ଗଙ୍ଗା-ଯମୁନାଙ୍କ ରକ୍ତ ନମୂନା ବଡ଼ ମେଡିକାଲ୍‌ରେ ପରୀକ୍ଷା ପାଇଁ ବାପା କିଶୋର ଦତ୍ତ ଦିନ ପ୍ରାୟ ଗୋଟାଏ ବେଳେ ପହଞ୍ଚିଥିଲେ। କିନ୍ତୁ ସେଠାରେ ପରୀକ୍ଷା ବାବଦରେ ୮୫୦ ଟଙ୍କା ନଦେଲେ ପରୀକ୍ଷା କରିହେବ ନାହିଁ ବୋଲି ମନା କରିଦେଇଥିଲେ । ବାଧ୍ୟହୋଇ ୟୁଜର୍ସ କାଉଣ୍ଟର୍‌ରେ ଟଙ୍କା ଜମା କରିଥିଲେ ବାପା କିଶୋର । ଗଙ୍ଗା-ଯମୁନାଙ୍କ ମା’ ସୁମିତ୍ରା ଦତ୍ତଙ୍କ ନାମରେ ଏହି ଟଙ୍କା ପୈଠ କରାଯାଇଥିଲା ।

ଏହି ଘଟଣାକୁ ନେଇ ଶିଶୁଭବନ ଅଧୀକ୍ଷକ ଡାକ୍ତର ସରୋଜ ଶତପଥୀ କୁହନ୍ତି ଯେ ମେଡିକାଲ୍‌ରେ ରକ୍ତ ପରୀକ୍ଷା ସମ୍ପୂର୍ଣ୍ଣ ମାଗଣାରେ କରାଯିବା ସମ୍ପର୍କରେ ଚିଠାରେ ଉଲ୍ଲେଖ କରାଯାଇଥିଲା। କିନ୍ତୁ ସେଠାରେ ଭୁଲ ବଶତଃ ଟଙ୍କା ନିଆଯାଇଛି। ଏ ସମ୍ପର୍କରେ ଏସ୍‌ସିବି କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି । ଏହି ଟଙ୍କା ପରବର୍ତୀ ସମୟରେ ଫେରସ୍ତ କରାଯାଇଛି । ଅନ୍ୟପକ୍ଷରେ ଦୁଇ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଏବେ ସୁଦ୍ଧା ସୁଧାର ଆସିନାହିଁ। ସେମାନଙ୍କୁ ଡବା କ୍ଷୀର ପ୍ରଦାନ କରାଯାଉଛି । ଏବେ ଆର୍‌ବିଏସ୍‌କେ (ରାଷ୍ଟ୍ରିୟ ବାଲ୍‌ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ) ଯୋଜନା ମାଧ୍ୟମରେ ସମସ୍ତ ଚିକିତ୍ସା ଖର୍ଚ୍ଚ ଯୋଗାଇ ଦିଆଯାଉଛି । ଆବଶ୍ୟକ ପଡ଼ିଲେ ଅନ୍ୟ ସ୍କିମ୍‌ରୁ ମଧ୍ୟ ଖର୍ଚ୍ଚ କରାଯିବ ବୋଲି ଶିଶୁଭବନ ଅଧୀକ୍ଷକ ଡାକ୍ତର ଶତପଥୀ କହିଛନ୍ତି ।

ଅନ୍ୟପକ୍ଷରେ ଆସନ୍ତାକାଲି ଦୁଇ ଶିଶୁଙ୍କ ହୃତ୍‌ପିଣ୍ଡ(ହାର୍ଟ)ର ଏମ୍‌ଆର୍‌ଆଇ ସ୍କାନ୍‌ କରାଯିବାକୁ ଡାକ୍ତରୀ ଦଳ ଆଜି ନିଷ୍ପତ୍ତି ଗ୍ରହଣ କରିଛି। ହୃତ୍‌ପିଣ୍ଡରେ ନିର୍ଦ୍ଦିଷ୍ଟ ଭାବେ ଯେଉଁ ତ୍ରୁଟି ରହିଛି, ସେସବୁକୁ ଡାକ୍ତରୀ ଟିମ୍‌ ରିପୋର୍ଟ ଆଧାରରେ ଚିହ୍ନଟ କରିବାର ଯୋଜନା ରହିଛି । ଏଭଳି ସ୍ଥିତିରେ ଆଜି ମଧ୍ୟ ଗଙ୍ଗା ଡବା କ୍ଷୀର ପିଇ ନଥିଲା । ଯମୁନା ଆଜି ମାତ୍ର ଥରେ ଡବା କ୍ଷୀର ପିଇଥିବା ସୂଚନା ମିଳିଛି।

କଟକ ଗସ୍ତରେ ଆସିଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ଗଙ୍ଗା-ଯମୁନାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଅଛି । ରାଜ୍ୟ ବାହାରେ ଥିବା ଶିଶୁରୋଗ ବିଶେଷଜ୍ଞଙ୍କ ସହିତ ସେମାନଙ୍କ ଚିକିତ୍ସା ସଂକ୍ରାନ୍ତରେ ପରାମର୍ଶ ଗ୍ରହଣ କରାଯାଉଥିବା ଶ୍ରୀ ଜେନା କହିଛନ୍ତି ।

ସମ୍ବନ୍ଧିତ ଖବର