ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା। ଦୁଇ ନାବାଳକ ପୁଅଙ୍କୁ ବିଷ ପିଆଇ ହତ୍ୟା ଉଦ୍ୟମ କରିଛି ସୈତାନ ବାପା। ପୁଅ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ ଅଭିଯୁକ୍ତ ବାପାକୁ କାବୁ କରିବାବେଳେ ଥାନା ଅଧିକାରୀଙ୍କ ସମେତ ୭ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି।
ସୂଚନା ମୁତାବକ, ଜରପଡ଼ା ଥାନା ତୁବେ ଗାଁର କାଳୀଚରଣ ପ୍ରଧାନ ଘରେ ଅଧିକାଂଶ ସମୟ ବିଶୃଙ୍ଖଳା ସୃଷ୍ଟି କରିବା ସହ ପତ୍ନୀଙ୍କ ସହିତ ଝଗଡ଼ା କରନ୍ତି। ଗୁରୁବାର ରାତିରେ ପତିପତ୍ନୀଙ୍କ ମଧ୍ୟରେ ବଚସା ହୋଇଥିଲା। ଦୁଇ ନାବାଳକ ପୁଅ ବିଭ୍ରାଂଶୁ ପ୍ରଧାନ (୬) ଓ ନୀଳମାଧବ ପ୍ରଧାନ (୧୪) ଆଜି ସ୍କୁଲ ଯାଇଥିବା ବେଳେ ବାପା କାଳୀଚରଣ ସେମାନଙ୍କୁ ବାଇକ୍ରେ ଘରକୁ ଆଣିଥିଲେ। ବୁଲିଯିବାକୁ କହି ଦୁଇ ପୁଅଙ୍କୁ ବାଇକ୍ ଯୋଗେ ବନ୍ତଳା ଅଞ୍ଚଳକୁ ଆଣିଥିଲେ। ବଡ଼କେରା ଛକରୁ ଛେନାପୋଡ଼ କିଣି ବନ୍ତଳା ଥାନା ନୂଆକ୍ଷେତା ଜଙ୍ଗଲକୁ ଯାଇଥିଲେ। ସେଠାରେ କାଳୀଚରଣ ପ୍ରଥମେ ବିଭ୍ରାଂଶୁ ଓ ନୀଳମାଧବଙ୍କୁ ଛେନାପୋଡ଼ ଖାଇବାକୁ ଦେବା ପରେ ସାଙ୍ଗରେ ନେଇଥିବା ବିଷ ପିଆଇ ଦେଇଥିଲା। ବିଷ ପିଇବା ପରେ ଦୁଇ ପୁଅ ଘନଘନ ବାନ୍ତି କରିଥିଲେ। ଏଥିରେ ଭୟଭୀତ ହୋଇ କାଳୀଚରଣ ନୂଆକ୍ଷେତା ଗାଁ ଲୋକଙ୍କୁ ଘଟଣା ସଂପର୍କରେ ଜଣାଇଥିଲା। ସ୍ଥାନୀୟ ଲୋକେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ଦୁଇଟି ଆମ୍ବୁଲାନ୍ସରେ ସେମାନଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ସୈତାନ ସାଜିଲା ବାପା: ଦୁଇ ପୁଅଙ୍କୁ ବିଷ ପିଆଇଲା, ଯାହାକୁ ଦେଖିଲା କାମୁଡ଼ି ଗୋଡ଼ାଇଲା
କାଳୀଚରଣର ଏହି କାରନାମା ଜାଣିବା ପରେ ଲୋକେ ତାକୁ କାବୁ କରି ପୁଲିସ ଜିମା ଦେଇଥିଲେ। ତେବେ ପୁଲିସ ତାକୁ ବନ୍ତଳା ଡାକ୍ତରଖାନାରେ ଭର୍ତ୍ତି କରିବାବେଳେ ସେ ରକ୍ତମୁଖା ହୋଇ ଡାକ୍ତରଖାନା କର୍ମଚାରୀଙ୍କୁ ମାରିବାକୁ ଗୋଡ଼ାଇଥିଲା। ପୁଲିସ ତାକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ଉଦ୍ୟମ କରିବା ସମୟରେ କାଳୀଚରଣ ଆହୁରି ଉଗ୍ରମୁଖା ହୋଇଥିଲା। ସମ୍ମୁଖରେ ଯାହାକୁ ପାରିଲା କାମୁଡ଼ି ପକାଇଥିଲା। ବନ୍ତଳା ଥାନା ଅଧିକାରୀ ନଟବର ନନ୍ଦଙ୍କ ଗାଲକୁ କାମୁଡ଼ି ଖଣ୍ଡିଆ କରିବା ପରେ ଆଉ ୬ ଜଣ ପୁଲିସ କର୍ମଚାରୀଙ୍କୁ ଆକ୍ରମଣ କରିଥିଲା। ଉପାୟଶୂନ୍ୟ ହୋଇ ପୁଲିସ ତାକୁ କାବୁ କରିବାକୁ ଯାଇ ହାତ ଓ ଗୋଡ଼ରେ ବେଡ଼ି ପକାଇ ଦେଇଥିଲା। ତେବେ ଏଥିରେ କାଳୀଚରଣ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି। ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/20/dfshfhhfsfh-2025-09-20-02-09-27.jpg)