ପୁଅ ପାଇଁ ୨୬ ହଜାର ଟଙ୍କା ତଣ୍ଡ ଗଣିଲେ ବାପା, ପରିବହନ ଅଧିକାରୀଙ୍କ ଅଫିସ୍‌ରେ ହାଜର ପାଇଁ ନିର୍ଦ୍ଦେଶ

କଟକ: ପଡ଼ିଶା ଘରର ଆକ୍ଟିଭା ମାଗି ନେଇ ବଜାରକୁ ଯାଇଥିଲେ ନାବାଳକ। ଆର୍‌ଟିଓ ଅଧିକାରୀଙ୍କ ହାତରେ ଧରା ପଡିଗଲେ । ଏଥିପାଇଁ ଅଧିକାରୀ ୨୬ ହଜାର ଟଙ୍କା ଜରିମାନା ଠୁଙ୍କି ଦେଇଛନ୍ତି । ଏବଂ ଆସନ୍ତା ଗୁରୁବାର ଦିନ ଆର୍‌ଟିଓ ଅଫିସ୍‌ରେ ହାଜର ହେବାକୁ ନାବାଳକ ଆଉ ତାଙ୍କ ଅଭିଭାବକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବାରଙ୍ଗରେ ଘଟିଥିବା ଏଭଳି ଘଟଣା ଆଜି ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।

ସୂଚନା ଅନୁସାରେ, ଆଜି ବାରଙ୍ଗଠାରେ କଟକ ଆରଟିଓଙ୍କ କାର୍ଯ୍ୟାଳୟ ପକ୍ଷରୁ ଯାନବାହାନ ଯାଂଚ କରାଯାଉଥି‌ଲା। ସେହି ସମୟରେ ଥାନା ଛକ ଦେଇ ଆକ୍ଟିଭା ନମ୍ବର (ଓଡି-୦୫-ଏଜେ୧୫୧୨)ରେ ଗୋଠପୁର ଗ୍ରାମର ମଙ୍ଗରାଜ ପରିଡାଙ୍କ ୧୭ବର୍ଷର ନାବାଳକ ପୁଅ ଯାଉଥିଲେ। ଯାଂଚ କରୁଥିବା ଅଧିକାରୀମାନେ ଉକ୍ତ ନାବାଳକଙ୍କୁ ଅଟକାଇବା ସହ ପଚାରାଉଚୁରା କରିବା ସମୟରେ ତାଙ୍କର ଲାଇସେନ୍ସ ନଥିବା ଜଣା ପଡିଥିଲା ଓ ସେ ହେଲମେଟ୍ ମଧ୍ୟ ପିନ୍ଧି ନ ଥିଲେ। ପଚରାଉଚୁରା ପରେ ସେ ନାବାଳକ ବୋଲି ଜଣା ପଡିବା ପରେ ପରିବହନ ବିଭାଗ ମାମଲା ରୁଜୁ କରିବା ସହ ୨୬ହଜାର ଟଙ୍କା ଜରିମାନା ପାଇଁ ନୋଟିସ୍‌ ଜାରି କରିଥିଲେ। ତେବେ ଏହି ଗାଡିଟି କୈଳାସ ରାଉତ୍‌ଙ୍କ ନାମରେ ରହିଛି। ଗୋଠପୁରରୁ ବାରଙ୍ଗ ବଜାର ୩/୪ କିଲୋମିଟର ହୋଇଥିବା ବେଳେ ନାବାଳକଟି ତାଙ୍କ ପଡୋଶୀ କୈଳାସଙ୍କ ଠାରୁ ଗାଡ଼ି ମାଗି ନେଇ ଆସିଥିଲେ। ଲାଇ‌ସେନ୍ସ ନଥିବାରୁ ୨୫ ହଜାର ଟଙ୍କା ଓ ବିନା ହେଲମେଟ୍‌ରେ ଗାଡି ଚଳାଉଥିବାରୁ ହଜାରେ ଟଙ୍କା ଜରିମାନା ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର